West Asia conflict: ପଶ୍ଚିମ ଏସିଆରେ ପ୍ରବାସୀ ଭାରତୀୟଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଛି: ଏସ୍ ଜୟଶଙ୍କର
ପଶ୍ଚିମ ଏସିଆରେ ବଢୁଥିବା ସଂଘର୍ଷ ପରିସ୍ଥିତିକୁ ନେଇ ରାଜ୍ୟସଭାରେ ବିଦେଶମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କର ସ୍ୱତଃପ୍ରବୃତ୍ତ ବିବୃତି ରଖି କହିଛନ୍ତି ଯେ ଏହି ପରିସ୍ଥିତି ଭାରତ ପାଇଁ ଗଭୀର ଚିନ୍ତାର କାରଣ। ସେ କହିଥିଲେ ଯେ ୨୮ ଫେବ୍ରୁଆରି ୨୦୨୬ ଠାରୁ ଆରମ୍ଭ ହୋଇଥିବା ସଂଘର୍ଷରେ...

ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ବଢୁଥିବା ସଂଘର୍ଷ ପରିସ୍ଥିତିକୁ ନେଇ ରାଜ୍ୟସଭାରେ ବିଦେଶମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କର ସ୍ୱତଃପ୍ରବୃତ୍ତ ବିବୃତି ରଖି କହିଛନ୍ତି ଯେ ଏହି ପରିସ୍ଥିତି ଭାରତ ପାଇଁ ଗଭୀର ଚିନ୍ତାର କାରଣ। ସେ କହିଥିଲେ ଯେ ୨୮ ଫେବ୍ରୁଆରି ୨୦୨୬ ଠାରୁ ଆରମ୍ଭ ହୋଇଥିବା ସଂଘର୍ଷରେ ଇସ୍ରାଏଲ ଓ ଆମେରିକା ପକ୍ଷରେ ଏବଂ ଅନ୍ୟପଟେ ଇରାନ ମଧ୍ୟରେ ତୀବ୍ର ତଣାପୋଡ଼ ଦେଖାଦେଇଛି। ଏହି ସଂଘର୍ଷର ପ୍ରଭାବ ଅନେକ ଉପସାଗରୀୟ ଦେଶକୁ ମଧ୍ୟ ପହଞ୍ଚିଛି।
ବିଦେଶମନ୍ତ୍ରୀ କହିଥିଲେ ଯେ ଭାରତ ସଦା ଉତ୍ତେଜନା ହ୍ରାସ, ସଂଯମ ଏବଂ କୂଟନୀତିକ ଆଲୋଚନାର ପଥକୁ ସମର୍ଥନ କରୁଛି। ସେ ସମସ୍ତ ପକ୍ଷକୁ ନାଗରିକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବା ଓ ତଣାପୋଡ଼ ହ୍ରାସ ପାଇଁ ଆହ୍ୱାନ କରିଥିବା କଥା କହିଥିଲେ। ସେ କହିଥିଲେ ଯେ ପରିସ୍ଥିତିର ଗମ୍ଭୀରତାକୁ ଦେଖି ମାର୍ଚ୍ଚ ୧ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି (CCS) ବୈଠକ ହୋଇଥିଲା। ଏହି ବୈଠକରେ ପ୍ରବାସୀ ଭାରତୀୟଙ୍କ ସୁରକ୍ଷା, ଆଞ୍ଚଳିକ ସୁରକ୍ଷା ପରିସ୍ଥିତି ଓ ବ୍ୟାପାର ଉପରେ ପ୍ରଭାବ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା।
ବିଦେଶମନ୍ତ୍ରୀ କହିଛନ୍ତି ଯେ ପଶ୍ଚିମ ଏସିଆରେ ପ୍ରାୟ ୧ କୋଟି ଭାରତୀୟ ନାଗରିକ କାମ କରୁଛନ୍ତି ଓ ବସବାସ କରୁଛନ୍ତି। ଏହା ସହିତ ଇରାନରେ ମଧ୍ୟ ହଜାର ହଜାର ଭାରତୀୟ ଛାତ୍ର ଓ କର୍ମଚାରୀ ଅଛନ୍ତି। ସେହିପରି ଏହି ଅଞ୍ଚଳ ଭାରତର ଇନ୍ଧନ ସୁରକ୍ଷା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେ କହିଥିଲେ ଯେ ଉପସାଗରୀୟ ଦେଶମାନଙ୍କ ସହ ଭାରତର ବାର୍ଷିକ ବାଣିଜ୍ୟ ପ୍ରାୟ ୨୦୦ ବିଲିୟନ ଡଲାର ଅଟେ। ତେଣୁ ଏହି ଅଞ୍ଚଳର ଅସ୍ଥିରତା ଯୋଗାଣ ଶୃଙ୍ଖଳା ଓ ବ୍ୟାପାରକୁ ପ୍ରଭାବିତ କରିପାରେ।
ସଂଘର୍ଷ ଆରମ୍ଭ ହେବା ପରେ ଭାରତ ସରକାର ତେହେରାନରୁ ଭାରତୀୟ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାରେ ସହାୟତା କରିଛି। ଏହା ସହିତ ଦୂତାବାସଗୁଡ଼ିକ ହେଲ୍ପଲାଇନ୍ ସେବା ଆରମ୍ଭ କରି ଆବଶ୍ୟକ ସହାୟତା ଯୋଗାଇ ଆସୁଛନ୍ତି। ବିଦେଶମନ୍ତ୍ରୀ କହିଛନ୍ତି ଯେ ଗତ କିଛି ଦିନରେ ପ୍ରାୟ ୬୭,୦୦୦ ଭାରତୀୟ ନାଗରିକ ବିଭିନ୍ନ ବିମାନ ମାଧ୍ୟମରେ ସ୍ୱଦେଶ ଫେରିଛନ୍ତି। ସରକାର ଆହୁରି ଅଧିକ ଲୋକଙ୍କୁ ସୁରକ୍ଷିତ ଭାବରେ ଫେରାଇବା ପାଇଁ ବିଶେଷ ବିମାନ ସେବା ଚାଲୁ ରଖିଛି।
ସେ ଆହୁରି କହିଥିଲେ ଯେ ପ୍ରଧାନମନ୍ତ୍ରୀ ଉପସାଗରୀୟ ଦେଶମାନଙ୍କ ନେତାମାନଙ୍କ ସହ ସମ୍ପର୍କ ରଖି ପ୍ରବାସୀ ଭାରତୀୟଙ୍କ ସୁରକ୍ଷା ସୁନିଶ୍ଚିତ କରୁଛନ୍ତି। ଭାରତ ସରକାର ଇନ୍ଧନ ସୁରକ୍ଷା ଓ ଜାତୀୟ ହିତ ରକ୍ଷା ପାଇଁ ପରିସ୍ଥିତି ଉପରେ ସତର୍କ ନଜର ରଖିଛି। ବକ୍ତବ୍ୟର ଶେଷରେ ବିଦେଶମନ୍ତ୍ରୀ କହିଥିଲେ ଯେ ଭାରତ ଶାନ୍ତି, କୂଟନୀତି ଓ ଆଲୋଚନାର ପଥକୁ ସମର୍ଥନ କରୁଛି ଏବଂ ପ୍ରବାସୀ ଭାରତୀୟଙ୍କ ସୁରକ୍ଷା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ରହିବ।
ସୌଜନ୍ୟ ସମ୍ବାଦ




