
କେନ୍ଦ୍ରାପଡ଼ା: ‘ଲଚ୍ଛମନଜିଉଙ୍କ ଆଶୀର୍ବାଦ ନେଇ ଯେତେବେଳେ ନାମାଙ୍କନ ଦାଖଲ କଲି, ସେତେବେଳେ ଜିତିବି ବୋଲି ଜାଣିଥିଲି। ଆଶା ଥିଲା ୭୦ରୁ ୮୦ହଜାର ଭୋଟରେ ଜିତିବି। କିନ୍ତୁ ଦୁଃଖ ଯେ ଆପଣମାନଙ୍କ ପରିଶ୍ରମରେ ଦଳ ଭିତରର କୁଚକ୍ରୀ ଗୋଷ୍ଠୀ ପାଣି ପକାଇ ଦେଲେ। ସେଥିପାଇଁ ମାତ୍ର ୧୩ ହଜାର ୮୦୦ ଭୋଟରେ ଜିତିଲି। ସା˚ସଦ ପ୍ରାର୍ଥୀ ଅ˚ଶୁମାନ ମହାନ୍ତିଙ୍କୁ ଆଉ କେହି ନୁହେଁ, ଦଳ ହରାଇଦେଲା।’ ଦୁହୁରିଆସ୍ଥିତ ବାସଭବନରେ ଆଜି ଅପରାହ୍ଣରେ ଡେରାବିଶ ବ୍ଲକ୍ସ୍ତରୀୟ କର୍ମୀ ସମ୍ମିଳନୀରେ ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି ବିଜେଡିରୁ ନିଲମ୍ବିତ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର।
ବିଧାୟକ କହିଛନ୍ତି ଯେ ଅ˚ଶୁମାନଙ୍କୁ ମୁଁ ଚକ୍ରାନ୍ତ କରି ହରାଇଦେଲି ବୋଲି କୁହାଗଲା। କିନ୍ତୁ ସତ କଥା ହେଉଛି ସାତଟା ବିଧାନସଭା କ୍ଷେତ୍ର ଭିତରୁ ଛଅଟି ଆସନରେ ଅ˚ଶୁମାନଙ୍କୁ କମ୍ ଭୋଟ ମିଳିଲା। ସବୁଠୁ କମ୍ ଭୋଟ ମହାକାଳପଡ଼ା ନିର୍ବାଚନମଣ୍ଡଳୀରୁ ମିଳିଲା। କେବଳ ରାଜନଗରରୁ ହିଁ ଅ˚ଶୁମାନ ଅଧିକ ଭୋଟ ପାଇଥିଲେ। ତେଣୁ ଅ˚ଶୁମାନଙ୍କୁ ଆଉ କେହି ନୁହେଁ; ବର˚ ଦଳ ହରାଇ ଦେଇଛି। ଡେରାବିଶ ବ୍ଲକ୍ ଜଣଙ୍କର କବ୍ଜାରେ ଥିଲା। ବିଧାୟକ ଭାବେ ଜିତିବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ କବ୍ଜାରୁ ମୁକ୍ତ କରିବା ପ୍ରଥମ କାମ ଥିଲା। ସେହି ବ୍ୟକ୍ତିଜଣକ ଡେରାବିଶ ବ୍ଲକ୍ ଦାୟିତ୍ବ ନେବା କଥା କହିଥିଲେ। ନ ଦେବାରୁ ତାଙ୍କୁ ଭାରି ବାଧିଲା ଏବ˚ ସେ ନିଜଆଡ଼ୁ ଇସ୍ତଫା ଦେଇଦେଲେ। ଯଦିଓ ବିଧାୟକ ଉଦ୍ବୋଧନରେ କାହା ନାଁ ନେଇ ନ ଥିଲେ, କିନ୍ତୁ ସେହି କୁଚକ୍ରୀ ଟିପ୍ପଣୀ ଡେରାବିଶ ବ୍ଲକ୍ ବିଜେଡିର ପୂର୍ବତନ ସଭାପତି ତଥା ବର୍ତ୍ତମାନର ଡେରାବିଶ ପଞ୍ଚାୟତ ସମିତି ଉପାଧୢକ୍ଷ ଦେବାଶିଷ ଆଚାର୍ଯ୍ୟଙ୍କ ଉଦ୍ଦେଶ୍ୟରେ ବୋଲି କର୍ମୀ ମହଲରେ ଆଲୋଚନା ହେଉଛି।
ଗତ ୧୪ତାରିଖରେ ପଲେଇ ପଞ୍ଚାୟତ ପଡ଼ିଆରେ ଅନୁଷ୍ଠିତ ବିଜେଡି କର୍ମୀ ସମାବେଶ ଉପରେ ଟିପ୍ପଣୀ ରଖି ବିଧାୟକ କହିଛନ୍ତି, ଉକ୍ତ ସମାବେଶରେ କେହି ରାଜ୍ୟସ୍ତରୀୟ ନେତା ଆସିଲେ ନାହିଁ। ତାଙ୍କୁ ସାମନା କରିବାକୁ ସାହସ ନ ଥିବାରୁ ସେମାନେ ଆସିଲେ ନାହିଁ। ନିଲମ୍ବନ କାରଣ ସମ୍ପର୍କରେ ଏଯାଏଁ ଉତ୍ତର ଦେଇପାରୁ ନାହାନ୍ତି। ଏହି ଘଟଣା ପରେ କିନ୍ତୁ ସ୍ପଷ୍ଟ ହୋଇଯାଇଛି ଯେ କିଏ ନିଜର ଆଉ କିଏ ପର। ଏହି ଅବସରରେ ଅରବିନ୍ଦ ନିଜ ବିଧାୟକ କାର୍ଯ୍ୟକାଳ ଭିତରେ କରିଥିବା ବିଭିନ୍ନ ଉନ୍ନୟନମୂଳକ କାମର ହିସାବ ଉପସ୍ଥିତ କର୍ମୀଙ୍କୁ ଦେବା ସହିତ ଆଗକୁ ଆହୁରି ବିକାଶମୂଳକ କାମ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସମ୍ମିଳନୀରେ ବରିଷ୍ଠ ସ˚ଗଠକ ମହେନ୍ଦ୍ର ସି˚ହ, ଲକ୍ଷ୍ମୀଧର ମହାପାତ୍ର, ବଟକୃଷ୍ଣ ସାମଲ, ଯୋଗାନନ୍ଦ ମହାନ୍ତି, ସରୋଜକାନ୍ତ ନାୟକ, ମନୋରଞ୍ଜନ ଉପାଧୢାୟ, ଦିଲ୍ଲୀପ ଦାସ, ଭବାନୀ ଓଝାଙ୍କ ସମେତ ଡେରାବିଶ ବ୍ଲକ୍ ଅନ୍ତର୍ଗତ ୨୬ଟି ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଓ ଆଗଧାଡ଼ିର କର୍ମୀ ଉପସ୍ଥିତ ଥିଲେ।
ସୌଜନ୍ୟ ସମ୍ବାଦ




