
ଭୁବନେଶ୍ବର: ଲଗାତାର ୯ ଦିନର ଅଚଳାବସ୍ଥା ପରେ ଆଜି ବିଧାନସଭା ସ୍ବାଭାବିକ ହୋଇଥିଲା। ପୂର୍ବାହ୍ଣରେ ବିଜୁ ବାବୁଙ୍କ ଉପରେ ଆଲୋଚନା ହୋଇଥିଲା ବେଳେ ବ୍ୟୟମଞ୍ଜୁରି ବିଲ୍ ଉପରେ ଲମ୍ବା ବିତର୍କ ହୋଇଥିଲା। ଶେଷ ପର୍ଯ୍ୟାୟରେ ପ୍ରାୟ ୪ ଘଣ୍ଟା ଧରି ଓଡ଼ିଶା ସରକାରୀ ବିଶ୍ବବିଦ୍ୟାଳୟ (ଶିକ୍ଷକ କ୍ୟାଡରରେ ସଂରକ୍ଷଣ) ବିଧେୟକ, ୨୦୨୬ ଉପରେ ବିଧାୟକମାନେ ଚର୍ଚ୍ଚା କରିଥିଲେ। ରାତି ଅଧ ପର୍ଯ୍ୟନ୍ତ ଆଲୋଚନା ହୋଇ ବିଲ୍ ପାରିତ ହୋଇଥିଲା। ସୂଚନାଯୋଗ୍ୟ ଯେ ପୂର୍ବରୁ ଅଧ୍ୟାଦେଶ ଆକାରରେ ଜାନୁଆରି ୩୦ ତାରିଖଠାରୁ ଏହା ବଳବତ୍ତର ରହିଛି।
ବିଲ୍ ସମ୍ପର୍କରେ ସୂଚନା ଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ, କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନଗୁଡ଼ିକ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ଶିକ୍ଷକ କ୍ୟାଡରରେ ସଂରକ୍ଷଣ ଆଇନ, ୨୦୧୯ ପାଳନ କରନ୍ତି, ଯାହା ସମଗ୍ର ବିଶ୍ବବିଦ୍ୟାଳୟକୁ ଏକକ ୟୁନିଟ୍ ଭାବରେ ବିବେଚନା କରେ। କିନ୍ତୁ ରାଜ୍ୟ ସରକାରୀ ବିଶ୍ବବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ନିଯୁକ୍ତିରେ ସଂରକ୍ଷଣ ପାଇଁ ରାଜ୍ୟରେ ଏପରି କୌଣସି ଆଇନ ନାହିଁ। ଏବେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ୨୦୮୬ ମଞ୍ଜୁରିପ୍ରାପ୍ତ ଶିକ୍ଷକ ପଦବି ଥିଲା ବେଳେ ଅଛନ୍ତି କେବଳ ୬୫୯ ଶିକ୍ଷକ। ତେଣୁ ଏକ ଆଇନ ପ୍ରଣୟନ କରି ଶୀଘ୍ର ସେହି ଖାଲି ପଦ ପୂରଣ କରିବା ଆବଶ୍ୟକ ମନେ ହେଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ସଂରକ୍ଷଣ ନୀତି ଅନୁଯାୟୀ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ସାମାଜିକ, ଶିକ୍ଷାଗତ ଭାବରେ ପଛୁଆବର୍ଗ (ଏସ୍ଇବିସି) ଏବଂ ଅନ୍ୟାନ୍ୟ ଯୋଗ୍ୟ ବର୍ଗର ପ୍ରତିନିଧିତ୍ବ ସୁନିଶ୍ଚିତ କରିବା ପାଇଁ ‘ବିଶ୍ବବିଦ୍ୟାଳୟକୁ ଏକକ’ ଭାବରେ ଗ୍ରହଣ କରି ଏହି ଆଇନ ପ୍ରଣୟନ କରୁଛନ୍ତି।
ସୌଜନ୍ୟ ସମ୍ବାଦ




