ବିଶେଷ

freedom fighter: ସ୍ବତନ୍ତ୍ର ପରିଚୟ ଖୋଜୁଛି ସ୍ବାଧୀନତା ସଂଗ୍ରାମର ଅନ୍ତୁଡ଼ିିିଶାଳ; ବରୀ

ସ୍ବାଧୀନତା ସଂଗ୍ରାମ ତଥା ବରପୁତ୍ରଙ୍କ ଅନ୍ତୁଡ଼ିଶାଳ ଯାଜପୁର ଜିଲ୍ଲାର ବରୀ ଆଜି ବି ତା’ର ସ୍ବତନ୍ତ୍ର ପରିଚୟ ପାଇଁ ଅପେକ୍ଷା କରିଛି। ବରୀ ବାଲିଆର ସ୍ବାଧୀନତା ସଂଗ୍ରାମୀ ଜମିଦାର ରାମକୃଷ୍ଣ ସାମନ୍ତସିଂହାରଙ୍କଠାରୁ ଆରମ୍ଭ କରି ବ୍ରିଟିସ୍‌ ଗୁଳିରେ ଟଳିପଡିଥିବା ବରୀ-କଳାମାଟିଆର ସାଉଁଟି ମଳିକ....

ମନୋଜ କୁମାର ରାଉଳ

ଯାଜପୁରସ୍ବାଧୀନତା ସଂଗ୍ରାମ ତଥା ବରପୁତ୍ରଙ୍କ ଅନ୍ତୁଡ଼ିଶାଳ ଯାଜପୁର ଜିଲ୍ଲାର ବରୀ ଆଜି ବି ତା’ର ସ୍ବତନ୍ତ୍ର ପରିଚୟ ପାଇଁ ଅପେକ୍ଷା କରିଛି। ବରୀ ବାଲିଆର ସ୍ବାଧୀନତା ସଂଗ୍ରାମୀ ଜମିଦାର ରାମକୃଷ୍ଣ ସାମନ୍ତସିଂହାରଙ୍କଠାରୁ ଆରମ୍ଭ କରି ବ୍ରିଟିସ୍‌ ଗୁଳିରେ ଟଳିପଡିଥିବା ବରୀ-କଳାମାଟିଆର ସାଉଁଟି ମଳିକ, ସାନନ୍ଦ ସ୍ୱାଇଁ, ହାଡ଼ିବନ୍ଧୁ ପଣ୍ଡା ଓ ମାୟାଧର ଭୂୟାଁଙ୍କ ଭଳି ସ୍ବାଧୀନତା ସଂଗ୍ରାମୀଙ୍କ ନାମ ଆଜି କାଳଜୟୀ ହୋଇ ରହିଛି। ରମାଦେବୀଙ୍କ ଆଶ୍ରମ ବି ଏହି ମାଟିରେ ରହିଛି। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପଦଚିହ୍ନ ବହନ କରୁଥିବା ଏ ପବିତ୍ର ମାଟିକୁ ଯେତିକି ଗୁରୁତ୍ବ ମିଳିବା କଥା ମିଳିନାହିଁ। ସ୍ବାଧୀନତା ସଂଗ୍ରାମର ଏହି ପବିତ୍ର ତୀର୍ଥକ୍ଷେତ୍ର ବରୀର ବିକାଶ ଅପରିହାର୍ଯ୍ୟ ଥିବାବେଳେ ଏ ଦିଗରେ ଅବହେଳା କରାଯାଇଛି। ସରକାରଙ୍କ ଐତିହ୍ୟ ଗ୍ରାମ ତାଲିକାରେ ବରୀକୁ ସ୍ଥାନ ମିଳିନାହିଁ।

ଦେଶର ସ୍ବାଧୀନତା ପାଇଁ ଭାରତବାସୀ ଯେଉଁ ବଳିଦାନ ଦେଇଥିଲେ ସେଥିରେ ବରୀର ଅବଦାନ ରହିଥିଲା। ବିଶେଷକରି ୧୮୫୭ ସିପାହୀ ବିଦ୍ରୋହ ସମୟରେ ଅବିଭକ୍ତ କଟକ ଜିଲ୍ଲାର ପ୍ରଥମ ବ୍ରିଟିସ୍‌ ବିରୋଧୀ ସଂଗ୍ରାମର ପୁରୋଧା ସାଜିଥିଲେ ବରୀ ବାଲିଆର ଜମିଦାର ରାମକୃଷ୍ଣ ସାମନ୍ତସିଂହାର। ନିଜ ପରିବାର ଓ ଅନୁଗତମାନଙ୍କୁ ମେଳି କରି ସେ ବ୍ରିଟିସ ଶାସନ ବିରୋଧରେ ରଣହୁଙ୍କାର ଦେଇଥିଲେ। କଟକ କମିସନରଙ୍କ ନିର୍ଦ୍ଦେଶକ୍ରମେ ପୁଲିସ ତାଙ୍କ ବାଲିଆସ୍ଥିତ ଉଆସରେ ଚଢ଼ଉ କରିଥିଲା। ବିପୁଳ ପରିମାଣର ଖଣ୍ଡା, ବନ୍ଧୁକ, ଗୋଳାବାରୁଦ ଜବତ ସହ ରାମକୃଷ୍ଣଙ୍କ ଜମିଦାରୀ ବାଜ୍ୟାପ୍ତି କରାଗଲା। ଏହି ଘଟଣାରେ ତାଙ୍କୁ ୬ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରି ବ୍ରିଟିସ ସରକାର ବିହାରର ପାଟନା ଜେଲ୍‌କୁ ପଠାଇ ଦେଇଥିଲେ। ଦୁଇବର୍ଷ ପରେ ରାଣୀ ଭିକ୍ଟୋରିଆଙ୍କ ରାଜକ୍ଷମା ଘୋଷଣାରେ ସେ ମୁକ୍ତ ହୋଇ ନିଜ ଜମିଦାରୀ ଫେରିପାଇଥିଲେ। ଭାରତର ମୁକ୍ତି ସଂଗ୍ରାମ ବେ‌ଳର ଏହି ଘଟଣାବଳୀକୁ ଉଜ୍ଜୀବିତ ରଖିବା ନିମନ୍ତେ ସରକାରୀସ୍ତରରେ ଆଦୌ ତତ୍ପରତା ନାହିଁ।

୧୯୪୨ ମସିହା ଅଗଷ୍ଟ ମାସ ୨୬ ତାରିଖ ଗହ୍ମା ପୂର୍ଣ୍ଣମୀ ଦିନ ବରୀ କଳାମାଟିଆଠାରେ ବ୍ରିଟିସ ଫଉଜ ଗୁଳିରେ ଟଳିପଡ଼ିଥିଲେ ୪ଜଣ ସ୍ବାଧୀନତା ସଂଗ୍ରାମୀ। ରକ୍ତରଂଜିତ ହୋଇଥିଲା କଳାମାଟିଆର ମାଟି। ପ୍ରତିବର୍ଷ ଏହି ଦିନଟିକୁ ସ୍ମରଣ କରାଯାଏ। ସେହି ରକ୍ତରଂଜିତ ସହିଦ ସ୍ମୃତିପୀଠ ଆଜି ବି ସ୍ଥାନୀୟବାସୀଙ୍କ ପାଇଁ ପ୍ରେରଣା ସାଜିଥିବାବେଳେ ଏହାକୁ ଏକ ଐତିହ୍ୟ ପୀଠ କିମ୍ବା ଜାତୀୟସ୍ତରରେ ମାନ୍ୟତା ମିଳିବା ନେଇ କୌଣସି ପଦକ୍ଷେପ ନିଆଯାଇନାହିଁ। ସେହିିପରି ଏହି ମାଟିରେ ଗୋପବନ୍ଧୁ ଚୌଧୁରୀ ଓ ରମାଦେବୀ ଚୌଧୁରୀଙ୍କ ଅବଦାନ ଅତୁଳନୀୟ। ବଡ଼ବାପା ଉତ୍କଳ ଗୌରବ ମଧୁସୂଦନ ଦାସ ଓ ଗାନ୍ଧୀଜୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ରମାଦେବୀ ବରୀରେ ଵାର୍ଦ୍ଧା ଆଶ୍ରମ ଶୈଳୀରେ ଗଢ଼ିଥିଲେ ‘ବରୀ ଆଶ୍ରମ’। ସେବାଘରକୁ କେନ୍ଦ୍ର କରି ଅନେକ କାର୍ଯ୍ୟ କରିଥିଲେ। ୧୯୩୦ ନଭେମ୍ବର ୮ ତାରିଖରେ ତାଙ୍କୁ ବନ୍ଦୀ କରି ଆଠ ମାସ ପାଇଁ କଟକ ଜେଲ୍‌ରେ ରଖାଗଲା। ୧୯୪୨ ଭାରତଛାଡ଼ ଆନ୍ଦୋଳନରେ ପ୍ରତ୍ୟକ୍ଷ ସମ୍ପୃକ୍ତି ହେତୁ ଇଂରେଜ ସରକାର ରମାଦେବୀ ଓ ସ୍ୱାମୀ ଗୋପବନ୍ଧୁ ଚୌଧୁରୀଙ୍କୁ ଦୁଇ ବର୍ଷ ଜେଲ୍‌ ଦଣ୍ଡରେ ଦଣ୍ଡିତ କରିଥିଲେ। ୧୯୫୫ ମସିହାରେ ଆଚାର୍ଯ୍ୟ ବିନୋବା ଭାବେଙ୍କ ଭୂଦାନ ଯଜ୍ଞର ସଫଳତା ପଛରେ ରମାଦେବୀଙ୍କର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଥିଲା।

ରମାଦେବୀ ଭାରତୀୟ ଗଣତନ୍ତ୍ରର ମାନ ରକ୍ଷା ଲାଗି ୧୯୫୭ ମସିହାରେ ବିଶିଷ୍ଟ କ୍ରାନ୍ତିକାରୀ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କୁ ପୂର୍ଣ୍ଣ ସମର୍ଥନ ଦେଇ ଭୁବନେଶ୍ୱରରେ ଏକ ବିଶାଳ ସମାବେଶ କରାଇଥିଲେ। ଉଭୟ ବରୀସ୍ଥିତ ରମାଦେବୀଙ୍କ ଆଶ୍ରମକୁ ମଧ୍ୟ ଆସିଥିଲେ। ୧୯୫୮ ଏପ୍ରିଲ୍‌ ୨୯ ତାରିଖରେ ସ୍ବାମୀ ଗୋପବନ୍ଧୁଙ୍କ ଆକସ୍ମିକ ମୃତ୍ୟୁ ପରେ ରମାଦେବୀଙ୍କ ପରିକଳ୍ପିତ କାମ ଯଥା ଗ୍ରାମ ସ୍ୱରାଜ, କୁଟୀରଶିଳ୍ପ, ନିଶା ନିବାରଣ ଆଦି ଅଧୁରା ହୋଇ ରହିଗଲା, ଯଦିଓ ତାଙ୍କ ସ୍ମୃତି ରକ୍ଷାଲାଗି ଏକାଧିକ ଟ୍ରଷ୍ଟ ଗଠନ ହୋଇଛି। ବରୀମାଟିରେ ବହୁ ଐତିହ୍ୟ, କିମ୍ବଦନ୍ତି ତଥା ଅତୀତ ଘଟଣାବଳୀର ସ୍ୱାକ୍ଷର ବହନ କରୁଥିବା ସେବାଘର ଯାହା ବର୍ତ୍ତମାନର ଗୋପବନ୍ଧୁ-ରମାଦେବୀ ଆଶ୍ରମ, ରାମଚନ୍ଦ୍ରପୁରର ମୌଳିକ ଶିକ୍ଷା କେନ୍ଦ୍ର, କଳାମାଟିଆର ସହିଦ ସ୍ମୃତିପୀଠର ସୁରକ୍ଷା ନିମନ୍ତେ ସରକାରୀ ଅବହେଳା ପ୍ରତିବନ୍ଧକ ସାଜିଛି। ଏଭଳି ସ୍ମରଣୀୟ କ୍ଷେତ୍ରକୁ ସ୍ୱତନ୍ତ୍ର ପରିଚୟ ଦେଇ ଏକ ବୃହତ୍ ପର୍ଯ୍ୟଟନ ଓ ସ୍ମାରକୀସ୍ଥଳୀର ମାନ୍ୟତା ଦେବାକୁ ଯାଜପୁର ଜିଲ୍ଲାବାସୀ ଦାବି କରିଛନ୍ତି।

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button