ଭୁବନେଶ୍ବର: ଖାଦ୍ୟ ସୁରକ୍ଷା ଯୋଜନାରେ ରାଜ୍ୟର ୯୭% ହିତାଧିକାରୀଙ୍କ ଇ-କେୱାଇସି ସରିଲାଣି। ରାଜ୍ୟ ବାହାରେ ଥିବା ପାଖାପାଖି ଦେଢ଼ଲକ୍ଷ ହିତାଧିକାରୀ ବି ଇ-କେୱାଇସି କରିଛନ୍ତି। ୧୦ ଲକ୍ଷ ୪୭ ହଜାର ଲୋକଙ୍କ ଇ-କେୱାଇସି ବାକି ଅଛି। ସେମାନେ କାହିଁକି କରୁ ନାହାନ୍ତି ଆମେ ବୁଝିପାରୁନୁ। ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦେଇ ଆମେ ବାର୍ଷିକ ହାରାହାରି ୨୧୫ କୋଟି ଟଙ୍କାର ଅପବ୍ୟୟକୁ ରୋକିପାରିଛୁ। ଆଜି ବିଧାନସଭାରେ ବିରୋଧୀଙ୍କ ଅଭିଯୋଗର ଜବାବ ଦେଇ ଏହା କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
ଅଯୋଗ୍ୟଙ୍କୁ ବାଦ୍ ଦେଇ ୨୧୫ କୋଟି ବଞ୍ଚାଯାଇଛି
ମନ୍ତ୍ରୀ କହିଥିଲେ, ପୂର୍ବ ସରକାର ୨୪ ବର୍ଷ ଧରି ଖାଉଟିଙ୍କୁ ଭୁଆଁ ବୁଲାଉଥିଲେ। ହିତାଧିକାରୀଙ୍କୁ ନୂଆ ରାସନ୍ କାର୍ଡ ପାଇଁ ଆବେଦନ କରିବାରୁ ବଞ୍ଚିତ କରିବା ପାଇଁ ପୂର୍ବ ସରକାର ପୋର୍ଟାଲ୍କୁ ବନ୍ଦ କରିଦେଇଥିଲେ। ସେତେବେଳେ ବିଭିନ୍ନ ଆଳ ଦେଖାଇ ରାଜନୈତିକ ଉଦ୍ଦେଶ୍ୟ ରଖି ରାସନ୍ କାର୍ଡ କଟାଯାଉଥିଲା। ପୂର୍ବ ସରକାର ସମୟରେ ଅନ୍ୟାୟ ଭାବେ ବାଦ୍ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କର କ୍ଷେତ୍ର ତର୍ଜମା କରାଯାଇ ପୁନର୍ବାର ରାସନ୍ କାର୍ଡ ଦିଆଯାଇଛି। ନୂଆ ସରକାର ଆସିଲା ପରେ ରାସନ୍ କାର୍ଡ ପାଇଁ ୧୭ ଲକ୍ଷ ୩୮ ହଜାର ୯୪୬ଟି ଆବେଦନ ଉପରେ ତର୍ଜମା କରାଯାଉଛି। ସେମଧ୍ୟରୁ ପାଖାପାଖି ୫ ଲକ୍ଷ ଆବେଦନକୁ ଯୋଗ୍ୟ ବିବେଚିତ କରାଯାଇ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। କୌଣସି ଜଣେ ବି ଯୋଗ୍ୟ ହିତାଧିକାରୀ ରାସନ୍ କାର୍ଡ ପାଇବାରୁ ବଞ୍ଚିତ ହେବେ ନାହିଁ।
ମିଲରଙ୍ ଠାରୁ ଟଙ୍କା ଆଦାୟ ସଂକ୍ରାନ୍ତରେ ଅଭିଯୋଗ ଉପରେ ମନ୍ତ୍ରୀ କହିଥିଲେ, ଯେଉଁମାନେ ଏଥିରେ ସଂପୃକ୍ତ ଅଛନ୍ତି ବିଧାୟକ ତଥ୍ୟ ଦେଲେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଆମ ସରକାର ଶୂନ୍ୟ କଟ୍ନିଛଟ୍ନି ନୀତି ଆପଣାଇଛନ୍ତି। ପୂର୍ବ ସରକାର ଅପେକ୍ଷା ଏବର ସରକାରରେ ଅଧିକ ଚାଷୀ ପଞ୍ଜୀକରଣ ହୋଇଥିଲା ବେଳେ ଅଧିକ ଧାନ ମଧ୍ୟ କିଣାଯାଇଛି।
ସୌଜନ୍ୟ ସମ୍ବାଦ