ଦେଶ ବିଦେଶ

RSF: ଜାତିସଂଘ ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ: ୩ ଦିନରେ ୬,୦୦୦ ଲୋକଙ୍କୁ ହତ୍ୟା କରିଥିଲା ଆର୍‌ଏସ୍‌ଏଫ୍‌

କାଇରୋ: ସୁଦାନର ଦାରଫୁର ଅଞ୍ଚଳରେ ମାନବିକତାର ସବୁ ସୀମା ଲଙ୍ଘିଛି ଅର୍ଦ୍ଧସାମରିକ ବାହିନୀ ‘ରାପିଡ୍ ସପୋର୍ଟ ଫୋର୍ସେସ୍’ (ଆର୍‌ଏସ୍‌ଏଫ)। ଅକ୍ଟୋବର ଶେଷ ସପ୍ତାହରେ ମାତ୍ର ତିନି ଦିନ ମଧ୍ୟରେ ଏହି ସଶସ୍ତ୍ର ଗୋଷ୍ଠୀ ୬,୦୦୦ରୁ ଅଧିକ ସାଧାରଣ ନାଗରିକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିବା ମିଳିତ ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି। ଜାତିସଂଘ ଏହାକୁ ଅତ୍ୟନ୍ତ ଭୟଙ୍କର ଏବଂ ନୃଶଂସ ହିଂସାକାଣ୍ଡ ବୋଲି ବର୍ଣ୍ଣନା କରିଛି।

ଜାତିସଂଘ ମାନବାଧିକାର କାର୍ଯ୍ୟାଳୟ (ଓଏଚ୍‌ସିଏସ୍‌ଆର୍‌) ପକ୍ଷରୁ ଜାରି କରାଯାଇଥିବା ୨୯ ପୃଷ୍ଠାର ଏହି ରିପୋର୍ଟ ଅନୁଯାୟୀ, ଦାରଫୁରର ପ୍ରମୁଖ ସହର ‘ଏଲ୍-ଫାସେର୍୩ ଦଖଲ କରିବା ପାଇଁ ଆର୍‌ଏସ୍‌ଏଫ ପକ୍ଷରୁ ଚାଲିଥିବା ଆକ୍ରମଣ ସମୟରେ ବ୍ୟାପକ ଯୁଦ୍ଧ ଅପରାଧ ସଂଘଟିତ ହୋଇଛି। ଗତ ଅକ୍ଟୋବର ୨୬ ତାରିଖରେ ଏହି ସହରକୁ ଦଖଲ କରିବା ପରେ ଆର୍‌ଏସ୍‌ଏଫ୍‌ ଏବଂ ସେମାନଙ୍କ ସହଯୋଗୀ ଆରବ ମିଲିସିଆ (ଜାଞ୍ଜାୱିଡ୍) ସମଗ୍ର ସହରରେ ଆତଙ୍କ ଖେଳାଇ ଦେଇଥିଲେ।

ଜାତିସଂଘର ମାନବାଧିକାର ହାଇକମିସନର ଭୋଲକର୍ ତୁର୍କ କହିଛନ୍ତି ଯେ, ଏହି ନରସଂହାର ମାନବିକତା ବିରୋଧରେ ଏକ ବଡ଼ ଅପରାଧ। ରିପୋର୍ଟରେ ସାମୂହିକ ହତ୍ୟାକାଣ୍ଡ, ଯୌନ ନିର୍ଯାତନା, ବର୍ବରତା ଏବଂ ଲୋକଙ୍କୁ ଗାଏବ କରିଦେବା ଭଳି ସଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ଅନେକ କ୍ଷେତ୍ରରେ ନିର୍ଦ୍ଦିଷ୍ଟ ଜାତି କିମ୍ବା ଗୋଷ୍ଠୀକୁ ଟାର୍ଗେଟ୍ କରି ଏହି ଆକ୍ରମଣ କରାଯାଇଥିଲା।

ସୂଚନାଯୋଗ୍ୟ, ସୁଦାନ ସେନା ଏବଂ ଆର୍‌ଏସ୍‌ଏଫ ମଧ୍ୟରେ ଦୀର୍ଘ ୧୮ ମାସର ସଂଘର୍ଷ ପରେ ଦାରଫୁରରେ ସେନାର ଶେଷ ଦୁର୍ଗ କୁହାଯାଉଥିବା ଏଲ୍-ଫାସେର୍ ସହରଟି ଏବେ ଅର୍ଦ୍ଧସାମରିକ ଗୋଷ୍ଠୀ ହାତକୁ ଚାଲିଯାଇଛି। ଏହି ଗୃହଯୁଦ୍ଧ ଯୋଗୁଁ ଲକ୍ଷ ଲକ୍ଷ ଲୋକ ବାସହରା ହୋଇଥିବା ବେଳେ ଅନ୍ତର୍ଜାତୀୟ ସମୁଦାୟ ଏହାକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button