Breaking News

୨୮ ‌କୋଟିର ଷ୍ଟେସନ୍‌ ଏବେ ଭୂତକୋଠି: ଭୁବନେଶ୍ବର ନ୍ୟୁ ଷ୍ଟେସନ୍‌ର ବିକଳ୍ପ ହୋଇପାରୁ ନାହିଁ

୭ ବର୍ଷ ବିତିଗଲାଣି, ହେଲେ ପ୍ରସ୍ତୁତ ହୋଇପାରୁନି ଭୁବନେଶ୍ବର ନୂଆ ରେଳଷ୍ଟେସନ। ଯାତ୍ରୀ ପ୍ରତୀକ୍ଷାଳୟର ଉନ୍ନତୀକରଣ ହେଉନାହିଁ। ପ୍ଲାଟଫର୍ମରେ ପାନୀୟ ଜଳ ସୁବିଧା ନାହିଁ। ବସିବାକୁ ଭଲ ଚେୟାରର ବ୍ୟବସ୍ଥା ହୋଇନି।

ଚନ୍ଦ୍ରଶେଖରପୁର: ୭ ବର୍ଷ ବିତିଗଲାଣି, ହେଲେ ପ୍ରସ୍ତୁତ ହୋଇପାରୁନି ଭୁବନେଶ୍ବର ନୂଆ ରେଳଷ୍ଟେସନ। ଯାତ୍ରୀ ପ୍ରତୀକ୍ଷାଳୟର ଉନ୍ନତୀକରଣ ହେଉନାହିଁ। ପ୍ଲାଟଫର୍ମରେ ପାନୀୟ ଜଳ ସୁବିଧା ନାହିଁ। ବସିବାକୁ ଭଲ ଚେୟାରର ବ୍ୟବସ୍ଥା ହୋଇନି। ଯାତ୍ରୀଙ୍କ ପାଇଁ ସର୍ବନିମ୍ନ ମୌଳିକ ସୁବିଧା ଉପଲବ୍ଧ ନାହିଁ। ଯାତ୍ରୀ ପ୍ରତୀକ୍ଷାଳୟରେ ଫ୍ୟାନ୍‌ ଚାଲୁନି। ପ୍ଲାଟଫର୍ମକୁ ବିଦ୍ୟୁତ୍‌ ସଂଯୋଗ ହୋଇନାହିଁ। ପ୍ରବେଶପଥରେ ଥିବା ଶୌଚାଳୟରେ ତାଲା ଝୁଲୁଛି। ୨୮କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା ଏହି ଷ୍ଟେସନ ଏବେ ଭୂତକୋଠି ପାଲଟିଛି। ୭ଟି ପ୍ଲାଟଫର୍ମ ସହ ୯ଟି ଟ୍ରାକ୍‌ ରହିଛି। ଦୁଇଟି ରେଲୱେ ଫୁଟଓଭର ବ୍ରିଜ୍‌ ମଧ୍ୟ ନିର୍ମାଣ ହୋଇଛି। ତା’ସତ୍ତ୍ବେ ହାତଗଣତି ‌ଟ୍ରେନ୍‌ ଏଠ‌ାରେ ଅଟକୁଛି। ଯାତ୍ରୀ ଚଢ଼ୁନାହାନ୍ତି କି ଓହ୍ଲାଉ ନାହାନ୍ତି। ପରିଣାମ ସ୍ବରୂପ ଏବେ ଏହି ରେଳ ଷ୍ଟେସନରେ ରେଳ ସେବା ଠପ୍‌ ହେବାକୁ ବସିଲାଣି।

ଭୁବନେଶ୍ବର ନ୍ୟୁ ଷ୍ଟେସନ୍‌ର ବିକଳ୍ପ ହୋଇପାରୁ ନାହିଁ
ରାସ୍ତା ହେଉନି, ଷ୍ଟେସନ୍‌କୁ ଗଡ଼ୁନି ବସ୍‌ କି ଅଟୋ
ଟ୍ରେନ୍‌ରୁ ଓହ୍ଲାଇବା ପରେ ହଟହଟା ହେଉଛନ୍ତି ଯାତ୍ରୀ

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଷ୍ଟେସନର ନବୀକରଣ କରିବାକୁ ୨୦୨୨ରେ ପୂର୍ବତଟ ରେଳପଥର ତତ୍‌କାଳୀନ ମହାପ୍ରବନ୍ଧକ ଅର୍ଚ୍ଚନା ଯୋଶୀ ଗସ୍ତ କରି ସଡ଼କ ଯୋଗାଯୋଗ ସହ ଅନ୍ୟାନ୍ୟ ନିରାପତ୍ତା ଓ ସୁରକ୍ଷା କାର୍ଯ୍ୟ ତ୍ୱରାନ୍ୱିତ ଉପରେ ଗୁରୁତ୍ୱାରୋପ କରିଥିଲେ। ସମୀକ୍ଷା ବୈଠକ ପରେ କୁହାଯାଇଥିଲା ଯେ ଷ୍ଟେସନ୍‌ର ନୂତନ କୋଠାରେ ଉଚ୍ଚସ୍ତରୀୟ ପ୍ଲାଟଫର୍ମ, ଏଫ୍‌ଓବି, ପ୍ଲାଟଫର୍ମ ସେଲ୍ଟର, ୱାଟର ହାଇଡ୍ରାଣ୍ଟ ଆଦି କାର୍ଯ୍ୟ ସରିଛି। ଅପର୍‌ କ୍ଲାସ ୱେଟିଂ ରୁମ୍‌, ସେକେଣ୍ଡ କ୍ଲାସ ୱେଟିଂ ରୁମ୍‌, ଆରଆର, ଡିଆର୍‌, ଭିଆଇପି ଲାଉଞ୍ଜ୍‌, ସିଆଇବି, ଟିଆଇବି, ଅଟୋ ପିଏ ସିଷ୍ଟମ୍‌, ସାଇନ୍‌ଏଜ୍‌ ଆଦି କାର୍ଯ୍ୟ ଖୁବ୍‌ଶୀଘ୍ର ଶେଷ ହେବ। ଷ୍ଟେସନକୁ ସଂଯୋଗକାରୀ ରାସ୍ତା ନିର୍ମାଣ ନେଇ ଆଲୋଚନା ହୋଇଥିଲା। ୨୩ ଲକ୍ଷ ଟଙ୍କା ବ୍ୟୟରେ ଷ୍ଟେସନରେ ଷ୍ଟିଲ୍‌ ବେଞ୍ଚ୍‌ର ବ୍ୟବସ୍ଥା କରାଯିବାକୁ ଯୋଜନା ପ୍ରସ୍ତୁତ ହୋଇଥିଲେ ମଧ୍ୟ ତାହା ଏବେ ସାତସପନ ପାଲଟିଛି। ପ୍ଲାଟଫର୍ମରେ ଯେଉଁ କିଛି ସିମେଣ୍ଟ ଚେୟାର ପଡ଼ିଛି ସେଥିରୁ ପ୍ଲାଷ୍ଟର ଛାଡ଼ିଗଲାଣି। ପ୍ଲାଟଫର୍ମ ଚଟାଣରୁ ଗୋଡ଼ି, ବାଲି, ସିମେଣ୍ଟ ଉଠିଥିବା ବେଳେ ଫୁଟଓଭର ବ୍ରିଜ୍‌ ରାସ୍ତାରେ କୁଢ଼ କୁଢ଼ ଅଳିଆ ଜମା ହୋଇରହିଛି। ଷ୍ଟେସନର ଏଭଳି ସ୍ଥିତିକୁ ନେଇ ପୂର୍ବତଟ ରେଳପଥର ଜଣେ ଅଧିକାରୀ କହିଛନ୍ତି ଯେ ଷ୍ଟେସନ ନିର୍ମାଣ ହୋଇଥିଲେ ମଧ୍ୟ ରାଜ୍ୟ ସରକାର ଆନୁଷଙ୍ଗିକ ସୁବିଧା ଉପଲବ୍ଧ କରାଇ ନାହାନ୍ତି।

ଏହି ଷ୍ଟେସନକୁ ଯୋଗାଯୋଗ ସୁବିଧା ଉପଲବ୍ଧ ହୋଇପାରି ନାହିଁ କିମ୍ବା ନିୟମିତ ଭାବେ ଯାତ୍ରୀବାହୀ ଗାଡ଼ି ଚଳାଚଳ କରୁନି। ସିଟି ବସ୍‌ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଖରେ ରହୁଥିଲେ ମଧ୍ୟ ଏହି ରେଳ ଷ୍ଟେସନ ନିକଟକୁ ଚଳାଚଳ କରୁ ନାହିଁ। ତେଣୁ ଯେଉଁ ଯାତ୍ରୀମାନେ ଏଠାରେ ଓହ୍ଲାଉଛନ୍ତି ସେମାନେ ଯିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏମିତିକି ପାଣି ବୋତଲଟିଏ କିଣିବାକୁ ସେମାନଙ୍କୁ ଦେଢ଼ କିଲୋମିଟର ଯିବାକୁ ପଡ଼ୁଛି। ତେଣୁ ଯାତ୍ରୀମାନେ ଏଠାକୁ ଆସିବା ପରିବର୍ତ୍ତେ ପଟିଆ ଓ ବାରଙ୍ଗ ଷ୍ଟେସନରେ ଟ୍ରେନ୍‌ ଚଢ଼ିବାକୁ ଉଚିତ ମଣୁଛନ୍ତି। ପଟିଆ ଓ ରଘୁନାଥପୁରର ଲୋକେ ମାଷ୍ଟରକ୍ୟାଣ୍ଟିନ୍‌ ରେଳ ଷ୍ଟେସନରେ ଓହ୍ଲାଉଥିଲେ ମଧ୍ୟ ଏଠାରେ ଓହ୍ଲାଇବାକୁ ଉଚିତ ମଣୁନାହାନ୍ତି। ପାସେଞ୍ଜର ଟ୍ରେନ୍‌ ପାଇଁ ଲୋକ ହେଉନଥିବା ବେଳେ ଏକ୍ସପ୍ରେସ୍‌ କିଭଳି ଚାଲିବ ବୋଲି ଅଧିକାରୀ ଜଣକ ପ୍ରଶ୍ନ କରିଛନ୍ତି। ସୂଚନା ଅନୁଯାୟୀ ୨୦୧୮ରେ ରେଳ ଷ୍ଟେସନ ‌ଉଦ୍‌ଘାଟନ ସମୟରେ ୩ ଯୋଡ଼ା ଟ୍ରେନ୍‌ ଏଠାରେ ରହଣି କରିଥିଲା। ପରବର୍ତ୍ତୀ ୮ ମାସ ମଧ୍ୟରେ ଏହି ସଂଖ୍ୟ୍ୟା ୫ ଯୋଡ଼ାରେ ପହଞ୍ଚିଥିଲା। କୋଭିଡ୍‌ ଯୋଗୁଁ ଟ୍ରେନ୍ ସେବା କିଛି ମାସ ପାଇଁ ପ୍ରଭାବିତ ହୋଇଥିଲା। ଏହାପରେ ଟ୍ରେନ୍‌ ରହଣି ସଂଖ୍ୟା ୧୦କୁ ବୃଦ୍ଧି ପାଇଛି। ମାତ୍ର ଆବଶ୍ୟକୀୟ ଭିତ୍ତିଭୂମି ନ ଥିବାରୁ ଯାତ୍ରୀ ଓହ୍ଲାଉ ନାହାନ୍ତି କି ‌ଟ୍ରେନ୍‌ ସଂଖ୍ୟା ବଢ଼ିପାରୁ ନାହିଁ।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.