Life mantra: ଜୀବନ-ମନ୍ତ୍ର: ହାତୀ ଭଗବାନ ଓ ମାହୁନ୍ତ ଭଗବାନ
ଫେବ୍ରୁଆରି ମାସର ୧୮ ତାରିଖ ରାମକୃଷ୍ଣ ପରମହଂସଙ୍କର ଶୁଭ ଆବିର୍ଭାବ ଦିବସ। ବଙ୍ଗ ପ୍ରଦେଶର ହୁଗୁଳି ଜିଲା ଅନ୍ତର୍ଗତ କାମାରପୁକୁରଠାରେ ୧୮୩୬ ମସିହାରେ ସେ ଜନ୍ମଗ୍ରହଣ କରିଥିଲେ। ସେ ଭାରତର ଜଣେ ମହାନ ସନ୍ଥ ଭାବରେ ସୁଖ୍ୟାତ।

ଫେବ୍ରୁଆରି ମାସର ୧୮ ତାରିଖ ରାମକୃଷ୍ଣ ପରମହଂସଙ୍କର ଶୁଭ ଆବିର୍ଭାବ ଦିବସ। ବଙ୍ଗ ପ୍ରଦେଶର ହୁଗୁଳି ଜିଲା ଅନ୍ତର୍ଗତ କାମାରପୁକୁରଠାରେ ୧୮୩୬ ମସିହାରେ ସେ ଜନ୍ମଗ୍ରହଣ କରିଥିଲେ। ସେ ଭାରତର ଜଣେ ମହାନ ସନ୍ଥ ଭାବରେ ସୁଖ୍ୟାତ। ତାଙ୍କର ବାଣୀ ‘ରାମକୃଷ୍ଣ କଥାମୃତ’ ନାମରେ ସଂକଳିତ ହୋଇ ଶହ ଶହ ବର୍ଷ ଧରି ଅଗଣିତ ଲୋକଙ୍କୁ ଜୀବନ-ମାର୍ଗ ପ୍ରଦର୍ଶନ କରି ଆସୁଛି। ନରେନ୍ଦ୍ର ଓରଫ୍ ସ୍ବାମୀ ବିବେକାନନ୍ଦ ତାଙ୍କର ଶିଷ୍ୟମାନଙ୍କ ମଧ୍ୟରେ ପ୍ରମୁଖ। ଓଡ଼ିଆରେ ଗୋଟିଏ ଲୋକପ୍ରିୟ ଉକ୍ତି ଅଛି–ଯିଏ ହାତୀ ଚଢ଼ି ଯାଉଥାଏ, ସେ କୁକୁର ଭୁକିବାକୁ ଖାତର କରେ ନାହିଁ। ନରେନ୍ଦ୍ରଙ୍କର ମଧ୍ୟ ସେହି ଧାରଣା ଥିଲା। ମାତ୍ର ରାମକୃଷ୍ଣ ପରମହଂସ ହସି ହସି ତାଙ୍କୁ ତାହାର ସୁନ୍ଦର ଉତ୍ତର ଦେଇଥିଲେ। ସେ କହିଥିଲେ- ମନେରଖ ଯେ ଭଗବାନ ସମସ୍ତଙ୍କ ହୃଦୟରେ ଅଛନ୍ତି। କିନ୍ତୁ ସେମାନଙ୍କ ଭିତରେ ଭଲଲୋକ ଓ ଖରାପ ଲୋକ ଅଛନ୍ତି। ତୁମର କର୍ତ୍ତବ୍ୟ, ତୁମେ ଭଲ ଲୋକଙ୍କ ସହ ସଂପର୍କ ରଖିବ। ଖରାପ ଲୋକଙ୍କଠାରୁ ଦୂରରେ ରହିବ। ବାଘ ଭିତରେ ଭଗବାନ ଅଛନ୍ତି ଭାବି ବାଘକୁ କୁଣ୍ଢେଇଲେ, ତୁମକୁ ବାଘ ଖାଇଯିବ।
ଏହା ବୁଝାଇବାକୁ ଯାଇ ସେ ନରେନ୍ଦ୍ରଙ୍କୁ ଗୋଟିଏ କାହାଣୀ କହିଥିଲେ। କାହାଣୀଟି ଏହିପରି–
ଗୋଟିଏ ଜଙ୍ଗଲରେ ଜଣେ ସାଧୁ ରହୁଥିଲେ। ସେ ତାଙ୍କ ଶିଷ୍ୟମାନଙ୍କୁ ଶିଖାଇଥିଲେ- ସମସ୍ତଙ୍କ ଭିତରେ ଭଗବାନ ଅଛନ୍ତି; ତେଣୁ ସମସ୍ତଙ୍କୁ ପ୍ରଣାମ କରିବ। ଦିନେ ଜଙ୍ଗଲ ରାସ୍ତାରେ ଯାଉ ଯାଉ ହଠାତ୍ ସେମାନେ ଗୋଟିଏ ଚିତ୍କାର ଶୁଣିଲେ। କେହି ଜଣେ ପାଟି କରି କହୁଥିଲେ- ପାଗଳା ହାତୀ ମାତିଛି, ବାଟରୁ ହଟିଯାଅ।
ତାହା ଶୁଣି ଶିଷ୍ୟମାନେ ଯିଏ ଯୁଆଡ଼େ ପାରିଲେ ଧାଇଁ ପଳାଇଗଲେ।। କିନ୍ତୁ ଗୋଟିଏ ଶିଷ୍ୟ ରାସ୍ତାରୁ ହଟିଲା ନାହିଁ। ସେ ଭାବୁଥିଲା- ସେହି ପାଗଳା ହାତୀ ଭିତରେ ଭଗବାନ ଅଛନ୍ତି। ତେଣୁ ସେହି ହାତୀ ଭଗବାନଙ୍କର ଏକ ସ୍ବରୂପ। ତେଣୁ ମାହୁନ୍ତର କଥା ଶୁଣି ମଧ୍ୟ ସେ ତାହାକୁ ଖାତର କଲା ନାହିଁ। ଫଳରେ ହାତୀ ମାଡ଼ି ଆସି, ତାକୁ ଶୁଣ୍ଢରେ ଟେକି ନେଇ କଚାଡ଼ି ଦେଲା। ସେ ଗୁରୁତର ଆହତ ହେଲା।
ପରେ ସାଧୁ ସବୁ ଶୁଣି ତାକୁ ପଚାରିଲେ- ଅନ୍ୟ ସମସ୍ତେ ତ ପାଗଳା ହାତୀ ଆଗରୁ ଧାଇଁ ପଳାଇଗଲେ; ତୁମେ କାହିଁକି ପଳାଇ ଗଲ ନାହିଁ?
ଶିଷ୍ୟ କହିଲା- ଆପଣ କହିଥିଲେ, ସମସ୍ତଙ୍କ ଭିତରେ ଭଗବାନ ଅଛନ୍ତି। ମୁଁ ଭାବିଲି, ସେହି ପାଗଳା ହାତୀ ଭିତରେ ବି ଭଗବାନ ଅଛନ୍ତି। ତା’ କଥା ଶୁଣି ସାଧୁ ତାକୁ ବୁଝାଇଲେ–ମାହୁନ୍ତ ପରା କହୁଥିଲା, ପାଗଳା ହାତୀ ମାତିଛି, ବାଟରୁ ହଟିଯାଅ! ମାହୁନ୍ତ ଭିତରେ ଯେ ଭଗବାନ ଅଛନ୍ତି, ଏବଂ ସେ ତୁମକୁ ହଟିଯିବାପାଇଁ କହୁଛନ୍ତି, ସେ କଥା ଭାବିଥିଲେ ତୁମର ଏ ଦୁର୍ଦ୍ଦଶା ହୋଇ ନ ଥାନ୍ତା। ଯଦି ସେ ପାଗଳା ହାତୀ ତୁମ ପାଇଁ ଭଗବାନ, ତେବେ ସେ ମାହୁନ୍ତ କାହିଁକି ଭଗବାନ ନୁହେଁ? ତା’ କଥା ନ ମାନି ତୁମେ ମାହୁନ୍ତ ଭଗବାନଙ୍କୁ ଅବମାନନା କଲ ନାହିଁ କି?
ସୌଜନ୍ୟ ସମ୍ବାଦ




