ହଜାର ହଜାର ବର୍ଷଧରି ଆମ ଭିତରେ ଏକ ଧାରଣା ରହିଆସିଥିଲା ଯେ, ବିଶ୍ବ ବ୍ରହ୍ମାଣ୍ଡ ଏକ ଆଶ୍ଚର୍ଯ୍ୟ। ଏହାକୁ ଭେଦ କରିବା ଅସମ୍ଭବ ଓ ମଣିଷର ଶକ୍ତି ସାମର୍ଥ୍ୟ ବାହାରେ ବୋଲି ବିଶ୍ବାସ କରାଯାଉଥିଲା। ଭଗବାନଙ୍କ ଏଭଳି ସୃଷ୍ଟିକୁ ବୁଝିବା ଅସାଧ୍ୟ ବ୍ୟାପାର ବୋଲି ବୈଜ୍ଞାନିକମାନେ ମଧ୍ୟ କହୁଥିଲେ। ତେବେ ଶହ ଶହ ବର୍ଷ ତଳର ଏହି ବିଶ୍ବାସ ବଦଳିଛି। ବିଶ୍ବ ବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟକୁ ମଣିଷ ଭେଦ କରି ପାରିଛି। ଏପରିକି ସୌର ମଣ୍ଡଳରେ ପରସ୍ପର ମଧ୍ୟରେ ବନ୍ଧା ହୋଇଥିବା ଗ୍ରହାଣୁଗୁଡ଼ିକ ଉପରେ ନୂଆ ନୂଆ ତଥ୍ୟ ଉନ୍ମୋଚିତ ହେଉଛି, ଯାହା ବିଶ୍ବ ବ୍ରହ୍ମାଣ୍ଡର ରହସ୍ୟକୁ ଖୋଲିବାରେ ଲାଗିଛି। ଏବେ ସମସ୍ତଙ୍କୁ ଚମକାଇ ଦେଇ ବୈଜ୍ଞାନିକମାନେ ପ୍ରମାଣ କରିଦେଇ ପାରିଛନ୍ତି ଯେ, ସୌର ମଣ୍ଡଳରେ ଅହରହ ଘୂରୁଥିବା ଗ୍ରହାଣୁଗୁଡ଼ିକର କକ୍ଷପଥ ବି ବଦଳାଇ ଦେଇ ହେବ। ପୃଥିବୀକୁ ସୁରକ୍ଷିତ ରଖିବା ପାଇଁ ବୈଜ୍ଞାନିକମାନେ ଏହି କୌଶଳ ବିକଶିତ କରିଛନ୍ତି ଓ ପରୀକ୍ଷାରେ ବି ସଫଳ ହୋଇଛନ୍ତି। ୨୦୨୨ ମସିହାରେ ନାସା ଏକ ମହାକାଶ ଯାନକୁ ଏକ ଗ୍ରହାଣୁରେ ଧକ୍କା ଖୁଆଇ ଖଣ୍ଡ ଖଣ୍ଡ କରି ଜାଣିବାକୁ ଚାହିଁଥିଲା ଯେ, ଏହାଠାରୁ ବଡ଼ ଗ୍ରହାଣୁ ଚାରିପଟେ ବସ୍ତୁର କକ୍ଷପଥ ପରିବର୍ତ୍ତନ କରିପାରିବ କି ନାହିଁ।
ଏହା ପୂର୍ବରୁ ଡବଲ୍ ଆଷ୍ଟ୍ରଏଡ୍ ରି-ଡାଇରେକ୍ସନ୍ ଟେଷ୍ଟ ବା ଡାର୍ଟ ମିସନ୍ ସଫଳ ହୋଇଥିଲା, ଯେଉଁଥିରେ ଡିଡିମସ୍ ଓ ଡିମୋର୍ଫସ୍ର ଆଷ୍ଟ୍ରଏଡ୍ର କକ୍ଷପଥ ଅବଧିକୁ ୩୩ ମିନିଟ୍ ହ୍ରାସ କରାଯାଇପାରିଥିଲା। ତେବେ ଏଥର କିନ୍ତୁ ମହାକାଶରେ ଦୁଇ ଆଷ୍ଟ୍ରଏଡ୍ର କକ୍ଷପଥକୁ ସମ୍ପୂର୍ଣ୍ଣ ବଦଳାଯାଇପାରିଥିଲା, ଯାହା ଏକ ଇତିହାସ ଥିଲା। କାରଣ ସୂର୍ଯ୍ୟ ଚାରିପଟେ ଏକ ପ୍ରାକୃତିକ ବସ୍ତୁର କକ୍ଷପଥକୁ ମଣିଷ ପରିବର୍ତ୍ତନ କରିଦେଇଥିଲା। ଏହା ପାରମ୍ପରିକ ଭାବେ ଆମେ ବିଶ୍ବାସ କରିଆସୁଥିବା ପ୍ରକୃତିର ନିୟମକୁ ବଦଳାଇଦେଲା ଭଳି ଘଟଣା ଥିଲା।
ୟୁନିଭର୍ସିଟି ଅଫ୍ ଇଲିନସ୍ର ଏରୋସ୍ପେସ୍ ଇଞ୍ଜିନିୟର୍ ରାହିଲ୍ ମାକାଡିଆ ଓ ଅନ୍ୟ ବୈଜ୍ଞାନିକମାନଙ୍କ କହିବା ଅନୁସାରେ, ଗ୍ରହଗୁଡ଼ିକର ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ମିସନ୍ ଚାଲୁ କରାଯାଇଥିଲା। କାରଣ ଆମ ସୌରମଣ୍ଡଳରେ ଅନେକ ବୃହଦାକାର ଶିଳା ରହିଛି ଏବଂ ଏହା ପୃଥିବୀ ସହ ଧକ୍କା ହେବାର ଆଶଙ୍କା ରହିଛି। ଯଦିଓ ନିକଟ ଭବିଷ୍ୟତରେ ଏଭଳି ଘଟଣା ଘଟିବାର ଆଶଙ୍କା ନାହିଁ। ତେବେ ଏହି ମିସନ୍ ଭବିଷ୍ୟତରେ ଏଭଳି ଆଶଙ୍କାକୁ ଏଡ଼ାଇ ଦେଇପାରିବ। ବଡ଼ ଆଷ୍ଟ୍ରଏଡ୍ ଡିଡିମସ୍ (୭୮୦ ମିଟର ବ୍ୟାସ) ଓ ଛୋଟ ଆଷ୍ଟ୍ରଏଡ୍ ଡିମୋର୍ଫସ୍ (୧୬୦ ମିଟର ବ୍ୟାସ) ଗୁରୁତ୍ବାକର୍ଷଣ ପ୍ରଭାବରେ ପରସ୍ପର ସହ ସମ୍ପୃକ୍ତ ଅଛନ୍ତି। ଏହି ମିସନ୍ରେ ଡିମାର୍ଫସ୍ର ଗତିପଥ ବଦଳା ଯାଇଥିଲା। ୭ ମିନିଟ୍ ପାଇଁ ଗତିପଥ ବଦଳିବା ଆଶା ଥିବାବେଳେ ଏହା ୩୩ ମିନିଟ୍ ସମ୍ଭବ ହୋଇପାରିଥିଲା, ଯାହା ଥିଲା ଏକ ଆଶ୍ଚର୍ଯ୍ୟ। କାରଣ ଭବିଷ୍ୟତରେ ଦରକାର ପଡ଼ିଲେ ମଣିଷ ଏକ ବିପଦପୂର୍ଣ୍ଣ ଗ୍ରହାଣୁକୁ ପୃଥିବୀରୁ ସୁରକ୍ଷିତ ଭାବେ ଦୂରକୁ ସ୍ଥାନାନ୍ତର କରିପାରିବ। ପୃଥିବୀ ପ୍ରତି କୌଣସି ବିପଦ ଆଶଙ୍କା ଥିଲେ, ତାକୁ ସହଜରେ ପ୍ରତିହତ କରାଯାଇପାରିବ। ଏହାଦ୍ବାରା କୌଣସି ମହାକାଶୀୟ ପିଣ୍ଡର ସୂର୍ଯ୍ୟକୈନ୍ଦ୍ରିକ କକ୍ଷପଥରେ ପରିବର୍ତ୍ତନକୁ ପ୍ରଭାବିତ କରାଯାଇପାରିବ ଓ ଭବିଷ୍ୟତରେ ପୃଥିବୀ ଉପରେ ଗ୍ରହାଣୁର ପ୍ରଭାବକୁ ରୋକାଯାଇପାରିବ।
ସୌଜନ୍ୟ ସମ୍ବାଦ