ବିଶେଷ

Brahmin: ଶୁଖିଗଲାଣି ବ୍ରାହ୍ମଣୀ

ବୈଶାଖ ଆସିନି, ଗ୍ରୀଷ୍ମ ଆରମ୍ଭ ‌ହୋଇନି। ଏବେଠୁ ଯାଜପୁର ଜିଲ୍ଲାର ଅନେକ ଜାଗାରେ ବ୍ରାହ୍ମଣୀ ଶୁଖିଗଲାଣି। କେଉଁଠି ଧାରେ ପାଣିସୁଅ ଚାଲିଛି ତ ପୁଣି କେଉଁଠି ନଦୀଶଯ୍ୟା ପୂରା ଶୁଖିଲା।

ବ୍ରହ୍ମବରଦା: ବୈଶାଖ ଆସିନି, ଗ୍ରୀଷ୍ମ ଆରମ୍ଭ ‌ହୋଇନି। ଏବେଠୁ ଯାଜପୁର ଜିଲ୍ଲାର ଅନେକ ଜାଗାରେ ବ୍ରାହ୍ମଣୀ ଶୁଖିଗଲାଣି। କେଉଁଠି ଧାରେ ପାଣିସୁଅ ଚାଲିଛି ତ ପୁଣି କେଉଁଠି ନଦୀଶଯ୍ୟା ପୂରା ଶୁଖିଲା। ରସୁଲପୁର ବ୍ଲକ୍‌ ବ୍ରହ୍ମବରଦା ପାଖାପାଖି ଅଞ୍ଚଳରେ ଅନେକ ସ୍ଥାନରେ ଏପରି ଚିତ୍ର ଦେଖିବାକୁ ମିଳିଛି। ଏହା ଦ୍ବାରା ସ୍ଥାନୀୟ ଲୋକଙ୍କ ଜୀବନଜୀବିକା ବିଭିନ୍ନ ଦିଗରୁ ପ୍ରଭାବିତ ହେଉଛି। ରବି ଫସଲକୁ ପାଣି ନାହିଁ। ମତ୍ସ୍ୟଜୀବୀଙ୍କ ଜାଲ ଆଉ ଫିଟୁ ନାହିଁ।

ସ୍ଥାନୀୟ ବୟୋଜ୍ୟେଷ୍ଠ ଲୋକମାନଙ୍କ କହିବା ଅନୁସାରେ, ୧୦/୧୫ ବର୍ଷ ତଳେ ଗ୍ରୀଷ୍ମଦିନରେ ବି ନଦୀରେ ଯଥେଷ୍ଟ ପାଣି ରହୁଥିଲା। ସେହି ପାଣିରେ ବିଭିନ୍ନ ଫସଲ, ଖରାଟିଆ ପନିପରିବା କରିବା ସହ ଲୋକମାନେ ନଦୀରୁ ପ୍ରଚୁର ମଧୁରମାଛ ଧରୁଥିଲେ। ତାକୁ ବିକି ବେଶ୍‌ ଦୁଇପଇସା ରୋଜଗାର କରୁଥିଲେ। ନଦୀକୂଳିଆ ଅଞ୍ଚଳର ପରିବେଶ ମଧ୍ୟ ଶୀତଳ ରହୁଥିଲା। ଏବେ ସ୍ଥିତି ପୂରା ବିପରୀତ। ନଦୀଶଯ୍ୟା ମରୁଭୂମି ସଦୃଶ, ଫସଲ ନାହିଁ କି ମାଛ ନାହିଁ। ଝାଲପଡ଼ାର ମତ୍ସ୍ୟଜୀବୀ ବିନୋଦ ଦଳାଇ କହନ୍ତି, ପୂର୍ବରୁ ବ୍ରାହ୍ମଣୀ ନଦୀରେ ବର୍ଷସାରା ଜଳଧାର ରହୁଥିଲା। ପ୍ରଚୁର ମାଛ ମଧ୍ୟ ମିଳୁଥିଲେ। ସେ ପିଲାଟି ଦିନରୁ ବାପାଙ୍କୁ ମାଛ ଧରିବାରେ ସାହାଯ୍ୟ କରୁଥିଲେ। ନିକଟସ୍ଥ ବଜାରରେ ବିକ୍ରି କରି ଜୀବିକାନିର୍ବାହ କରୁଥିଲେ। ଗତ ୮/୧୦ ବର୍ଷ ହେବ ନଦୀରେ ପାଣି ରହୁ ନ ଥିବାରୁ ମାଛ ସ୍ବପ୍ନ ହୋଇଯାଇଛି। ସେ ଏବେ ବାହାରୁ ମାଛ ମଗାଇ ବିକ୍ରି କରୁଛନ୍ତି ବୋଲି କହିଛନ୍ତି। ଦିନରାତି ବାଲି ଖନନ ତଥା ଉପରମୁଣ୍ଡରେ ବିଭିନ୍ନ ଶିଳ୍ପସଂସ୍ଥା ନଦୀରୁ ପାଣି ଟାଣି ନେଉଛନ୍ତି। ଦୂଷିତ ଜଳକୁ ନଦୀରେ ଛାଡ଼ି ଦେଉଛନ୍ତି। ତେଣୁ ନଦୀରେ ଆଗଭଳି ମାଛ ମିଳୁନାହାନ୍ତି। ବ୍ରହ୍ମବରଦା, ଚାନ୍ଦପୁର, ଲଙ୍କାବାଲିସାହି, ଚଅପୋଇ, ବାଲିଗୁଡ଼ା, କାକୁଡ଼ିକୁଦ, ମେଣ୍ତ, ଗୋଳକୁଣ୍ତ ଅଞ୍ଚଳରେ ବିଭିନ୍ନ ବେଆଇନ ବାଲିଘାଟରୁ ଦୈନିକ ଶହଶହ ଟ୍ରିପ୍‌ ବାଲି ଉତ୍ତୋଳନ କାରଣରୁ ନଦୀର ଗତିପଥ ଓ ଜଳପ୍ରବାହକୁ ପ୍ରଭାବିତ କରୁଛି।

 

ରୁଦ୍ରପୁର ଗ୍ରାମର ଚାଷୀମାନଙ୍କ କହିବାହେଲା, ସେମାନେ ଖରଦିନେ ନଦୀକୂଳରେ ଚିନାବାଦାମ, ତରଭୁଜ, ପୋଟଳ, କାକୁଡ଼ି ଆଦି ଚାଷ କରୁଥିଲେ। ନଦୀରେ ପାଣି ରହୁଥିବାରୁ ଜମିରେ ଆର୍ଦ୍ରତା ରହୁଥିଲା। ଫସଲ ଭଲ ଅମଳ ହେଉଥିଲା। ଏବେ ଅତ୍ୟଧିକ ବାଲି ଉତ୍ତୋଳନ ଯୋଗୁଁ ଭୂତଳ ଜଳସ୍ତର ଖସି ଖସି ଚାଲିଛି। ବର୍ଷା ନଥିବାରୁ ଫସଲ ନଷ୍ଟ କ୍ଷତିଗ୍ରସ୍ତ ହେଉଛି। ଏଥର ଜଳାଭାବରୁ ଚିନାବାଦାମ ଗଛ ଶୁଖିବାରୁ ଚାଷୀ ବିପୁଳ କ୍ଷତି ସହିଛି। ଅର୍ଥଙ୍ଗା ପଞ୍ଚାୟତର ଚଅପୋଇ, ଅର୍ଥଙ୍ଗା ମଙ୍ଗରାଜପୁର, ବାଲିଗୁଡା, ଖଣ୍ତାସ ଝାଲପଡ଼ା, କାକୁଡ଼ିକୁଦ, ନୀଳକଣ୍ଠପୁର, ମେଣ୍ତ ରୁଦ୍ରପୁର ପଞ୍ଚାୟତ ବଡ଼ବାଗସାହି, ରୁଦ୍ରପୁର, ମାଳିସାହି ଅଞ୍ଚଳରେ ଶହଶହ ଏକର ଚାଷ
ପ୍ରଭାବିତ ହେଉଛି।

Show More

Leave a Reply

Your email address will not be published. Required fields are marked *

Back to top button