Foreign links behind cybercrime: ନିବେଶ ସାଇବର ଅପରାଧ ପଛରେ ବିଦେଶୀ ଲିଙ୍କ୍: କ୍ରାଇମବ୍ରାଞ୍ଚକୁ ଦେଉନାହାନ୍ତି ଆଇପି ଆଡ୍ରେସ୍ ତଥ୍ୟ
ରାଜ୍ୟରେ ନିବେଶ ଠକେଇ ପାଇଁ ଯେଉଁ ଜାଲ୍ ୱେବ୍ସାଇଟ୍ ପ୍ରସ୍ତୁତ କରାଯାଉଛି ଏହା ପଛରେ କ୍ରାଇମବ୍ରାଞ୍ଚ ହାତରେ ଚାଞ୍ଚଲ୍ୟକର ତଥ୍ୟ ହସ୍ତଗତ ହୋଇଛି। ଏହି ଜାଲ୍ ୱେବ୍ସାଇଟ୍ ରୋମାନିଆ, ବ୍ରାଜିଲ, ଇଣ୍ଡୋନେସିଆ....

କଟକ: ରାଜ୍ୟରେ ନିବେଶ ଠକେଇ ପାଇଁ ଯେଉଁ ଜାଲ୍ ୱେବ୍ସାଇଟ୍ ପ୍ରସ୍ତୁତ କରାଯାଉଛି ଏହା ପଛରେ କ୍ରାଇମବ୍ରାଞ୍ଚ ହାତରେ ଚାଞ୍ଚଲ୍ୟକର ତଥ୍ୟ ହସ୍ତଗତ ହୋଇଛି। ଏହି ଜାଲ୍ ୱେବ୍ସାଇଟ୍ ରୋମାନିଆ, ବ୍ରାଜିଲ, ଇଣ୍ଡୋନେସିଆ, ହଂକଂ, ମକାଓ, ସିଙ୍ଗାପୁର, ୟୁକ୍ରେନ୍, ଚୀନ, ଥାଇଲାଣ୍ଡ, ଫିଲିପାଇନ୍ସ ଓ ନାଇଜେରିଆରେ ପ୍ରସ୍ତୁତ ହେବା ସହିତ ହୋଷ୍ଟିଂ ହେଉଛି।
ଯେତେବେଳେ କ୍ରାଇମବ୍ରାଞ୍ଚ ଏହି ଜାଲ୍ ୱେବସାଇଟ୍ ପଛର ଅସଲ ଚେହେରା ସାମନାକୁ ଆଣିବାକୁ ଚାହୁଁଛି, ସମ୍ପୃକ୍ତ ଦେଶ ପକ୍ଷରୁ ମାଲିକାନା ସମ୍ପର୍କିତ ତଥ୍ୟ ପ୍ରଦାନ କରାନଯିବାରୁ ନିବେଶ ଠକେଇ ପଛର କାର୍ପଟଦାରମାନେ ଖସିଯାଉଥିବା ଘଟଣା ଚିନ୍ତା ବଢ଼ାଇଛି। କ୍ରାଇମବ୍ରାଞ୍ଚର ଏହି ଖିଲାପି ଦେଶର କମ୍ପାନି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର କ୍ଷମତା ନାହିଁ। କ୍ରାଇମବ୍ରାଞ୍ଚ ପାଇଁ ଯେଉଁମାନେ ସାଇବର୍ ଠକ, ସେମାନେ ବିଦେଶୀ ହୋଷ୍ଟିଂ ସଂସ୍ଥା ପାଇଁ ଗ୍ରାହକ। ତେଣୁ ଗ୍ରାହକଙ୍କ ତଥ୍ୟ କ୍ରାଇମବ୍ରାଞ୍ଚକୁ ଦେଇ ବ୍ୟବସାୟିକ କ୍ଷତି କରିବାକୁ ସମ୍ପୃକ୍ତ ହୋଷ୍ଟିଂ କମ୍ପାନି ଚାହୁଁନଥିବାରୁ ନିବେଶ ଠକେଇ ବଢ଼ିଯାଇଥିବା କ୍ରାଇମବ୍ରାଞ୍ଚ
ପକ୍ଷରୁ ସୂଚନା ମିଳିଛି।
ଜାଲ୍ ୱେବସାଇଟ୍ ପଛରେ
ମକାଓ, ରୋମାନିଆ, ଫିଲିପାଇନ୍ସ
କ୍ରାଇମବ୍ରାଞ୍ଚକୁ ଦେଉନାହାନ୍ତି ଆଇପି ଆଡ୍ରେସ୍ ତଥ୍ୟ
ସୂଚନା ଅନୁଯାୟୀ, ନିବେଶ ଠକେଇ ଘଟଣାରେ କ୍ରାଇମବ୍ରାଞ୍ଚ ହାତରେ ଧରାପଡ଼ିଥିବା ଦିଲ୍ଲୀର ବନ୍ଦନା ବେୱା ବିଦେଶୀ ୱେବ୍ସାଇଟ୍ ହୋଷ୍ଟିଂ ନେଟ୍ଵାର୍କର ମୁଖା ଖୋଲିଦେଇଛି। ୱେବ୍ସାଇଟ୍ ଡିଜାଇନ୍ କରିବା ପୂର୍ବରୁ ଡୋମେନ୍ ନାଁ ବୁକ୍ କରିବା ସହିତ ସର୍ଭର୍ ନେବାକୁ ପଡ଼ିଥାଏ। ୱେବ୍ସାଇଟରେ ତଥ୍ୟ ରଖିବା ପାଇଁ ଏକ ସର୍ଭରରେ ସ୍ଥାନର ଆବଶ୍ୟକତା ପଡ଼ିଥାଏ। ଭାରତ କିମ୍ବା ଭାରତ ବାହାରେ ଥିବା ସର୍ଭର୍ ସେବା ପ୍ରଦାନକାରୀ ସଂସ୍ଥାରେ ତଥ୍ୟ ରଖାଯାଇଥାଏ। ବିଦେଶରେ ସର୍ଭର୍ରେ ହୋଷ୍ଟିଂ କରିବା ଅପେକ୍ଷାକୃତ ଶସ୍ତା। ଭାରତରେ ବ୍ୟାଣ୍ଡଉଇଡ୍ଥ ବା ସର୍ଭର୍ ମୂଲ୍ୟ ଅଧିକ।
ବିଦେଶରେ ଶସ୍ତା ସହିତ ଆପରାଧିକ କାର୍ଯ୍ୟକଳାପରେ ନିଜର ପରିଚୟ ଲୁଚାଇବା ଅଧିକ ସହଜ ହୋଇଥାଏ। ତେଣୁ ଭାରତରେ ନିବେଶ ଠକେଇ କରୁଥିବା ସାଇବର୍ ଅପରାଧୀମାନେ ନିଜର ୱେବ୍ସାଇଟ୍ ହୋଷ୍ଟିଂ ଉପରୋକ୍ତ ଦେଶରେ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ନିବେଶ ଠକେଇରେ ରାଜସ୍ଥାନ, ମହାରାଷ୍ଟ୍ରର ମୁମ୍ବାଇ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡର ଜାମତାରା, ହରିଆଣାର ମେଵାଟ, ଦିଲ୍ଲୀ, ଗୁଜରାଟରୁ ଗିରଫ ହୋଇଥିବା ସାଇବର୍ ଅପରାଧୀଙ୍କ ଲିଙ୍କ୍ ଉପରୋକ୍ତ ଦେଶ ସହିତ ଥିବାର ପ୍ରମାଣ ମିଳିଛି। ନିବେଶ ଠକେଇରେ ଚିହ୍ନଟ ହୋଇଥିବା ନକଲି ୱେବ୍ସାଇଟ୍ଗୁଡ଼ିକର ଆଇପି ଆଡ୍ରେସ୍ ଆଧାରରେ ୱେବ୍ସାଇଟ୍ ହୋଷ୍ଟିଂ କରୁଥିବା ଉପରୋକ୍ତ ଦେଶର ସଂସ୍ଥାକୁ ଚିଠି ଲେଖୁଛି। କିନ୍ତୁ ସେମାନଙ୍କ ତରଫରୁ କୌଣସି ପ୍ରକାର ସହଯୋଗ ମିଳୁ ନଥିବାରୁ କ୍ରାଇମବ୍ରାଞ୍ଚର ତଦନ୍ତ ପ୍ରକ୍ରିୟା ଆଗେଇ ପାରୁନଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।
ସୌଜନ୍ୟ ସମ୍ବାଦ



