
ନୂଆଦିଲ୍ଲୀ: ଆମେରିକା-ଇସ୍ରାଏଲ ସହ ଇରାନ ଯୁଦ୍ଧର ୨୮ତମ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟାରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ଆଭାସୀ ବୈଠକ କରିଛନ୍ତି। ଏହି ବୈଠକର ମୂଳ ଉଦ୍ଦେଶ୍ୟ ଥିଲା ପଶ୍ଚିମ ଏସିଆରେ ଚାଲିଥିବା ସଙ୍କଟର ପ୍ରଭାବ ସମୀକ୍ଷା କରିବା ଏବଂ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ମଧ୍ୟରେ ‘ଟିମ୍ ଇଣ୍ଡିଆ’ ଓ ‘ସମନ୍ବିତ ପ୍ରୟାସ’ ଭାବନାରେ କାର୍ଯ୍ୟ କରି ପ୍ରସ୍ତୁତି ତ୍ବରାନ୍ବିତ କରିବା।
ବୈଠକରେ ପ୍ରଧାନମନ୍ତ୍ରୀ ମୁଖ୍ୟତଃ ଇନ୍ଧନ ଯୋଗାଣ ଉପରେ ପ୍ରଭାବ ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ହର୍ମୁଜ ପ୍ରଣାଳୀରେ ଇରାନ ସୃଷ୍ଟି କରୁଥିବା ବ୍ୟାଘାତ ଯୋଗୁଁ ତୈଳ ଓ ଏଲ୍ପିଜି ଯୋଗାଣରେ ସୃଷ୍ଟି ହୋଇଥିବା ସଙ୍କଟର ମୁକାବିଲା ପାଇଁ ପ୍ରସ୍ତୁତି ଏବଂ ସମ୍ଭାବ୍ୟ ଅଭାବର ସମାଧାନ ଉପରେ ଆଲୋଚନା ହୋଇଛି। ବିଶ୍ୱ ବଜାରରେ ତୈଳ ମୂଲ୍ୟବୃଦ୍ଧି ଯୋଗୁଁ ଦେଶରେ ମୂଲ୍ୟବୃଦ୍ଧିର ସମ୍ଭାବନା ଏବଂ ତାହାକୁ ରୋକିବା ପାଇଁ କେନ୍ଦ୍ର-ରାଜ୍ୟ ସମନ୍ୱୟ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ। ଯୁଦ୍ଧ ଯୋଗୁଁ ସମଗ୍ର ଯୋଗାଣ ଶୃଙ୍ଖଳ ଉପରେ ପଡ଼ୁଥିବା ପ୍ରଭାବ ଏବଂ ତାହାର ସମାଧାନ ପାଇଁ ଯୋଜନା ଉପରେ ଆଲୋଚନା ହୋଇଛି।
ପ୍ରତ୍ୟେକ ରାଜ୍ୟର ପ୍ରସ୍ତୁତି ଓ ପଦକ୍ଷେପ ସଠିକ୍ ରଣନୀତି ଆଧାରିତ ହେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। କୋଭିଡ୍ ମହାମାରୀ ସମୟରେ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ମଧ୍ୟରେ ହୋଇଥିବା ସହଯୋଗର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ସଙ୍କଟରେ ମଧ୍ୟ ଏକାଠି କାର୍ଯ୍ୟ କରି ଦେଶର ଅର୍ଥନୈତିକ ଗତିକୁ ବଜାୟ ରଖିବାକୁ ପଡ଼ିବ। ନିର୍ବାଚନ ଘୋଷଣା ହୋଇଥିବା ରାଜ୍ୟ (ତାମିଲନାଡୁ, ପଶ୍ଚିମବଙ୍ଗ, ଆସାମ, କେରଳ ଓ ପଡୁଚେରୀ)ର ମୁଖ୍ୟମନ୍ତ୍ରୀମାନେ ଆଦର୍ଶ ଆଚରଣବିଧି କାରଣରୁ ବୈଠକରେ ଯୋଗ ଦେଇ ନ ଥିଲେ। କ୍ୟାବିନେଟ୍ ସଚିବାଳୟ ପକ୍ଷରୁ ସେହି ରାଜ୍ୟଗୁଡ଼ିକର ମୁଖ୍ୟ ସଚିବମାନଙ୍କ ସହ ପୃଥକ୍ ବୈଠକ ହେବ। ସୂଚନାଯୋଗ୍ୟ, ଏହି ବୈଠକ ପୂର୍ବରୁ ବୁଧବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ହୋଇଥିଲା, ଯେଉଁଥିରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଓ ପେଟ୍ରୋଲିୟମ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ ମଧ୍ୟ ଉପସ୍ଥିତ ଥିଲେ।
ସୌଜନ୍ୟ ସମ୍ବାଦ




