Breaking News

ଅହଙ୍କାରଠାରୁ ଦୂରେଇ ରହିଲେ ସୁସ୍ଥ ସମାଜ ଗଠନ ସମ୍ଭବ: ସୌମ୍ୟରଂଜନ

ଆଜିର ମଣିଷ ଆତ୍ମଗର୍ବୀ ଓ ଅହଙ୍କାରୀ ହୋଇଯାଉଛି। ଏହି ଅହଙ୍କାର ଆମମାନଙ୍କୁ ନଷ୍ଟଭ୍ରଷ୍ଟ କରିଦେଉଛି। ଅହଙ୍କାରଠାରୁ ଦୂରେଇ ରହିଲେ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ। ଯଦି ଅହଙ୍କାର ମଧୁର ହୁଏ, ତେବେ ତାହା କ୍ଷତିକାରକ ହେବନାହିଁ...

ଚଣ୍ଡିଖୋଲ/ବାଲିକୁଦା: ଆଜିର ମଣିଷ ଆତ୍ମଗର୍ବୀ ଓ ଅହଙ୍କାରୀ ହୋଇଯାଉଛି। ଏହି ଅହଙ୍କାର ଆମମାନଙ୍କୁ ନଷ୍ଟଭ୍ରଷ୍ଟ କରିଦେଉଛି। ଅହଙ୍କାରଠାରୁ ଦୂରେଇ ରହିଲେ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ। ଯଦି ଅହଙ୍କାର ମଧୁର ହୁଏ, ତେବେ ତାହା କ୍ଷତିକାରକ ହେବନାହିଁ ବୋଲି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି। ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍‌ ଅନ୍ତର୍ଗତ ରଇପୁରସ୍ଥିତ ଯୁଗାନ୍ତର ସାଂସ୍କୃତିକ ପରିଷଦର ୪୬ତମ ବାର୍ଷିକ ଉତ୍ସବ ଓ ବିଦଗ୍ଧକବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ଜୟନ୍ତୀ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ କହିଥିଲେ, ଅହଙ୍କାର ସହିତ କ୍ଷମତାର ବଶବର୍ତ୍ତୀ ହୋଇ ଏବେ ସମ୍ବର୍ଦ୍ଧନା ପ୍ରଦାନ କରାଯାଉଛି। ପ୍ରକୃତ ଜ୍ଞାନୀଗୁଣୀ ଓ ପ୍ରତିଭାଧର ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧନା ଦିଆଯିବା ଉଚିତ। ଏଥିପ୍ରତି ଯୁଗାନ୍ତର ସାଂସ୍କୃତିକ ଅନୁଷ୍ଠାନ ସହିତ ଅନ୍ୟ ସାହିତ୍ୟ ଅନୁଷ୍ଠାନ ସ୍ୱର ଉତ୍ତୋଳନ କରିବାକୁ ସେ ଆହ୍ୱାନ ଦେଇଥିଲେ। ସଂସ୍କୃତି କାହାକୁ କୁହାଯାଏ, ଏହାର ପରିଭାଷା ଆମେ କହିପାରିବା ନାହିଁ। ତେବେ ସୁନ୍ଦର ଜିନିଷ ତିଆରି କରିବା ହେଲା ସଂସ୍କୃତି, ଆଉ ଏକାଠି ରହିବା ହେଉଛି ସଭ୍ୟତା ବୋଲି ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଥିଲେ।

ଯୁଗାନ୍ତର ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ

ମୁଖ୍ୟବକ୍ତା ଭାବେ ଡାକ୍ତର ଆଶୁତୋଷ ମିଶ୍ର ଯୋଗ ଦେଇ ବିଦଗ୍ଧକବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରି କହିଲେ ଯେ କବିଙ୍କ ‘ବିଦଗ୍ଧ ଚିନ୍ତାମଣି’ ନ ପଢ଼ିଲେ କୃଷ୍ଣରସ ପ୍ରାପ୍ତ ହେବ ନାହିଁ। ଅଭିମନ୍ୟୁ ସାମନ୍ତସିଂହାରଙ୍କ ରଚିତ ପ୍ରତ୍ୟେକଟି କାବ୍ୟଗ୍ରନ୍ଥ କୃଷ୍ଣ ପ୍ରେମରେ ଉବୁଟୁବୁ ହୋଇଛି। କେବଳ ଓଡ଼ିଶା ନୁହେଁ, ତାଙ୍କର କୃତି ସାରା ଦେଶରେ ବିଚ୍ଛୁରିତ। ତାଙ୍କ କାବ୍ୟ ରଚନା ଶୈଳୀ ନିଆରା ବୋଲି ସେ କହିଥିଲେ। ଏହି ଅବସରରେ ବିଶିଷ୍ଟ ପ୍ରବକ୍ତା ପ୍ରଫେସର ମନୋରଞ୍ଜନ ମହାନ୍ତିଙ୍କୁ ଯୁଗାନ୍ତର ସମ୍ମାନ, ପଣ୍ଡିତ ହରମୋହନ ଖୁଣ୍ଟିଆଙ୍କୁ ଯୁଗାନ୍ତର କଳା ସମ୍ମାନ, ଡାକ୍ତର ଆଶୁତୋଷ ମିଶ୍ରଙ୍କୁ ସଂଗ୍ରାମୀ ଦୁର୍ଯ୍ୟୋଧନ ମହାପାତ୍ର ସ୍ମୃତି ସମ୍ମାନ, ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଫେସର ଅନସୂୟା ନାଥଙ୍କୁ ସଂଗ୍ରାମୀ ବିଚିତ୍ରାନନ୍ଦ ରାୟ ସ୍ମୃତି ସମ୍ମାନ, ଇଂ. ସଚ୍ଚିଦାନନ୍ଦ ନାୟକଙ୍କୁ ସଂଗ୍ରାମୀ ଅଭିମନ୍ୟୁ ମହାପାତ୍ର ସ୍ମୃତି ସମ୍ମାନ, ଡ. ହିମାଂଶୁ ଶେଖର ବିଶ୍ୱାଳଙ୍କୁ ଶିକ୍ଷାବିତ୍‌ ନବଘନ ଜେନା ସ୍ମୃତି ସମ୍ମାନ, ନାଟ୍ୟକାର କୈଳାସ ଚନ୍ଦ୍ର ବେହେରାଙ୍କୁ ଅନନ୍ତ କିଶୋର ନାଟ୍ୟ ସମ୍ମାନ, ଶିକ୍ଷାବିତ୍‌ ଦିଗମ୍ବର ସାହୁଙ୍କୁ ଶିକ୍ଷାବିତ୍‌ ଭଜହରି ମହାପାତ୍ର ସ୍ମୃତି ସମ୍ମାନ, ପ୍ରାଧ୍ୟାପକ ଡ. ଶରତ ଚନ୍ଦ୍ର ସାହୁଙ୍କୁ ଶିକ୍ଷାବିତ୍‌ ହୃଦାନନ୍ଦ ଦାସ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା। ୨୦୨୪ ମାଟ୍ରିକ ପରୀକ୍ଷାରେ ଆଞ୍ଚଳିକସ୍ତରରେ ସର୍ବାଧିକ ନମ୍ବର ରଖିଥିବା କୃତୀ ଛାତ୍ରଛାତ୍ରୀ ବିଶ୍ୱଜିତ ଖୁଣ୍ଟିଆ, ଅଙ୍କିତ ଜେନା, ସାଇଶ୍ରୀ ତ୍ରିପାଠୀ, ପ୍ରିୟରଞ୍ଜନ ନାୟକ, ଦେବଦତ୍ତ ସାହୁ, ବ୍ରହ୍ମୋତ୍ରୀ ମଲ୍ଲିକ, ମୋନାଲିସା ପାତ୍ର ଓ କ୍ରୀଡ଼ା ପାଇଁ ଦିବ୍ୟାଙ୍ଗ ଦମୟନ୍ତୀ ଓଝା ଓ ସୋନାଲି ଓଝାଙ୍କୁ ପୁରସ୍କୃତ କରାଯାଇଥିଲା। ସୁଶ୍ରୀ ସଂଗୀତା ଦେଓ ସମ୍ବର୍ଦ୍ଧିତ ପ୍ରତିଭାଙ୍କୁ ମଞ୍ଚକୁ ନିମନ୍ତ୍ରଣ କରିଥିଲେ। ପରିଷଦର ସଭାପତି ଶିକ୍ଷାବିତ୍‌ କିଶୋର ଚନ୍ଦ୍ର ଦାଶ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ। ସମ୍ପାଦକ ଡ. ଭାଗ୍ୟଧର ସାହୁ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ। ଉପସଭାପତି ଶିକ୍ଷାବିତ୍‌ ଉମାକାନ୍ତ ବଳ ବିବରଣୀ ପାଠ କରିଥିବାବେଳେ ଶିକ୍ଷାବିତ୍‌ ବିଧାନଚନ୍ଦ୍ର ସାମଲ ଧନ୍ୟବାଦ ଦେଇଥିଲେ। ପ୍ରାରମ୍ଭରେ ସାଇ ଦିବ୍ୟାଶୀ ସାମଲ ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ।

 

 

 

 

 

ସୌଜନ୍ୟ- ସମ୍ୱାଦ

Comments are closed.