Clashes: ଜମି ବିବାଦରୁ ଥାନା ଭିତରେ ପିଟାପିଟି
ଘରେ ହଣାକଟା ହୋଇ ଥାନାକୁ ଆସିଲେ। ଏତିକିରେ ଥମିଲେ ନାହିଁ। ଥାନାରେ ପହଞ୍ଚି ପୁଲିସ ଉପସ୍ଥିତିରେ ପୁଣି ଉଭୟ ପକ୍ଷ ହାତାହାତି ହେଲେ। ମାରଣାସ୍ତ୍ରରେ ଆକ୍ରମଣ ପ୍ରତିଆକ୍ରଣ କଲେ।

ଭୁବନେଶ୍ବର: ଘରେ ହଣାକଟା ହୋଇ ଥାନାକୁ ଆସିଲେ। ଏତିକିରେ ଥମିଲେ ନାହିଁ। ଥାନାରେ ପହଞ୍ଚି ପୁଲିସ ଉପସ୍ଥିତିରେ ପୁଣି ଉଭୟ ପକ୍ଷ ହାତାହାତି ହେଲେ। ମାରଣାସ୍ତ୍ରରେ ଆକ୍ରମଣ ପ୍ରତିଆକ୍ରଣ କଲେ। ଥାନା କାନ୍ଥ ଓ ଚଟାଣ ରକ୍ତରଞ୍ଜିତ ହେଲା। ପୁଲିସ କର୍ମଚାରୀଙ୍କ ଉପରେ ବି ପଡ଼ିଲା ରକ୍ତଛିଟା। ଏଭଳି ଛାତିଥରା ଘଟଣା ଦେଖିବାକୁ ମିଳିଛି ଚନ୍ଦକା ଥାନାରେ। ଜମିବାଡ଼ି ବିବାଦରୁ ଗୋଟିଏ ପରିବାର ଦୁଇ ପକ୍ଷ ମଧ୍ୟରେ ଘଟିଥିବା ରକ୍ତାକ୍ତ ସଂଘର୍ଷ ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି। ପୁଲିସ ଉଭୟ ପକ୍ଷର ୧୩ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଗୋଟିଏ ପକ୍ଷର ଚନ୍ଦକା ଦାରୁଠେଙ୍ଗ ଅଞ୍ଚଳର ପୀତବାସ ପାଲଟାସିଂହ(୭୩), ପତ୍ନୀ ଗୀତାଞ୍ଜଳି ପାଲଟାସିଂହ(୫୪) ଓ ପୁଅ ସୁଶାନ୍ତ ପାଲଟାସିଂହ ଓରଫ ସାଗର(୩୨)। ଅନ୍ୟପକ୍ଷର ଦାରୁଠେଙ୍ଗ ଅଞ୍ଚଳର ପୀତବାସଙ୍କ ପୁଅ ସୌମ୍ୟରଞ୍ଜନ ପଲଟାସିଂହ ଓରଫ ସମୀର(୩୬) ଓ ବୋହୂ ଋତୁପ୍ରଜ୍ଞା ପଢିହାରୀ(୨୭), ନନ୍ଦନକାନନ ଥାନା ଗଣ୍ଡରପୁର ଅଞ୍ଚଳର କାଳନ୍ଦୀ ଚରଣ ରାଉତ(୪୬), ସ୍ମୃତିପ୍ରଜ୍ଞା ରାଉତ ଓରଫ ଚାମିଲି(୩୯), ରୁଦ୍ରନାରାୟଣ ରାଉତ(୨୪), ମୁକେଶ ପଢିହାରୀ(୬୨), ସରୋଜ ପଢିହାରୀ(୪୮), ଆଶିଷ ପଢିହାରୀ(୨୦), ଖୋର୍ଦ୍ଧା ଅଞ୍ଚଳର ଶ୍ୟାମସୁନ୍ଦର ସ୍ୱାଇଁ(୫୫) ଏବଂ କଟକ ଅଞ୍ଚଳର ଦାମୋଦର ସ୍ୱାଇଁ(୫୨)। ପୁଲିସ ସେମାନଙ୍କ ନିକଟରୁ ମାରଣାସ୍ତ୍ର ଜବତ କରିଛି।
ଜମି ଓ ଚନ୍ଦକା ଅଞ୍ଚଳରେ ଥିବା ଏକ ହୋଟେଲ୍କୁ ନେଇ ପୀତବାସଙ୍କ ଦୁଇ ପତ୍ନୀଙ୍କ ଦୁଇ ପୁଅ ସୁଶାନ୍ତ ଓ ସୌମ୍ୟରଂଜନଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ୨୧ ତାରିଖ ରାତି ପାଖାପାଖି ସାଢ଼େ ୧୦ଟା ସମୟରେ ସୁଶାନ୍ତଙ୍କ ପରିବାର ଓ ସୌମ୍ୟଙ୍କ ପରିବାର ମଧ୍ୟରେ ଭୀଷଣ ଗଣ୍ଡଗୋଳ ହେଲା। ସେମାନଙ୍କ ସମ୍ପର୍କୀୟ ମଧ୍ୟ ଘେରିଯାଇଥିଲେ। ମାରଣାସ୍ତ୍ରରେ ଆକ୍ରମଣ ପ୍ରତିଆକ୍ରମଣ ଯୋଗୁ ସୌମ୍ୟଙ୍କ ଡାହାଣ ହାତରେ ଖଣ୍ଡା ଚୋଟ ବାଜିଲା। ସେ ଓ ତାଙ୍କ ସମର୍ଥକ ଜୀବନ ବିକଳରେ ସେଠାରୁ ରକ୍ତାକ୍ତ ଅବସ୍ଥାରେ ଥାନାକୁ ଆସିଥିଲେ। ସେମାନେ ଥାନାରେ ପହଞ୍ଚି ପୁଲିସକୁ ଅଭିଯୋଗ ଜଣାଉଥିବା ବେଳେ ଅପରପକ୍ଷ ବି ପହଞ୍ଚିଥିଲେ। ସେମାନେ ପୁଲିସକୁ ବି ଖାତିର କରିନଥିଲେ। ଉଭୟ ପକ୍ଷ ଥାନାରେ ମଧ୍ୟ ପରସ୍ପରକୁ ମାରଣାସ୍ତ୍ରରେ ଆକ୍ରମଣ ପ୍ରତିଆକ୍ରମଣ କରିଥିଲେ। ଯିଏ ଯାହାକୁ ପାରିଲା ଥାନା ଭିତରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲା। ପୁଲିସ ଛଡ଼ାଇବାକୁ ଉଦ୍ୟମ କରୁଥିବା ବେଳେ ପୁଲିସକୁ ମଧ୍ୟ ସେମାନେ ପେଲାଠେଲା କରିଥିଲେ।
କିଛି ସମୟ ପାଇଁ ଥାନା ଏକପ୍ରକାର ରଣକ୍ଷେତ୍ର ପାଲଟିଯାଇଥିଲା। ସ୍ଥିତି ବିଗିଡ଼ିବା ଦେଖି ପୁଲିସ ଫୋର୍ସ ମଗାଯାଇଥିଲା। ପୁଲିସ ଦୁଇଟି ପୃଥକ ମାମଲା ରୁଜୁକରି ୧୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟପଟେ ଥାନା ଭିତରେ ପୁଲିସ କର୍ମଚାରୀଙ୍କ ଉପସ୍ଥିତିରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା। ଯାହାକି ସବୁଠୁ କଡ଼ା ସୁରକ୍ଷା କୁହାଯାଉଥିବା କମିସନରେଟ୍ ପୁଲିସର ଥାନା ଭିତରେ ଏଭଳି କାଣ୍ଡ ପୁଲିସର ଅପାରଗତାକୁ ପଦାରେ ପକାଇଥିଲା। ତେଣୁ ଘଟଣାକୁ ଚପାଇବା ପାଇଁ ପୁଲିସ ପକ୍ଷରୁ ଯଥା ସମ୍ଭବ ଉଦ୍ୟମ କରାଯାଇଥିଲା। ହେଲେ ଗଣ୍ଡଗୋଳର ଭିଡିଓ ଭାଇରାଲ୍ ହେବା ପରେ ପୁଲିସ ମାମଲାକୁ ସାର୍ବଜନୀନ କରିଥିଲା। ଆଉ ସଫେଇ ଦିଆଯାଇ କୁହାଯାଇଥିଲା ଏଠାରେ କୌଣସି ଛୁରାମାଡ଼ ହୋଇନଥିଲା। ଥାନାର ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ପରେ ଏହା ସ୍ପଷ୍ଟ କରାଯାଇଥିବା ପୁଲିସ କହିଛି।
ସୌଜନ୍ୟ ସମ୍ବାଦ




