ଓଡିଶାମହାନଗର

Pakhala Parab: ଓଡ଼ିଶାର ରୋଷେଇ ପରମ୍ପରାର ଦୁଇ ଦିନିଆ ଉତ୍ସବ ଆରମ୍ଭ

ଓଡ଼ିଶାର ସମୃଦ୍ଧ ରୋଷେଇ ଶୈଳୀ ଓ ପରମ୍ପରାକୁ ସମ୍ମାନ ଜଣାଇ ଆଜି ଭୁବନେଶ୍ୱରସ୍ଥିତ ପାନ୍ଥନିବାସଠାରେ ଦୁଇ ଦିନିଆ 'ପଖାଳ ପର୍ବ' ଉଦଘାଟିତ ହୋଇଯାଇଛି। ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର ଏହି ଉଦଘାଟନୀ...

ଭୁବନେଶ୍ୱର: ଓଡ଼ିଶାର ସମୃଦ୍ଧ ରୋଷେଇ ଶୈଳୀ ଓ ପରମ୍ପରାକୁ ସମ୍ମାନ ଜଣାଇ ଆଜି ଭୁବନେଶ୍ୱରସ୍ଥିତ ପାନ୍ଥନିବାସଠାରେ ଦୁଇ ଦିନିଆ ‘ପଖାଳ ପର୍ବ’ ଉଦଘାଟିତ ହୋଇଯାଇଛି। ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର ଏହି ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସମେତ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମର ଶୋଭା ବର୍ଦ୍ଧନ କରିବେ।

ଉଦଘାଟନୀ ଅଧିବେଶନରେ ପଦ୍ମଶ୍ରୀ ଡକ୍ଟର ଅଶୋକ କୁମାର ମହାପାତ୍ର, ପଖାଳର ଔଷଧୀୟ ଗୁଣ ସମ୍ପର୍କରେ ଆଲୋକପାତ କରିବା ସହିତ ଜଗନ୍ନାଥ ସଂସ୍କୃତିରେ ଏହାର ଅନନ୍ୟ ମହତ୍ତ୍ୱକୁ ସେ ସୁନ୍ଦର ଭାବେ ଉପସ୍ଥାପନ କରିଥିଲେ। ପ୍ରଫେସର ଡକ୍ଟର ସିତିକଣ୍ଠ ମିଶ୍ର ଏବଂ ସନ୍ଦୀପ ମୁଖାର୍ଜୀ ପ୍ରମୁଖ ସ୍ଥାୟୀ ଖାଦ୍ୟର ଦର୍ଶନ, ଧାନର ବିବିଧତା ଏବଂ ଆଧୁନିକ ହୋଟେଲ ଶିଳ୍ପରେ ପାରମ୍ପରିକ ଖାଦ୍ୟର ପ୍ରାସଙ୍ଗିକତା ଉପରେ ଗୁରୁତ୍ୱପୂର୍ଣ୍ଣ ଅଭିଭାଷଣ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମର ଅନ୍ୟତମ ମୁଖ୍ୟ ଆକର୍ଷଣ ଥିଲା ଦୁଇଟି ବିଷୟଭିତ୍ତିକ ଆଲୋଚନା ଚକ୍ର, ଯେଉଁଥିରେ ଓଡ଼ିଆ ରୋଷେଇର ସାଂସ୍କୃତିକ ମୂଳ ଏବଂ ଭବିଷ୍ୟତର ସମ୍ଭାବନା ଉପରେ ଆଲୋକପାତ କରାଯାଇଥିଲା।

ପ୍ରଥମ ଆଲୋଚନା ଚକ୍ର ‘ମନ୍ଦିର ରୋଷେଇ ଶାଳରୁ ଘରୋଇ ଚୁଲି ପର୍ଯ୍ୟନ୍ତ: ଓଡ଼ିଆ ରୋଷେଇର ସାଂସ୍କୃତିକ ମୂଳ’ ଶୀର୍ଷକ ବିଷୟରେ ଡକ୍ଟର ସୁଧାଂଶୁ ଶେଖର ପଟ୍ଟନାୟକ, ଶ୍ରୀ ଦେବାଶିଷ ପଟ୍ଟନାୟକ, ଶ୍ରୀ ବିଶ୍ୱନାଥ ସାମନ୍ତରାୟ ଏବଂ ବି. ପି. ତ୍ରିପାଠୀ ଯୋଗଦେଇ ଓଡ଼ିଆ ଖାଦ୍ୟ ପରମ୍ପରାର ସାଂସ୍କୃତିକ, ଆଧ୍ୟାତ୍ମିକ ଏବଂ ଐତିହାସିକ ସମ୍ପର୍କ ବିଷୟରେ ମତ ରଖିଥିଲେ।

ଦ୍ୱିତୀୟ ଆଲୋଚନା ଚକ୍ର ‘ସ୍ଥାନୀୟ ପରମ୍ପରାରୁ ବିଶ୍ୱସ୍ତରୀୟ ବ୍ରାଣ୍ଡ: ଓଡ଼ିଆ ରୋଷେଇ ପାଇଁ ମାର୍କେଟିଂ ରଣନୀତି’ରେ ପ୍ରଫେସର ତପନ କୁମାର ପଣ୍ଡା, ପ୍ରଫେସର ପ୍ରୀତି ରଞ୍ଜନ ସାହୁ, ଶ୍ରୀମତୀ ରିତୁ ପଟ୍ଟନାୟକ ଏବଂ ଶେଫ୍ ଅବିନାଶ ନାୟକ ଅଂଶଗ୍ରହଣ କରିଥିଲେ। ଏଥିରେ ଓଡ଼ିଆ ଖାଦ୍ୟକୁ ଅନ୍ତର୍ଜାତୀୟ ସ୍ତରକୁ ନେବା ପାଇଁ ବ୍ରାଣ୍ଡିଂ ଏବଂ ଅଭିନବ ମାର୍କେଟିଂ ପଦ୍ଧତି ଉପରେ ଆଲୋଚନା ହୋଇଥିଲା। ଏହି ସମ୍ମିଳନୀରେ ସୁଦର୍ଶନ ସାହୁ, ଡକ୍ଟର ଜି. ଏ. କୁମାର (ନିର୍ଦ୍ଦେଶକ, CRRI), କୁମାରୀ ସ୍ୱସ୍ତି ମିଶ୍ର ଏବଂ ଶବନମ ଆଫ୍ରିନଙ୍କ ପରି ବିଶିଷ୍ଟ ବ୍ୟକ୍ତିମାନେ ସ୍ୱତନ୍ତ୍ର ଉପସ୍ଥାପନା କରିଥିବା ବେଳେ ଶେଫ୍ ମଞ୍ଜିତ ସିଂ ଗିଲ ଏବଂ ଡକ୍ଟର ସୁନୀତି ମୁଣ୍ଡଙ୍କ ଅଭିଭାଷଣ ଆଲୋଚନାକୁ ଅଧିକ ସମୃଦ୍ଧ କରିଥିଲା।

ଏହା ସହିତ ଓଡ଼ିଶୀ, ସମ୍ବଲପୁରୀ, ଆଦିବାସୀ ଏବଂ ଗୋଟିପୁଅ ପରି ସୁନ୍ଦର ସାଂସ୍କୃତିକ ନୃତ୍ୟ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା, ଯାହା ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ସହ ଖାଦ୍ୟ ପରମ୍ପରାର ଏକ ଅପୂର୍ବ ସମନ୍ୱୟ ସୃଷ୍ଟି କରିଥିଲା। ଏହା ଉଲ୍ଲେଖନୀୟ ଯେ, ପଖାଳ ପର୍ବ ୨୦୨୬ର ଏକ ଅଂଶ ଭାବରେ, ପର୍ଯ୍ୟଟନ ବିଭାଗ ଓଡ଼ିଶାର ସାଂସ୍କୃତିକ ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ସବୁଠାରୁ ବଡ଼ ‘ଫେରମେଣ୍ଟେଡ୍ ରାଇସ୍’ (ପଖାଳ) ପରିବେଷଣ କରି ଗିନିଜ୍ ୱାର୍ଲ୍ଡ ରେକର୍ଡ ହାସଲ କରିବାକୁ ପ୍ରୟାସ କରୁଛି। ୮୦୦-୮୫୦ କିଲୋଗ୍ରାମ ପଖାଳ ପ୍ରସ୍ତୁତ କରାଯାଉଥିବା ଏହି ପଦକ୍ଷେପ ଏହାର ପୁଷ୍ଟିକର ମୂଲ୍ୟ ଏବଂ କୃଷି ସମୃଦ୍ଧତାକୁ ପ୍ରଦର୍ଶିତ କରୁଛି। ‘ରବିନ୍ ହୁଡ୍ ଆର୍ମି’ ସହ ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଖାଦ୍ୟ ନଷ୍ଟ ନ କରିବାର କଠୋର ନୀତି ଅବଲମ୍ବନ କରାଯିବ, ଯାହା ଉତ୍ସବ ସହିତ ସ୍ଥିରତା ବା ସନ୍ତୁଳନର ଏକ ସୁନ୍ଦର ସମନ୍ୱୟ ରକ୍ଷା କରିବ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button