ଓଡିଶାମହାନଗରରାଜନୀତି

Naveen: ନେତା ଫାଙ୍କୁଥିଲେ, ନବୀନ ମାନିଲେ: ନିଜେ ଟ୍ରଷ୍ଟ ଗଢ଼ିଛନ୍ତି ବୋଲି କହିଲେ, ପାଣ୍ଡିଆନ-ସଂତୃପ୍ତଙ୍କ ଭୂମିକା ଉପରେ କିଛି କହିଲେନି

ନୂଆଦିଲ୍ଲୀରେ ‘ବିଜୁ-ନବୀନ ଇନ୍‌ସ୍ପିରେସନାଲ୍ ଫାଉଣ୍ଡେସନ୍‌’କୁ ନେଇ ବିଜେଡି ନେତାମାନଙ୍କ ଭିତରେ ଦ୍ବନ୍ଦ୍ବ ବଢ଼ିବାରେ ଲାଗିଛି। ଦଳର ବିଧାୟକମାନେ ଏହାକୁ ଫାଙ୍କି ଚାଲିଥିଲେ। କିନ୍ତୁ ନିଜେ ନବୀନ ପଟ୍ଟନାୟକ ଆଜି ଗଣମାଧ୍ୟମରେ ମାନି ଯାଇଛନ୍ତି।

ଭୁବନେଶ୍ବର: ନୂଆଦିଲ୍ଲୀରେ ‘ବିଜୁ-ନବୀନ ଇନ୍‌ସ୍ପିରେସନାଲ୍ ଫାଉଣ୍ଡେସନ୍‌’କୁ ନେଇ ବିଜେଡି ନେତାମାନଙ୍କ ଭିତରେ ଦ୍ବନ୍ଦ୍ବ ବଢ଼ିବାରେ ଲାଗିଛି। ଦଳର ବିଧାୟକମାନେ ଏହାକୁ ଫାଙ୍କି ଚାଲିଥିଲେ। କିନ୍ତୁ ନିଜେ ନବୀନ ପଟ୍ଟନାୟକ ଆଜି ଗଣମାଧ୍ୟମରେ ମାନି ଯାଇଛନ୍ତି। ତାଙ୍କରି ଦ୍ବାରା ହିଁ ଟ୍ରଷ୍ଟ ଗଠନ ହୋଇଛି ବୋଲି ସ୍ବୀକାର କରିଛନ୍ତି। ତେବେ ବିଜେଡି ପାଣ୍ଠିରୁ ଗୋଟିଏ ଟଙ୍କା ସେଠିକି ଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। କିନ୍ତୁ ତାଙ୍କ ସ୍ପଷ୍ଟୀକରଣ ଆହୁରି ରହସ୍ୟ ବଢ଼ାଇଦେଇଛି। ବିଜେଡି ମାଧ୍ୟମରେ ସେ ରାଜ୍ୟବାସୀଙ୍କ ସେବା କରୁଥିଲା ବେଳେ ହଠାତ୍‌ ଟ୍ରଷ୍ଟ କାହିଁକି ଆବଶ୍ୟକ ପଡ଼ିଲା, ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି।

ଆଜି ଗଣମାଧ୍ୟମକୁ ନବୀନ କହିଛନ୍ତି, ‘ମୁଁ ଅପରେସନ୍ ପାଇଁ ମୁମ୍ବାଇ ଯିବା ପୂର୍ବରୁ ପରାମର୍ଶ ନିମନ୍ତେ ଦିଲ୍ଲୀ ଯାଇଥିଲି। ସେଠାରେ କିଛି ବରିଷ୍ଠ ଆଇନଜୀବୀ ଓ ଚାଟାର୍ଡ ଆକାଉଣ୍ଟାଣ୍ଟ ମୋତେ ଟ୍ରଷ୍ଟ ଖୋଲିବାକୁ ପରାମର୍ଶ ଦେଇଥିଲେ। ମୁଁ ନିଜସ୍ବ ପାଣ୍ଠିରୁ ମାତ୍ର ଏକ ଲକ୍ଷ ଟଙ୍କାର ଅର୍ଥରାଶି ସହ ଏହାକୁ ଆରମ୍ଭ କରିଥିଲି। ଏହା ଓଡ଼ିଶାର ଲୋକଙ୍କ ହିତ ପାଇଁ ଉଦ୍ଦିଷ୍ଟ। ଟ୍ରଷ୍ଟକୁ କୌଣସି ଟଙ୍କା ବିଜେଡି କିମ୍ବା କୌଣସି ପାର୍ଟି ପାଣ୍ଠିରୁ ଆସି ନାହିଁ। ବିଜୁ ବାବୁ ତାଙ୍କର ପରୋପକାରୀ କାର୍ଯ୍ୟ ପାଇଁ ଜଣାଶୁଣା ଥିଲେ ଓ ଜୀବନରେ ଅନେକ ଭଲ କାର୍ଯ୍ୟ କରିଛନ୍ତି। ତାଙ୍କ ନାମରେ ହିଁ ଟ୍ରଷ୍ଟ ଗଠନ କରାଯାଇଛି। ଆମେ ମଧ୍ୟ ଆମ କଟକର ପୈତୃକ ବାସଭବନକୁ ଓଡ଼ିଶାବାସୀଙ୍କ ବ୍ୟବହାର ପାଇଁ ଦାନ କରିଛୁ। ଗଣମାଧ୍ୟମରେ ନକାରାତ୍ମକ ଖବର ଆସୁଥିବାରୁ ମୁଁ ଏହା ସ୍ପଷ୍ଟ କରିବାକୁ ଉଚିତ ମଣିଲି।’ ତେବେ ଭିକେ ପାଣ୍ଡିଆନଙ୍କୁ ସଭାପତି ଓ ସଂତୃପ୍ତ ମିଶ୍ରଙ୍କୁ ସମ୍ପାଦକ ଭାବେ କାହିଁକି ଚୟନ କ‌ଲେ, ସେ ସମ୍ପର୍କରେ କିଛି କହିନାହାନ୍ତି।

ନୂଆଦିଲ୍ଲୀରେ ୮ ମାସ ତଳୁ ଟ୍ରଷ୍ଟ ପଞ୍ଜୀକରଣ ହୋଇଥିଲେ ବି କେହି ବିନ୍ଦୁବିସର୍ଗ ଜାଣି ନଥିଲେ। କୌଣସି ବ୍ୟକ୍ତି ଟ୍ରଷ୍ଟ ଗଠନ କରିବା ବଡ଼ କଥା ନୁହେଁ, କିନ୍ତୁ ନବୀନ ପଟ୍ଟନାୟକଙ୍କ ଦ୍ବାରା ଟ୍ରଷ୍ଟ ଗଠନ ଏବଂ ସେଥିରେ ପାଣ୍ଡିଆନ ଆଜୀବନ ସଭାପତି ରହିବା ନିଶ୍ଚିତ ରାଜ୍ୟବାସୀଙ୍କ ପାଇଁ ଏକ ଆଲୋଚ୍ୟ ବିଷୟ। ବିଜେଡି ମାଧ୍ୟମରେ ନବୀନ ରାଜନୀତି ଓ ଜନସେବା କରୁଛନ୍ତି ବୋଲି ନିଜେ କହିଛନ୍ତି। ସେ ଚାହୁଥିବା ପର୍ଯ୍ୟନ୍ତ ନିଜେ ବିଜେଡିର ସଭାପତି ରହିବେ। ତାହା ସତ୍ତ୍ବେ ପରିଣତ ବୟସରେ ହଠାତ୍‌ ଟ୍ରଷ୍ଟ ପାଇଁ ନବୀନ ମନ ବଳାଇବା ଘଟଣାକୁ ଦଳୀୟ ନେତାମାନେ ହାଲୁକା ଭାବେ ନେଇ ପାରୁନାହାନ୍ତି। ଯଦି ରାଜ୍ୟବାସୀଙ୍କ ହିତ ପାଇଁ ଏକ ଟ୍ରଷ୍ଟ ଗଠନ କରାଗଲା, ତେବେ ଖୋଲାଖୋଲି ଭାବେ ଏହା ଘୋଷଣା କରିବାରେ କିଛି ଅସୁବିଧା ନାହିଁ। କିନ୍ତୁ ଏହାକୁ ୮ ମାସ ଧରି ପ୍ରଘଟ କରାନଯିବା ପଛର କାରଣ କ’ଣ ବୋଲି ଅ‌ନେକ ନେତା ପ୍ରଶ୍ନ କରିଛନ୍ତି।

ରାଜ୍ୟସଭା ନିର୍ବାଚନର ଠିକ୍ ପୂର୍ବରୁ ପ୍ରଭାତ ବିଶ୍ବାଳ ଟ୍ରଷ୍ଟ ପ୍ରସଙ୍ଗ ଉଠାଇ ଘଟଣାକୁ ଲୋକଲୋଚନକୁ ଆଣିଥିଲେ। ସଂତୃପ୍ତଙ୍କୁ ହିଁ ସେ ଟାର୍ଗେଟ୍ କରିଥିଲେ। କିନ୍ତୁ ନବୀନ-ସଂତୃପ୍ତ ଏହାକୁ ଅସ୍ବୀକାର କରିଥିଲେ। ଏହା ପରେ ଶ୍ରୀମୟୀ ମିଶ୍ର ଟ୍ରଷ୍ଟର କାଗଜପତ୍ର ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପୂରା ଘଟଣାକୁ ବିବାଦ ଭିତରକୁ ନେଇଯାଇଥିଲେ। କିନ୍ତୁ ଟ୍ରଷ୍ଟ ଗଠନକୁ ଦଳର ଦୁଇ ଜଣ ବିଧାୟକ ଗଣମାଧ୍ୟମରେ ସିଧା ଅସ୍ବୀକାର କରିଥିଲେ। ଓଲଟା ଏହାର ଦସ୍ତାବିଜକୁ ଜାଲ୍ ବୋଲି କହିଥିଲେ। କିନ୍ତୁ ଆଜି ନବୀନ ଏହାକୁ ସ୍ବୀକାର କରି ସେମାନଙ୍କ ମିଛ ଧରା ପକାଇ ଦେଇଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button