CJP leaders: ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କ ଅଡ଼ୁଆ ବଢ଼ିଲା; କ୍ରାଇମ ବ୍ରାଞ୍ଚ ପକ୍ଷରୁ ସମନ ଜାରି, ହାଜର ହେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୨୧।୧୦: ସିଜେପି ନେତା ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାଙ୍କ ଅଡ଼ୁଆ ଥମିବାର ନାଁ ନେଉନାହିଁ । ଦିଲ୍ଲୀ ପୁଲିସର କ୍ରାଇମ ବ୍ରାଞ୍ଚ ପକ୍ଷରୁ ଉଭୟଙ୍କୁ ସମନ ଜାରି କରାଯାଇଛି । ପୁଲିସ ନିର୍ଦ୍ଦେଶ ଦେଇଛି ଯେ, ଉଭୟ ନେତା ଆଜି ଦିନ ୧୨ଟା ସମୟରେ ରାଜୌରୀ ଗାର୍ଡେନ୍ ସ୍ଥିତ କ୍ରାଇମ ବ୍ରାଞ୍ଚ କାର୍ଯ୍ୟାଳୟରେ ଉପସ୍ଥିତ ରହି ନିଜର ବୟାନ ରେକର୍ଡ କରାନ୍ତୁ । ମାମଲାର ବିଭିନ୍ନ ଦିଗକୁ ନେଇ ସେମାନଙ୍କୁ ପଚରାଉଚରା କରାଯିବ । ଏହି ଆଇନଗତ କାର୍ଯ୍ୟାନୁଷ୍ଠାନ ପରେ ଉଭୟଙ୍କ ପାଇଁ ସମସ୍ୟା ଆହୁରି ବଢ଼ିଥିବା ଦେଖିବାକୁ ମିଳିଛି ।
ବୁଧବାର ଜେଲରୁ ମୁକୁଳିଥିଲେ:
ଗତ ବୁଧବାର ଦିନ ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ (SEM) କୋର୍ଟ ଉଭୟ ନେତାଙ୍କୁ ୫୦,୦୦୦ ଟଙ୍କା ଲେଖାଏଁ ବ୍ୟକ୍ତିଗତ ମୁଚାଲିକା ଏବଂ ଜାମିନ ବଣ୍ଡ୍ ଆଧାରରେ ତିହାର ଜେଲରୁ ମୁକ୍ତ କରିବାକୁ ଆଦେଶ ଦେଇଥିଲେ । କୋର୍ଟରେ ଉଭୟ ନେତା ଏକ ଲିଖିତ ପ୍ରତିଶ୍ରୁତି ଦେଇଥିଲେ ଯେ, ଯେତେଦିନ ପର୍ଯ୍ୟନ୍ତ ଜନ୍ତର-ମନ୍ତର ଅଞ୍ଚଳ ଡି-ନୋଟିଫାଇଡ୍ ରହିବ, ସେମାନେ ସେଠାରେ ଶାନ୍ତି ଭଙ୍ଗ କରିବେ ନାହିଁ କିମ୍ବା କୌଣସି ପ୍ରଦର୍ଶନର ଆହ୍ୱାନ କରିବେ ନାହିଁ । ଦିଲ୍ଲୀ ପୁଲିସ ସେମାନଙ୍କ ନ୍ୟାୟିକ ହାଜତକୁ ଆହୁରି ୩ ଦିନ ବୃଦ୍ଧି କରିବାକୁ ଆବେଦନ କରିଥିଲା । ପୁଲିସର ଯୁକ୍ତି ଥିଲା ଯେ ସେମାନଙ୍କ ବୟାନରେ ପରସ୍ପର ବିରୋଧୀ କଥା ରହିଛି ଏବଂ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିପାରେ । ତଥାପି, ଓକିଲଙ୍କ ବିନା ସର୍ତ୍ତରେ କ୍ଷମା ପ୍ରାର୍ଥନା ଏବଂ ପ୍ରତିଶ୍ରୁତିକୁ ବିଚାରକୁ ନେଇ ମାଜିଷ୍ଟ୍ରେଟ ଅଧିକ ହାଜତ ଆବଶ୍ୟକତାକୁ ଖାରଜ କରିଦେଇଥିଲେ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୨୩ ତାରିଖ ଅପରାହ୍ନ ୩ଟାରେ ଧାର୍ଯ୍ୟ କରାଯାଇଛି ।
ସୌଜନ୍ୟ ପ୍ରମେୟ



