ଓଡିଶାମହାନଗର

ଏପ୍ରିଲ ୧୬ରୁ ଜନଗଣନା

ଏପ୍ରିଲ ୧୬ରୁ ସାରା ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଜନଗଣନା ଆରମ୍ଭ ହେବାକୁ ଯାଉଛି। ମେ’ ୧୫ ପର୍ଯ୍ୟନ୍ତ ଅର୍ଥାତ୍‌ ଏକ ମାସ ଧରି ଚାଲିବାକୁ ଥିବା ଜନଗଣନାରେ ତାଲିମପ୍ରାପ୍ତ ଗଣନାକାରୀ ଓ ସୁପରଭାଇଜରମାନେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ।

ଭୁବନେଶ୍ବର: ଏପ୍ରିଲ ୧୬ରୁ ସାରା ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଜନଗଣନା ଆରମ୍ଭ ହେବାକୁ ଯାଉଛି। ମେ’ ୧୫ ପର୍ଯ୍ୟନ୍ତ ଅର୍ଥାତ୍‌ ଏକ ମାସ ଧରି ଚାଲିବାକୁ ଥିବା ଜନଗଣନାରେ ତାଲିମପ୍ରାପ୍ତ ଗଣନାକାରୀ ଓ ସୁପରଭାଇଜରମାନେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ। ଏହାପୂର୍ବରୁ ଏପ୍ରିଲ ୧ରୁ ୧୫ ମଧ୍ୟ ରାତ୍ରି ପର୍ଯ୍ୟନ୍ତ ସ୍ବ-ଗଣନାର ବ୍ୟବସ୍ଥା ରହିଛି। ଏହି କାର୍ଯକ୍ରମରେ ସେଲ୍ଫ ଇନ୍ୟୁମେରେସନ୍‌(ଏସ୍‌ଇ) ପୋର୍ଟାଲ୍‌ ମାଧ୍ୟମରେ ଜନସାଧାରଣ ନିଜର ତଥ୍ୟ ନିଜେ ପ୍ରଦାନ କରିପାରିବେ ବୋଲି ଜନଗଣନା ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣ କହିଛନ୍ତି। ଜନଗଣନା ଭବନରେ ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ କଲ୍ୟାଣ ଆହୁରି କହିଛନ୍ତି ଯେ ଜନଗଣନାର ପ୍ରଚାର ପ୍ରସାର ସକାଶେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବ୍ରାଣ୍ଡ ଆମ୍ବାସାଡର୍‌ ଭାବରେ କାର୍ଯ୍ୟ କରିବାକୁ ସ୍ବୀକୃତି ପ୍ରଦାନ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଓ ମହାନଗର ନିଗମର କମିସନରମାନେ ପ୍ରମୁଖ ଜନଗଣନା ଅଧିକାରୀ ରହିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳମାନେ ଜିଲ୍ଲା ଜନଗଣନା ଅଧିକାରୀ ଭାବରେ କାର୍ଯ୍ୟ କରୁଛନ୍ତି। ଏଥିସହ ଜିଲ୍ଲାପାଳଙ୍କ ଅଧୀନରେ ପ୍ରତ୍ୟେକ ତହସିଲଦାର ଓ ବୈଧାନିକ ସହରଗୁଡିକର କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଚାର୍ଜ ଅଧିକାରୀ ଭାବରେ କାର୍ଯ୍ୟ କରୁଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ନୋଡାଲ୍‌ ବିଭାଗ ଭାବେ କାର୍ଯ୍ୟ କରୁଛି। ଗଣଶିକ୍ଷା ବିଭାଗର ପ୍ରାଥମିକ ଶିକ୍ଷକମାନଙ୍କୁ ଗଣନାକାରୀ ଏବଂ ହାଇସ୍କୁଲର ଶିକ୍ଷକମାନେ ସୁପରଭାଇଜର ଭାବରେ କାର୍ଯ୍ୟ କରିବେ। ଗଣନାକାରୀମାନେ ଗୃହ କର୍ତ୍ତାକୁ ୩୩ଟି ଲେଖାଏଁ ପ୍ରଶ୍ନ ପଚାରିବେ।  ୨୦୨୭ ଫେବ୍ରୁଆରିରେ ଦ୍ବିତୀୟ ପର୍ଯ୍ୟାୟ ଜନଗଣନା ଅନୁଷ୍ଠିତ ହେବ ବୋଲି ସେ ସୂଚନା ଦେଇଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button