ମନୋରଞ୍ଜନ

Excellent demonstration: କର୍ମଫଳ ତତ୍ତ୍ବର ଉତ୍କୃଷ୍ଟ ନିଦର୍ଶନ

ନୈତିକତାକୁ ନେଇ ସବୁଠାରୁ ଅଧିକ ଦ୍ବନ୍ଦ୍ବରେ ଥାଆନ୍ତି ସାଧାରଣ ମଣିଷମାନେ। ଅନ୍ୟାୟର ଶରବ୍ୟ ହେଲେ ବି, ନ୍ୟାୟାଳୟର ବିଚାର ନିରାଶ କଲେ ବି ସେମାନେ ନିଜର ଆତ୍ମାକୁ ପାପ ଠାରୁ ଦୂରେଇ ରଖିବାକୁ ଯଥାସାଧ୍ୟ ଉଦ୍ୟମ କରନ୍ତି।

ନୈତିକତାକୁ ନେଇ ସବୁଠାରୁ ଅଧିକ ଦ୍ବନ୍ଦ୍ବରେ ଥାଆନ୍ତି ସାଧାରଣ ମଣିଷମାନେ। ଅନ୍ୟାୟର ଶରବ୍ୟ ହେଲେ ବି, ନ୍ୟାୟାଳୟର ବିଚାର ନିରାଶ କଲେ ବି ସେମାନେ ନିଜର ଆତ୍ମାକୁ ପାପ ଠାରୁ ଦୂରେଇ ରଖିବାକୁ ଯଥାସାଧ୍ୟ ଉଦ୍ୟମ କରନ୍ତି। କିନ୍ତୁ ସେମାେନ ଏକ ବିଶାଳ ବ୍ୟବସ୍ଥାର ଛୋଟଛୋଟ ପିଆଦା ବୋଲି ସମୟ ସମୟରେ ମନେ ପକାଇଦିଅନ୍ତି କ୍ଷମତାଧାରୀ ଲୋକମାନେ। ତେବେ ସାଧାରଣ ମଣିଷଟିଏ ଯଦି ନ୍ୟାୟ ପାଇଁ ଜଣେ ରାକ୍ଷସକୁ ହତ୍ୟା କରେ ତେବେ ଦର୍ଶକ ବି ଦ୍ବନ୍ଦ୍ବରେ ପଡ଼ିଯାଏ- ଅପରାଧ ଯେତେ ବଡ଼ ହେଲେ ବି ହତ୍ୟା କ’ଣ ଯଥାର୍ଥ?

‘ବଧ ୨’ ଚଳଚ୍ଚିତ୍ରକୁ ଗୋଟିଏ ଦୃଷ୍ଟିରୁ ‘ଦୃଶ୍ୟମ୍‌’ ସହିତ ତୁଳନା କରାଯାଇପାରେ। କୁକର୍ମକୁ ରୋକିବାକୁ ଯାଇ ଜଣକୁ ହତ୍ୟା କରିବା ଏବଂ ତଦନ୍ତକାରୀ ପୁଲିସଠାରୁ ନିଜ ଲୋକଙ୍କୁ ରକ୍ଷା କରିବାର ରୋମାଞ୍ଚକର କାହାଣୀ ଦୁଇଟିଯାକ ଚଳଚ୍ଚିତ୍ରରେ ଅଛି। କିନ୍ତୁ ଚଳଚ୍ଚିତ୍ରଟି ଗତିଶୀଳ ହେବା ସହିତ ହଲିଉଡ୍‌ ଚଳଚ୍ଚିତ୍ର ‘ସୋସାଙ୍କ୍‌ ରିଡମ୍ପସନ୍’ କଥା ମନେ ପକାଇଦେଲା। ସିନେମା ଆରମ୍ଭ ହୁଏ ଆଜୀବନ କାରାଦଣ୍ଡ ଭୋଗୁଥିବା ମଞ୍ଜୁ(ନୀନା ଗୁପ୍ତା) ଓ ଜେଲ୍‌ କର୍ମଚାରୀ ଶମ୍ଭୁନାଥ(ସଞ୍ଜୟ ମିଶ୍ର)ଙ୍କ ମଧ୍ୟରେ ବାର୍ତ୍ତାଳାପର ଏକ ଦୃଶ୍ୟରୁ। ପୁରୁଷ ଓ ମହିଳା ଜେଲ୍‌ ଭିତରେ ଥିବା ପାଚେରିର ଗୋଟିଏ ପଟେ ମଞ୍ଜୁ ଏବଂ ଅନ୍ୟ ପଟେ ଶମ୍ଭୁନାଥ ବସି କଥା ହେଉଛନ୍ତି। ଦୁଇଜଣଙ୍କୁ ହତ୍ୟା ଦୋଷରେ ୨୮ ବର୍ଷ ଜେଲ୍‌ରେ ବିତାଇ ସାରିଥିବା ମଞ୍ଜୁ ଶୀଘ୍ର ଜେଲ୍‌ରୁ ବାହାରିବାକୁ ଯାଉଛନ୍ତି, କିନ୍ତୁ ସେ ଜେଲ୍‌ ବାହାରର ଜୀବନ କଥା ଭାବି ଉଦ୍‌ବେଗଗ୍ରସ୍ତ। ଶମ୍ଭୁନାଥ ତାଙ୍କୁ ଆଶ୍ବାସନ ଦେଉଛନ୍ତି।

ଏହା ପରେ ନୂଆ ଜେଲ୍‌ ସୁପରିଣ୍ଟେଣ୍ଡେଣ୍ଟ ଭାବେ ଆସନ୍ତି ପ୍ରକାଶ ସିଂହ(କୁମୁଦ ମିଶ୍ର), ଯିଏ ଜଣେ ଜାତିବାଦୀ ବ୍ୟକ୍ତି। ନିଜର କର୍ତ୍ତୃତ୍ବ ଜାହିର କରିବା ପାଇଁ ସେ ଜେଲ୍‌ରେ କେଶବ (ଜଣେ ପ୍ରଭାବଶାଳୀ ନେତାଙ୍କ ସମ୍ପର୍କୀୟ, ଯାହାର ଆଚରଣ ଦାନବ ଠାରୁ କମ୍ ନୁହେଁ) ନାମକ ଅନ୍ତେବାସୀକୁ ମାଡ଼ ମାରି ଲହୁଲୁହାଣ କରୁଛନ୍ତି। ସେଦିନ ରାତିରେ ହିଁ କେଶବ ଜେଲ୍‌ରୁ ଉଭାନ ହୋଇଯାଉଛି। ତା’ ପରେ ଅତୀତ ସିଂହ(ଅମିତ କେ. ସିଂହ) ଆସି ଏହାର ତଦନ୍ତ କରୁଛନ୍ତି। ତଦନ୍ତ ପ୍ରକ୍ରିୟା ଆରମ୍ଭରେ ଅତୀତ ଖଳନାୟକ ମନେ ହେଉଛନ୍ତି ତ ପ୍ରକାଶ ନାୟକସମ ଆଚରଣ ପ୍ରଦର୍ଶନ କରୁଛନ୍ତି। କିନ୍ତୁ କ୍ରମେ ନାୟକ ଓ ଖଳନାୟକ କିପରି ନିଜର ସ୍ଥାନ ବଦଳାଉଛନ୍ତି ତାହା ଏହି ଚଳଚ୍ଚିତ୍ରର ଅନ୍ୟ ଏକ ରୋଚକ ଦିଗ।

ଖୁବ୍ ଚତୁରତାର ସହିତ ରଚିତ ଏହାର ଚିତ୍ରନାଟ୍ୟ ଦର୍ଶକ ପାଇଁ ସ୍ପଷ୍ଟ କରିଦେଉଛି ଯେ କାହାର ହତ୍ୟା ହେଉଛି ଏବଂ ତା’ ପଛରେ କିଏ ଅଛି। ତେବେ ତଦନ୍ତକାରୀ ଅଧିକାରୀ ଅତୀତ ସିଂହଙ୍କ ସହିତ ଶମ୍ଭୁନାଥଙ୍କ ଛକାପଞ୍ଝା ଶେଷ ପର୍ଯ୍ୟନ୍ତ ଜାରି ରହି ମନରେ ହତ୍ୟାର କାରଣ ଓ ପରିଣାମ ନେଇ ଜିଜ୍ଞାସାକୁ ଜାଗ୍ରତ କରି ରଖୁଛି। ଶେଷ ଭାଗରେ ସବୁଠାରୁ ରୋମାଞ୍ଚକର ମୋଡ଼ ଆସୁଛି, ଯାହା କର୍ମଫଳ ତତ୍ତ୍ବକୁ ନିଖୁଣ ଭାବେ ପ୍ରତିପାଦିତ କରିଛି।

ନିର୍ଦେଶକ ଯଶପାଲ ସିଂହ ସାନ୍ଧୁ ‘ବଧ’ ଚଳଚ୍ଚିତ୍ରର ଭାବନାକୁ ଅବ୍ୟାହତ ରଖି ତାହାର ଦ୍ବିତୀୟ ଭାଗ ନିର୍ମାଣ କରିଛନ୍ତି। ‘ବଧ’ ଓ ‘ବଧ ୨’ର ମୁଖ୍ୟ ଚରିତ୍ରମାନଙ୍କ ନାମ ଓ ଅଭିନେତାମାନେ ସମାନ, କିନ୍ତୁ ସେମାନଙ୍କ କାହାଣୀ ଅଲଗା। ତେଣୁ ‘ବଧ’ ଦେଖି ନଥିବା ଦର୍ଶକ ମଧ୍ୟ ‘ବଧ ୨’ ଦେଖିବାରେ କୌଣସି ସମସ୍ୟା ନାହିଁ। ହୃଦୟସ୍ପର୍ଶୀ ସଞ୍ଜୟ-ନୀନା ଯୋଡ଼ି ବ୍ୟତୀତ କୁମୁଦ ମିଶ୍ର ଓ ଅମିତ ସିଂହ ମଧ୍ୟ ପ୍ରଭାବଶାଳୀ ଅଭିନୟ କରିଛନ୍ତି। ପୃଷ୍ଠଭୂମି ସଂଗୀତ ଓ ସିନେମାଟୋଗ୍ରାଫି ସମ୍ପର୍କରେ ମଧ୍ୟ କୌଣସି ଅଭିଯୋଗ ନାହିଁ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button