Breaking News

‘ଟ୍ରାଇ’ର ଡ୍ରାଇଭ୍‌ ଟେଷ୍ଟ: ଭୁବନେଶ୍ବରରେ କଲ୍‌ ଡ୍ରପ୍ ୨% ତଳେ

ରାଜ୍ୟର ରାଜଧାନୀ ଭୁବନେଶ୍ବରରେ ମୋବାଇଲ୍‌ କମ୍ପାନିଗୁଡ଼ିକର କଲ୍‌ ଡ୍ରପ୍ ହାର ନିର୍ଧାରିତ ସୀମା ୨ ପ୍ରତିଶତଠାରୁ କମ୍ ରହିଛି। ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ୨୦୨୪ ଡିସେମ୍ବରରେ କରାଯାଇଥିବା ଡ୍ରାଇଭ୍‌ ଟେଷ୍ଟରୁ ଏହା ଜଣାପଡ଼ିଛି।

ଭୁବନେଶ୍ବର: ରାଜ୍ୟର ରାଜଧାନୀ ଭୁବନେଶ୍ବରରେ ମୋବାଇଲ୍‌ କମ୍ପାନିଗୁଡ଼ିକର କଲ୍‌ ଡ୍ରପ୍ ହାର ନିର୍ଧାରିତ ସୀମା ୨ ପ୍ରତିଶତଠାରୁ କମ୍ ରହିଛି। ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ୨୦୨୪ ଡିସେମ୍ବରରେ କରାଯାଇଥିବା ଡ୍ରାଇଭ୍‌ ଟେଷ୍ଟରୁ ଏହା ଜଣାପଡ଼ିଛି। ଦେଶର କିଛି ନିର୍ଦ୍ଦିଷ୍ଟ ଅଞ୍ଚଳକୁ ନେଇ ଏହି ପରୀକ୍ଷା କରାଯାଇଥିଲା। ସେଥିରୁ ଗୋଟିଏ ଅଞ୍ଚଳ ଥିଲା ଭୁବନେଶ୍ବର ସହର। ଟ୍ରାଇ ଜାରି କରିଥିବା ଟେଷ୍ଟ ଡ୍ରାଇଭ୍ ରିପୋର୍ଟ ଅନୁସାରେ ଭୁବନେଶ୍ବରରେ ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌)ର କଲ୍‌ ଡ୍ରପ୍ ହାର ସର୍ବାଧିକ ୧.୭ ପ୍ରତିଶତ ରହିଛି। କିନ୍ତୁ ଗୁଣାତ୍ମକ ସେବା ଲାଗି ଧାର୍ଯ୍ୟ କରାଯାଇଥିବା ୨ ପ୍ରତିଶତ ମାନଦଣ୍ଡଠାରୁ ତାହା କମ୍। ଏୟାରଟେଲ୍‌ର କଲ୍‌ ଡ୍ରପ୍ ହାର ୦.୧୪ ପ୍ରତିଶତ ଓ ରିଲାଏନ୍ସ ଜିଓର ୦.୯୬ ପ୍ରତିଶତ ରହିଛି। କଲ୍‌ ଡ୍ରପ୍ ରୋକିବାରେ ସବୁଠୁ ଭଲ ପ୍ରଦର୍ଶନ କରିଛି ଭୋଡାଫୋନ୍ ଆଇଡିଆ। ଏହାର କଲ୍‌ ଡ୍ରପ୍ ହାର ଶୂନ ରହିଛି।

ସେହିପରି, ଏୟାରଟେଲ୍‌, ରିଲାଏନ୍ସ ଜିଓ ଓ ଭୋଡାଫୋନ୍ ଆଇଡିଆର ‘କଲ୍‌ ଲାଗିବା ସଫଳତା ହାର’ ଯଥାକ୍ରମେ ୯୯.୪୪ ପ୍ରତିଶତ, ୯୯.୩୨ ପ୍ରତିଶତ ଓ ୧୦୦ ପ୍ରତିଶତ ରହିଛି। ବିଏସ୍‌ଏନ୍‌ଏଲ୍‌ର ଏହି ହାର ୫୧.୫୧ ପ୍ରତିଶତ ଭଳି ଦୁର୍ବଳ ରହିଛି। ଯେତେବେଳେ କୌଣସି ବ୍ୟକ୍ତି ଏକ ନମ୍ବର ଡାଏଲ୍‌ କରନ୍ତି, ତାହା ସଫଳତାର ସହ ଲାଗିବା ହାରକୁ ‘କଲ୍‌ ଲାଗିବା ସଫଳତା ହାର’ କୁହାଯାଉଛି। ସେହିପରି, ଡାଏଲ୍‌ ନମ୍ବରକୁ ‘ଭଏସ୍‌ କଲ୍‌ ଲାଗିବାର ସମୟ’ ବିଏସ୍‌ଏନ୍‌ଏଲ୍‌ରେ ସର୍ବାଧିକ ୨.୭୮ ସେକେଣ୍ଡ ରହିଛି। ତେବେ ଡାଏଲ୍‌ କରିବା ପରେ ଏୟାରଟେଲ୍‌ରେ ୦.୫୧ ସେକେଣ୍ଡ, ରିଲାଏନ୍ସ ଜିଓରେ ୦.୬୦ ସେକେଣ୍ଡ ଓ ଭୋଡାଫୋନ୍ ଆଇଡିଆରେ ୦.୫୦ ସେକେଣ୍ଡରେ କଲ୍‌ ଲାଗିଯାଉଛି।

ଡାଟା ଡାଉନ୍‌ଲୋଡ୍‌ ପ୍ରଦର୍ଶନ ମାନଦଣ୍ଡ କରାଯାଇଥିବା ପରୀକ୍ଷାରୁ ଜଣାପଡ଼ିଛି ଯେ ୩ଜି/୪ଜି ନେଟ୍‌ୱର୍କରେ ପରିଚାଳିତ ହେଉଥିବା ବିଏସ୍‌ଏନ୍‌ଏଲ୍‌ ଓ ଭୋଡାଫୋନ୍‌ ଆଇଡିଆରେ ଡାଉନ୍‌ଲୋଡ୍ ସ୍ପିଡ୍ ଯଥାକ୍ରମେ ୩.୮୬ ଏମ୍‌ବିପିଏସ୍ ଓ ୩୨.୯୯ ଏମ୍‌ବିପିଏସ୍‌ ରହିଛି। ୪ଜି/୫ଜି ନେଟ୍‌ୱର୍କରେ ସେବା ପ୍ରଦାନ କରୁଥିବା ଏୟାରଟେଲ୍‌ ଓ ଜିଓର ଡାଟା ଡାଉନ୍‌ଲୋଡ୍‌ ସ୍ପିଡ୍‌ ଯଥାକ୍ରମେ ୧୫୧.୬୫ ଏମ୍‌ବିପିଏସ୍ ଓ ୨୩୬.୮୩ ଏମ୍‌ବିପିଏସ୍ ରହିଛି। ସେହିପରି, ବିଏସ୍‌ଏନ୍‌ଏଲ୍‌ ଓ ଭୋଡାଫୋନ୍ ଆଇଡିଆର ଡାଟା ଅପ୍‌ଲୋଡ୍‌ ସ୍ପିଡ୍ ଯଥାକ୍ରମେ ୪.୨୭ ଏମ୍‌ବିପିଏସ୍ ଓ ୧୮.୮୭ ଏମ୍‌ବିପିଏସ୍ ଥିବା ବେଳେ ଏୟାରଟେଲ୍‌ ଓ ଜିଓର ଯଥାକ୍ରମେ ୩୦.୭୮ ଏମ୍‌ବିପିଏସ୍ ଓ ୨୦.୪୯ ଏମ୍‌ବିପିଏସ୍ ରହିଛି।

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.