
ଦିଗପହଣ୍ଡି ୧୧।୦୩ : ଗଞ୍ଜେଇ ଚାଲାଣର ନୂଆ ଫଣ୍ଡା । ନୀରିହ କଲେଜ ଛାତ୍ରମାନଙ୍କୁ ଲୋଭ ଦେଖାଇ ଗଞ୍ଜେଇ ଚାଲାଣ କରୁଛନ୍ତି ମାଫିଆ । ବାଇକ୍ ଯୋଗେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ମାଡ଼ିବସିଲା ପୋଲିସ ଓ ଅବକାରୀ ବିଭାଗ।
ଖବର ଅନୁଯାୟୀ, ଦିନକୁ ଦିନରେ ରାଜ୍ୟରେ ଗଞ୍ଜେଇ କାରବାର ବଢିବାରେ ଲାଗିଛି । ମାଫିଆମାନେ ଗଞ୍ଜେଇ ଚୋରା ଚାଲାଣ ପାଇଁ ଭଳିକି ଭଳି ପନ୍ଥା ଆପଣାଉଛନ୍ତି । କେତେବେଳେ ଦେହରେ ତ ଆଉ କେତେବେଳେ ଟ୍ରକ, ବସ୍, ପିକଅପ୍ ଭ୍ୟାନ୍ରେ ଲୁଚାଇକି ଚାଲାଣ କରୁଛନ୍ତି । ଏହିକ୍ରମରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି କୃଷି କାର୍ଯ୍ୟାଳୟ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ ଓ ପୋଲିସ । ଜଣେ କଲେଜ ଛାତ୍ର ବାଇକ୍ ଧରି ଯାଉଥିବା ବେଳେ ଅବକାରୀ ବିଭାଗ ଓ ପୋଲିସ ଅଟକାଇଥିଲା । ପରେ ବାଇକ ସହ ଛାତ୍ର ଜଣଙ୍କୁ ଯାଞ୍ଚ କରିଥିଲା । ଏହି ଯାଞ୍ଚରେ ଯୁବକଙ୍କ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ମିଳିଥିଲା । ପରେ ଯୁବକଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଯୁବକ ଜଣଙ୍କ ଘର ଗଜପତି ଜିଲ୍ଲାର ହୋଇଥିବା ବେଳେ ତାଙ୍କ ବୟସ ୧୯ ବର୍ଷ ବୋଲି ଜଣାପଡିଛି ।
ତେବେ ଯୁବକଙ୍କ ବୟସ ମାତ୍ର ୧୯ ବର୍ଷ ହୋଇଥିବା ବେଳେ ସେ କିପରି ଏହି ଗଞ୍ଜେଇ କାରବାରରେ ସାମିଲ ହେଲେ । ସେନେଇ ତଦନ୍ତ ମଧ୍ୟ ଚାଲିଛି । ଗଞ୍ଜେଇ ସିଣ୍ଡିକେଟ୍ର ମାଫିଆମାନେ ଏବେ ଚୋରା ଚାଲାଣ ପାଇଁ କଲେଜ ଛାତ୍ରଙ୍କୁ ସାମିଲ କରୁଛନ୍ତି ।
ସୌଜନ୍ୟ ସମ୍ବାଦ




