ଓଡିଶା

Indravati Dam: ଇନ୍ଦ୍ରାବତୀ ନଦୀବନ୍ଧ ପ୍ରକଳ୍ପରୁ ମିଳୁନି ପାଣି: ଉପରମୁଣ୍ଡ ଶସ୍ୟଶ୍ୟାମଳା, ତଳମୁଣ୍ଡ ପଡ଼ିଆ

ଇନ୍ଦ୍ରାବତୀ ନଦୀବନ୍ଧ ନିର୍ମାଣ ପାଇଁ ବିସ୍ଥାପିତ ହେଲେ ନବରଙ୍ଗପୁର ଜିଲ୍ଲାବାସୀ। ପୁରୁଷ ପୁରୁଷର ଭିଟାମାଟି, ଚାଷ ଜମି ହରାଇଲେ। କିନ୍ତୁ ଲାଭ ପାଇଲା ପଡ଼ୋଶୀ ଜିଲ୍ଲା କଳାହାଣ୍ଡି। ନଦୀବନ୍ଧ ପ୍ରକଳ୍ପରୁ କାଣିଚାଏ ପାଣି ନବରଙ୍ଗପୁର ଜିଲ୍ଲାକୁ ମିଳୁ ନ ଥିବାରୁ ପଡ଼ିଆ ପଡ଼ିଛି ଶହ ଶହ ହେକ୍ଟର ଜମି।

ସୁରେଶ ନାଇଡୁ

ନବରଙ୍ଗପୁର: ଇନ୍ଦ୍ରାବତୀ ନଦୀବନ୍ଧ ନିର୍ମାଣ ପାଇଁ ବିସ୍ଥାପିତ ହେଲେ ନବରଙ୍ଗପୁର ଜିଲ୍ଲାବାସୀ। ପୁରୁଷ ପୁରୁଷର ଭିଟାମାଟି, ଚାଷ ଜମି ହରାଇଲେ। କିନ୍ତୁ ଲାଭ ପାଇଲା ପଡ଼ୋଶୀ ଜିଲ୍ଲାକଳାହାଣ୍ଡି। ନଦୀବନ୍ଧ ପ୍ରକଳ୍ପରୁ କାଣିଚାଏ ପାଣି ନବରଙ୍ଗପୁର ଜିଲ୍ଲାକୁ ମିଳୁ ନ ଥିବାରୁ ପଡ଼ିଆ ପଡ଼ିଛି ଶହ ଶହ ହେକ୍ଟର ଜମି। ରବି ଫସଲ ୫୦ ହଜାର ହେକ୍ଟର ଜମିରେ ସୀମିତ ଥିବା ବେଳେ ତଳମୁଣ୍ଡକୁ ପାଣି ଯୋଗାଇବା ପାଇଁ ପ୍ରସ୍ତାବିତ ଟୁରୀ, ବାଙ୍ଗରୀ ନାଳରେ ଡ୍ୟାମ୍ ନିର୍ମାଣ ହୋଇପାରୁନି।

ନଦୀବନ୍ଧ ପ୍ରକଳ୍ପ ପୂର୍ବରୁ ଜିଲ୍ଲାର ପ୍ରମୁଖ ନଦୀ ଇନ୍ଦ୍ରାବତୀରେ ପୋଡ଼ାଗଡ଼, କପୁର ଓ ମୁରାନ ନଦୀ ଜଳ ମିଶୁଥିଲା। ଫଳରେ ଚିରସ୍ରୋତା ଇନ୍ଦ୍ରାବତୀ ନବରଙ୍ଗପୁରକୁ ଶସ୍ୟ ଶ୍ୟାମଳା କରୁଥିଲା। ନଦୀ ପାଣିରେ ୨ଲକ୍ଷରୁ ଊର୍ଦ୍ଧ୍ବ‌ ହେକ୍ଟର ଜମିରେ ଦୁଇ ଫସଲ ହେଉଥିଲା। କିନ୍ତୁ ନଦୀବନ୍ଧ ନିର୍ମାଣ ପରେ ତଳମୁଣ୍ଡରେ ଥିବା ଜମିକୁ ମାଡ଼ିପାରୁନି ପାଣି। ଫଳରେ ବର୍ଷକୁ ଦୁଇଟି ଚାଷ କରୁଥିବା ଚାଷୀ ଏବେ ଥରେ ଚାଷ କରିବା କଷ୍ଟକର ହୋଇପଡ଼ୁଛି। ମୋଟ ଚାଷ ଜମିରୁ ଖରିଫରେ ୧ଲକ୍ଷ ୭୪ହଜାର ହେକ୍ଟର(୪୦%) ଏବଂ ରବିରେ ୫୦ ହଜାର ହେକ୍ଟର (୩୫%) ଜମିକୁ ଜଳସେଚନ ହୋଇପାରୁଥିବା କହିଛନ୍ତି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁଧୀରଂଜନ ବେହେରା।

ପ୍ରସ୍ତାବରେ ରହିଗଲା ଟୁରୀ, ବାଙ୍ଗରୀ ନାଳରେ ଡ୍ୟାମ୍ ନିର୍ମାଣ
୫୦ ହଜାର ହେକ୍ଟରରେ ସୀମିତ ରବି ଫସଲ
ଦାଦନ ଖଟୁଛନ୍ତି ଚାଷୀ

ତାହା ପୁଣି ଇନ୍ଦ୍ରାବତୀ ନଦୀ ଉଠାଜଳସେଚନ ପ୍ରକଳ୍ପ ମାଧ୍ୟମରେ। ୧୧୬୩  ଚାଷୀଙ୍କ ୨୩୬୦୦ ହେକ୍ଟର ଜମିକୁ ବିଦ୍ୟୁତ୍ ଓ ସୋଲାର୍‌ ପ୍ରକଳ୍ପ ଏବଂ ଗଭୀର ନଳକୂପ ଜରିଆରେ ୫୦ ହଜାର ହେକ୍ଟର ଜମିକୁ ପାଣି ମାଡ଼ୁଥିବା କହିଛନ୍ତି ଉଠାଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଦିଲ୍ଲୀପ ଦାସ।  ଭାସ୍କେଲ, କୁସୁମଝର, ଫୁଲଝରି ମଧ୍ୟମ ଜଳସେଚନ ପ୍ରକଳ୍ପରୁ ୪୨୬୩ ହେକ୍ଟର ଜମିକୁ ପାଣି ମାଡ଼ୁଥିବା କହିଛନ୍ତି କ୍ଷୁଦ୍ର ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଚିନ୍ମୟୀ ମଲ୍ଲିକ। ସେହିପରି ମେଗା ଜଳଯୋଗାଣ ପ୍ରକଳ୍ପରୁ ୪ହଜାର ଓ କୃଷି ଜଳସେଚନ ବିଭାଗ ପ୍ରକଳ୍ପରୁ ୨ ହଜାର ହେକ୍ଟର‌ ଜମି ଜଳସେଚିତ ହେଉଛି।

ସୂଚନା‌ଯୋଗ୍ୟ, ଇନ୍ଦ୍ରାବତୀ ପ୍ରକଳ୍ପ ଦ୍ବାରା ୧ଲକ୍ଷ ୨୮ହଜାର ହେକ୍ଟର ଜମିକୁ ଜଳସେଚନ ଓ ୬୦୦ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ ଲକ୍ଷ୍ୟ ରହିଥିଲା। ପ୍ରକଳ୍ପ ନିର୍ମାଣ ପରେ ଇନ୍ଦ୍ରାବତୀ ଉପରମୁଣ୍ଡରେ ଥିବା କଳାହାଣ୍ଡିର ଜମି ଶସ୍ୟ ଶ୍ୟାମଳା ହୋଇଥିଲା। କିନ୍ତୁ ତଳମୁଣ୍ଡରେ ଥିବା ନବରଙ୍ଗପୁର ଜମି ପଡ଼ିଆ ପଡ଼ିବାରୁ ଚାଷୀ ଆନ୍ଦୋଳନ କରିଥିଲେ। ହାର୍ଜା କମିସନ୍ ଇନ୍ଦ୍ରାବତୀ ଓ ମୁରାନ୍‌ ଡ୍ୟାମ୍‌ରୁ ୭ କ୍ୟୁସେକ୍ ଜଳ ବର୍ଷ ତମାମ ଛାଡ଼ିବାକୁ ଏବଂ ଟୁରୀ ଓ ବାଙ୍ଗରୀ ନାଳରେ ଡ୍ୟାମ୍ ନିର୍ମାଣ କରିବାକୁ ପ୍ରସ୍ତାବ ଦେଇଥି‌ଲେ। ସରକାରୀ ଉଦାସୀନତାରୁ ଦୁଇ ପ୍ରକଳ୍ପ ନିର୍ମାଣ ହୋଇ ନ ଥିବାରୁ ଚାଷ କାର୍ଯ୍ୟ ଛାଡ଼ି ଦାଦନ ଯାଉଛନ୍ତି ନବରଙ୍ଗପୁର ଚାଷୀ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button