Literature: କବିତା ‘ଦିନେ’: ଗୀତା ମଞ୍ଜରୀ ମିଶ୍ରଙ୍କ ରଚନାରୁ…
କବିତାରେ ନାରୀର ବେଦନା ଓ ପ୍ରତିବାଦର ସ୍ୱର ଶୁଣିବାକୁ ମିଳେ। ମଶାଣିରୁ ଉଠି ସେ ଦିନେ ତାଙ୍କ ବାପା, ଭାଇ ଓ ସମାଜକୁ ପଚାରିବେ, ତାଙ୍କ ପାଇଁ ସେମାନେ କ’ଣ କରିଛନ୍ତି। କବିତାରେ ଥିବା ପ୍ରତିଟି ଧାଡ଼ି ନାରୀର ଯନ୍ତ୍ରଣାକୁ ପ୍ରତୀକ କରେ। କବିତାଟି ପୁରୁଷତାନ୍ତ୍ରିକ ସମାଜ ବିରୋଧରେ ଏକ ଶକ୍ତିଶାଳୀ ପ୍ରତିବାଦ।

ଦିନେ
ଗୀତା ମଞ୍ଜରୀ ମିଶ୍ର
ଅପେକ୍ଷା କର,
ଦିନେ ମୁଁ-
ମଶାଣି ଭିତରୁ ଧାଇଁ ଆସିବି ପଚାରିବାକୁ
ମୋ ବାପା, ମୋ ଭାଇ
ମୋ ସାଥୀ, ମୋ ହୁକୁମକର୍ତ୍ତା
ବାହୁରେ ତେଲ ମାଲିସ କରି
ବଳିଷ୍ଠ ମାଂସପେଶୀ
ଅର୍ଜନ କରିଥିବା ପୁରୁଷବର୍ଗ
ମୋ ପାଇଁ କିଏ କ’ଣ କରିଛ?
ଦୁଇଟି ବାଉଁଶ ପୋତି ଦଉଡ଼ି ବାନ୍ଧି
ମୋତେ ବାଉଁଶରାଣୀ କରି
ଉପରେ ଛିଡ଼ା କରିଦେଇଥିଲ।
ମୁଁ
ଏପାଖରୁ ସେପାଖ
ସେପାଖରୁ ଏପାଖ ଦୌଡୁଥିଲି
ପ୍ରାଣ ବିକଳରେ ତଳକୁ ଓହ୍ଲାଇବାର
ବାଟ ଖୋଜୁଥିଲି।
ଭିଡ଼ ଭିତରେ ଲୋକେ ଭାବୁଥିଲେ
ମୁଁ ନାଚୁଛି
ଖେଳ ଦେଖାଉଛି।
କେହି କ’ଣ ମୋ ମୁହଁ, ମୋ ଚେହେରା
ଅବ୍ୟକ୍ତ ଅସହାୟତା ପ୍ରତି
ନଜର ଦେଇଥିଲେ?
ଛିଣ୍ଡା ଜାମା ଭିତରୁ
ସେମାନଙ୍କ ଆଖି କ’ଣ ଖୋଜିବୁଲୁଥିଲା!
ସଉଦା ଉପରେ ସଉଦା ଚାଲିଥାଏ
ତଳେ ବିଛା ହେଇଥିବା କପଡ଼ା ଉପରେ
ଠନ୍-ଠନ୍ ମୁଦ୍ରାର ଶବ୍ଦ!
ମୁଁ କୋଉଠୁ ଶୁଣିପାରିବି?
ଆହୁରି ପଢ଼ନ୍ତୁ-India in talks with 30 nations on AI: ୩୦ ଦେଶର ମନ୍ତ୍ରୀମାନଙ୍କ ସହ ଆଲୋଚନା କରୁଛି ଭାରତ
ଜୋର୍-ଜୋର୍ ଢୋଲ ବାଜି ଚାଲୁଥାଏ,
ଆଉ ମୁଁ
ଅସ୍ତିତ୍ବ ପାଇଁ, ବଞ୍ଚିବା ପାଇଁ
ଦୌଡୁଥାଏ
ଏପାଖରୁ ସେପାଖ
ସେପାଖରୁ ଏ ପାଖ।
ମୋ: ୯୪୩୩୮୯୭୯୨୭
ସୌଜନ୍ୟ ସମ୍ବାଦ




