ରାଜନୀତି

Assam: ଗୋ‌ଗୋଇ କହିଲେ ତାଙ୍କ ପିଲାଙ୍କୁ ମଧ୍ୟ ବିବାଦକୁ ଟଣାଯାଉଛି

ଆସାମରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଓ କଂଗ୍ରେସ ସାଂସଦ ଗୌରବ ଗୋଗୋଇଙ୍କ ମଧ୍ୟରେ ରାଜନୈତିକ ବିବାଦ ସୋମବାର ଅଧିକ ଭୟଙ୍କର ହୋଇଛି। ଗୋଗୋଇଙ୍କର ପାକିସ୍ତାନ ଲିଙ୍କ୍‌ ନେଇ ହିମନ୍ତ ତାଙ୍କୁ ତୀବ୍ର ସମାଲୋଚନା କରିଥିଲେ।

ଗୁଆହାଟୀ: ଆସାମରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଓ କଂଗ୍ରେସ ସାଂସଦ ଗୌରବ ଗୋଗୋଇଙ୍କ ମଧ୍ୟରେ ରାଜନୈତିକ ବିବାଦ ସୋମବାର ଅଧିକ ଭୟଙ୍କର ହୋଇଛି। ଗୋଗୋଇଙ୍କର ପାକିସ୍ତାନ ଲିଙ୍କ୍‌ ନେଇ ହିମନ୍ତ ତାଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଅନ୍ୟପକ୍ଷରେ ଗୌରବ ମୁଖ୍ୟମନ୍ତ୍ରୀ ଏସ୍‌ଆଇଟି ରିପୋର୍ଟ କାହିଁକି ଚାପି ରଖିଥିଲେ ବୋଲି ପ୍ରଶ୍ନ କରିବା ସହିତ ତାଙ୍କର ନାବାଳକ ପିଲାଙ୍କୁ ମଧ୍ୟ ‘ରାଜ‌ନୈତିକ ଡ୍ରାମା’କୁ ଟାଣିବାକୁ ଚେଷ୍ଟା କରାଯାଉଛି ବୋଲି ଅଭିଯୋଗ କରିଛନ୍ତି। ରବିବାର ବିଶ୍ବଶର୍ମା ଏକ ସାମ୍ବାଦିକ ସମ୍ମିଳନୀ କରି ଗୋଗୋଇଙ୍କ ପତ୍ନୀଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଥିଲେ।

ଜବାବରେ ଗୋଗୋଇ ସୋମବାର ଗୁଆହାଟୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ବିଶ୍ବଶର୍ମାଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଗୋଗୋଇଙ୍କ ସାମ୍ବାଦିକ ସମ୍ମିଳନୀ‌ ଚାଲିଥିବାବେଳେ ବିଶ୍ବଶର୍ମା ତାଙ୍କ ୨୦୧୩ ପାକିସ୍ତାନ ଗସ୍ତ ଉପରେ ପ୍ରଶ୍ନ ଉଠାଇଥିଲେ। ପାକିସ୍ତାନ ତାଙ୍କୁ ଲାହୋର, କରାଚି ଓ ଇସଲାମାବାଦ ଯିବା ପାଇଁ ଭିସା ଜାରି କରିଥିବାବେଳେ ସେ କିପରି ରାୱଲପିଣ୍ଡିରେ ଥିବା ତକ୍ଷଶିଳା ବୁଲିବାକୁ ଯାଇଥିଲେ ବୋଲି ପ୍ରଶ୍ନ କରିଥିଲେ। ରାୱଲପିଣ୍ଡିରେ ପାକିସ୍ତାନ ସେନା ଜେନେରାଲ ହେଡକ୍ବାର୍ଟର ରହିଛି। ଏହା ଜାତୀୟ ସୁରକ୍ଷା ପ୍ରସଙ୍ଗ ହୋଇଥିବାବେଳେ ଗୋଗୋଇଙ୍କ ଯାତ୍ରା ପାଇଁ କିଏ ଅନୁମତି ଦେଇଥିଲେ ବୋଲି ବିଶ୍ବଶର୍ମା ପ୍ରଶ୍ନ କରିଥିଲେ।

ଅନ୍ୟପକ୍ଷରେ ଗୋଗୋଇ କହିଛନ୍ତି, ବିଶ୍ବଶର୍ମାଙ୍କ ପରିବାର ୧୨,୦୦୦ ବିଘା ଜମି ଜବରଦଖଲରେ ରଖିଥିବା ନେଇ ବିବାଦରୁ ଦୃଷ୍ଟି ହଟେଇବାକୁ ଏହି ଷଡ଼୍‌ଯନ୍ତ୍ର ରଚିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଆସାମ କଂଗ୍ରେସ ସଭାପତି ଗୋଗୋଇ କହିଛନ୍ତି, ଏସ୍ଆଇଟି ତଦନ୍ତରେ ତାଙ୍କର ପାକିସ୍ତାନ ଲିଙ୍କ୍ ନେଇ କୌଣସି ତଥ୍ୟ ନ ମିଳିବାରୁ ଏହାକୁ ଛଅମାସ ହେଲା ସରକାର ଚାପି ରଖିଥିଲେ। ଯଦି ଜାତୀୟ ସୁରକ୍ଷା କଥା ରହିଛି ତା’ହେଲେ ଛଅ ମାସ ହେଲା କାହିଁକି ସରକାର ଏହାକୁ ସେ ଚାପି ରଖିଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ରାଜ୍ୟରେ କଂଗ୍ରେସ ପାର୍ଟିର ଲୋକପ୍ରିୟତା ବଢ଼ୁଥିବାରୁ ବିଶ୍ବଶର୍ମା ଏପରି ସାମ୍ବାଦିକ ସମ୍ମିଳନୀ କରି ମିଥ୍ୟା ଆରୋପ ଲଗାଇଛନ୍ତି ବୋଲି ଗୋଗୋଇ କହିବାକୁ ପଛାଇ ନ ଥିଲେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button