ବିଶେଷ

Tanya Nathan: ଶୁଭେଚ୍ଛା ତାନ୍ୟା ନାଥନ୍‌

ପ୍ରଥମ ଦୃଷ୍ଟିବାଧିତ ବିଚାରପତି ଭାବରେ କେରଳର ୨୪ ବର୍ଷ ବୟସ୍କା ତାନ୍ୟା ନାଥନ୍‌ ଏବେ ସାରା ଭାରତରେ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହାପୂର୍ବରୁ ସେ ଦେଢ଼ ବର୍ଷରୁ ଅଧିକ ସମୟ କେରଳର ଥାଲିପରମ୍ବା....

ପ୍ରଥମ ଦୃଷ୍ଟିବାଧିତ ବିଚାରପତି ଭାବରେ କେରଳର ୨୪ ବର୍ଷ ବୟସ୍କା ତାନ୍ୟା ନାଥନ୍‌ ଏବେ ସାରା ଭାରତରେ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହାପୂର୍ବରୁ ସେ ଦେଢ଼ ବର୍ଷରୁ ଅଧିକ ସମୟ କେରଳର ଥାଲିପରମ୍ବା କୋର୍ଟରେ କେ. ସୁନୀଲ କୁମାରଙ୍କ ଅଧିନରେ ଉଭୟ ସିଭିଲ୍ ଓ କ୍ରିମିନାଲ୍‌ କେସ୍‌ରେ କନିଷ୍ଠ ସହକର୍ମୀ ଭାବରେ କାର୍ଯ୍ୟ କରୁଥିଲେ। ଦଶମ ଶ୍ରେଣୀରେ ପଢ଼ୁଥିଲାବେଳୁ ତାନ୍ୟାଙ୍କର ଆଇନ ଶିକ୍ଷା କରିବାକୁ ମନଥିଲା।

ସେ ସପ୍ତମ ଶ୍ରେଣୀ ଯାଏ ଦୃଷ୍ଟିହୀନ ବିଦ୍ୟାଳୟରେ ଶିକ୍ଷାଲାଭ କରିଥିଲେ। ପରବର୍ତ୍ତୀ ଶ୍ରେଣୀରେ ବ୍ରେଲ୍‌ ଲିପି ଶିଖିବା ସହ ପଢ଼ା ଜାରି ରଖିଲେ। ତେବେ ଆଇନ ପଢ଼ିଲାବେଳେ ଆବଶ୍ୟକୀୟ ଶିକ୍ଷଣ ସାମଗ୍ରୀ ପାଇବାରେ ବେଶ୍‌ କଷ୍ଟ ହେଲା। କାରଣ ବ୍ରେଲ୍‌ ଲିପିରେ ସେଗୁଡ଼ିକ ଉପଲବ୍ଧ ନ ଥିଲା। ତେଣୁ ସେ ସ୍କ୍ରିନ୍‌ ରିଡିଂ ସଫ୍‌ଟୱେର ବ୍ୟବହାର କରି ଶୁଣିବାକୁ ଅଭ୍ୟାସ କଲେ ଓ ଦରକାରୀ ତଥ୍ୟ ସବୁକୁ ନିଜେ ବ୍ରେଲ୍‌ ଲିପିରେ ଲେଖିଥିଲେ। ତାଙ୍କ ମତରେ ଦଶମଶ୍ରେଣୀ ପର୍ଯ୍ୟନ୍ତ ଦୃଷ୍ଟିବାଧିତମାନଙ୍କ ପାଇଁ ଶିକ୍ଷଣ ସାମଗ୍ରୀ ସହଜଲବ୍ଧ କିନ୍ତୁ ପରବର୍ତ୍ତୀ ଉଚ୍ଚଶିକ୍ଷା ବେଶ୍‌ କଷ୍ଟସାଧ୍ୟ। ଅନେକ ସମୟରେ ଯେଉଁ ବିଷୟବସ୍ତୁକୁ ସାଧାରଣ ଶିକ୍ଷାର୍ଥୀ ଦଶପୃଷ୍ଠା ପଢ଼ିଥାଆନ୍ତି ତାହା ସେମାନଙ୍କୁ ଦଶ ଲାଇନ୍‌ ମିଳେନାହିଁ। ଆଉ ଆଇନଶିକ୍ଷା ପରି ଏକ ବିଶାଳ ଓ ବିବିଧତାପୂର୍ଣ୍ଣ କ୍ଷେତ୍ରରେ ଏଥିପାଇଁ କାହା ପାଖରେ କିଛି ଦାବି କରିବା ମଧ୍ୟ ବୃଥା। ଏଣୁ ବ୍ୟକ୍ତିଗତ ଭାବରେ ସେ ସୋସିଆଲ୍‌ ମିଡିଆ, ଅନ୍‌ଲାଇନ୍‌ ଓ ଶୁଣିକରି ନିଜକୁ ଅପ୍‌ଡେଟ୍‌ କରିଥାଆନ୍ତି।

ଥାଲିପରମ୍ଭାରେ ତାଙ୍କର ସହଯୋଗୀମାନେ ଅନ୍‌ଲାଇନ୍‌ରେ ଉପଲବ୍ଧ ନଥିବା ପୁରୁଣା ନଥିପତ୍ରକୁ ପଢ଼ି, ଶୁଣାଇ ତାଙ୍କୁ ସହାୟତା କରୁଥିଲେ। ୨୦୨୫ ମାର୍ଚ୍ଚରେ ସୁପ୍ରମ୍‌କୋର୍ଟ ଯୁଗାନ୍ତକାରୀ ରାୟ ଦେଲେ ଯେ ଶାରୀରିକ ଅକ୍ଷମତା ନ୍ୟାୟିକ ନିଯୁକ୍ତି କ୍ଷେତ୍ରରେ ପ୍ରତିବନ୍ଧକ ସାଜିପାରିବ ନାହିଁ। ଏହା ଦୃଢ଼ମନା ତାନ୍ୟାଙ୍କୁ ପ୍ରରୋଚିତ କଲା ଏବଂ ସେ ଜୁନ୍‌ ୨୦୨୫ରେ ପ୍ରିଲିମିନାରି ଓ ସେପ୍ଟେମ୍ବରରେ ମୁଖ୍ୟ ପରୀକ୍ଷା ଦେଲେ। ଡିସେମ୍ବର ମାସରେ ସାକ୍ଷାତ୍‌କାର ବୋର୍ଡକୁ ସଫଳତାର ସହ ସାମନା କଲେ। ଫେବ୍ରୁଆରି ପ୍ରଥମ ସପ୍ତାହରେ ବିଚାରପତି ହେବାକୁ ଯୋଗ୍ୟ ବିବେଚିତା ହେଲେ ଏବଂ ଏଠାରେ ଉ‌ଲ୍ଲେଖନୀୟ ଯେ, ଶାରୀରିକ ଅକ୍ଷମତା ବର୍ଗରେ ସେ ପ୍ରଥମ ସ୍ଥାନ ମଧ୍ୟ ଲାଭ କରିଛନ୍ତି। ପରିବାରର ଅକୁଣ୍ଠ ସହଯୋଗ ଓ ନିଜର ଗଭୀର ଆତ୍ମବିଶ୍ବାସ ତାନ୍ୟା ନାଥନ୍‌ଙ୍କୁ ସଫଳ କରିଛି।

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button