ଭୁବନେଶ୍ବର: ସୁଉଚ୍ଚ ଆକାଶରେ ଉଡ଼ୁଥିଲା ଭାରତୀୟଙ୍କ ସ୍ବତନ୍ତ୍ରତାର ପ୍ରତୀକ ‘ତ୍ରିରଙ୍ଗା ପତାକା’। ରାଜରାସ୍ତାରେ ରାଜ୍ୟର ସାମରିକ ଓ ବେସାମରିକ ବାହିନୀ ପ୍ରଦର୍ଶିତ କରୁଥିଲେ ଭାରତୀୟଙ୍କ ଶୌର୍ଯ୍ୟ ଓ ସାହସର କୀର୍ତ୍ତିମାନ। ଗୋଟିଏ ପରେ ଗୋଟିଏ ପ୍ରଜ୍ଞାପନ ମେଢ଼ କହୁଥିଲେ ରାଜ୍ୟ ଉତ୍କର୍ଷର ଜୟଗାଥା। ଅବସର ଥିଲା ରାଜ୍ୟସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ। ଭୁବନେଶ୍ୱରର ମହାତ୍ମାଗାନ୍ଧୀ ମାର୍ଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ହରି ବାବୁ କମ୍ଭମ୍ପାଟି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ। ରାଜ୍ୟପାଳ ସୋମବାର ସକାଳ ୮.୨୮ ରେ ମହାତ୍ମାଗାନ୍ଧୀ ମାର୍ଗରେ ପହଞ୍ଚିବା ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ଆରକ୍ଷୀ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଉପମହାନିର୍ଦ୍ଦେଶକ କମୋଡର ବିକ୍ରମ ସିଂହ ରାଜ୍ୟପାଳଙ୍କୁ ସ୍ୱାଗତ ଜଣାଇ ମଞ୍ଚକୁ ପାଛୋଟି ନେଇଥିଲେ। ରାଜ୍ୟପାଳ ଶ୍ରୀ କମ୍ଭମ୍ପାଟି ସାଢ଼େ ୮ଟାରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। କମାଣ୍ଡାଣ୍ଟ୍ ରାକେଶ କୁମାର ସାହୁ ଓ ଏସ୍ଡିପିଓ ଆର୍. ଉଦୟଗିରି ପରେଡ୍ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଦ୍ୱିତୀୟ ପରିଚାଳକ ଭାବେ ଡେପୁଟି କମାଣ୍ଡାଣ୍ଟ୍ ଶରତ ଜାନି, ଆଡ୍ଜୁଟାଣ୍ଟ୍ ଭାବେ ଶେଖର ମହାପାତ୍ର ଓ ସ୍ୱତନ୍ତ୍ର ଅଧିକାରୀ ପରମେଶ୍ୱର ହାଁସଦା ପରେଡ୍ ପରିଚାଳନାରେ ସହାୟତା କରିଥିଲେ।

