ଖେଳ

Double gold in hockey: ହକିରୁ ଯୁଗଳ ସ୍ବର୍ଣ୍ଣ: ଓଡ଼ିଶାର ପଦକ ସଂଖ୍ୟା ୪୫ ଛୁଇଁଲା, ୮ମ ଦିନରେ ଆଥଲେଟିକ୍ସରୁ ୭ ପଦକ

ଛତିଶଗଡ଼ର ରାୟପୁର, ଅମ୍ବିକାପୁର ଓ ଜଗଦଲପୁରଠାରେ ଖେଳାଯାଉଥିବା ପ୍ରଥମ ଖେଲୋ ଇଣ୍ଡିଆ ଜନଜାତି କ୍ରୀଡ଼ାର ଆଥଲେଟିକ୍ସ ଟ୍ରାକ୍‌ରୁ ଓଡ଼ିଶାର ପଦକ ଅମଳ ଜାରି ରହିଛି। ରାଜ୍ୟ ଖେଳାଳିମାନେ ଉଲ୍ଲେଖନୀୟ ସଫଳତା ସହ କେବଳ ଟ୍ରାକ୍‌ ଆଣ୍ଡ୍‌...

ଭୁବନେଶ୍ବର: ଛତିଶଗଡ଼ର ରାୟପୁର, ଅମ୍ବିକାପୁର ଓ ଜଗଦଲପୁରଠାରେ ଖେଳାଯାଉଥିବା ପ୍ରଥମ ଖେଲୋ ଇଣ୍ଡିଆ ଜନଜାତି କ୍ରୀଡ଼ାର ଆଥଲେଟିକ୍ସ ଟ୍ରାକ୍‌ରୁ ଓଡ଼ିଶାର ପଦକ ଅମଳ ଜାରି ରହିଛି। ରାଜ୍ୟ ଖେଳାଳିମାନେ ଉଲ୍ଲେଖନୀୟ ସଫଳତା ସହ କେବଳ ଟ୍ରାକ୍‌ ଆଣ୍ଡ୍‌ ଫିଲ୍‌ଡରୁ ବୁଧବାର ସୁଦ୍ଧା ୧୯ ପଦକ ଅମଳ କରି ନେଇଛନ୍ତି। ଆଜି ରାଜ୍ୟର ପ୍ରତିଭାବାନ ଆଥଲେଟ୍‌ମାନେ ଏକକାଳୀନ ଚାରିଟି ସ୍ବର୍ଣ୍ଣ ପଦକ ହାସଲ କରି ନେଇଛନ୍ତି। ସେହିଭଳି ହକିରେ ନିଜ ଆଧିପତ୍ୟ ଜାରି ରଖି ଓଡ଼ିଶାର ଉଭୟ ପୁରୁଷ ଓ ମହିଳା ଦଳ ସ୍ବର୍ଣ୍ଣ ପଦକ ଜିତି ନେଇଛନ୍ତି। ପୁରୁଷ ଦଳ ୪-୧ରେ ଝାଡ଼ଖଣ୍ଡକୁ ପରାସ୍ତ କରି ବିଜେତା ହୋଇଛି। ଲାସରୁସ୍‌ ବାର୍ଲାଙ୍କ ପ୍ରଶିକ୍ଷଣରେ ଖେଳିଥିବା ଓଡ଼ିଶା ପକ୍ଷରୁ ସତୀଶ ମୁଣ୍ଡା, ଅଭିଷେକ ଲାକ୍ରା, ଆକାଶ ‌ସୋରେଙ୍ଗ ଓ ଅମିତ କୁମାର ଟପ୍ପୋ ଗୋଲ୍‌ ଦେଇଥିଲେ। ସେହିଭଳି ମହିଳା ଦଳ ରୋମାଞ୍ଚକ ଫାଇନାଲ୍‌ରେ ମିଜୋରାମକୁ ୧-୦ ଗୋଲ୍‌ରେ ପରାସ୍ତ କରିଥିଲା। ଏକମାତ୍ର ଗୋଲ୍‌ଟି ଆଜମିନା କୁଜୁର ଦେଇଥିଲେ। ଉଭୟ ଦଳ ଅପରାଜିତ ରହି ସ୍ବର୍ଣ୍ଣିମ ସଫଳତା ହାସଲ କରିବା ଗର୍ବ ଓ ଗୌରବର ବିଷୟ ହୋଇଥିଲା।

ବୁଧବାରର ୬ ସ୍ବର୍ଣ୍ଣ ସହ ରାଜ୍ୟ ଦଳର ମୋଟ ପଦକ ସଂଖ୍ୟା ୪୫ରେ ପହଞ୍ଚିଛି। ସେଥିମଧ୍ୟରେ ରହିଛି ୧୯ ସ୍ବର୍ଣ୍ଣ, ୧୦ ରୌପ୍ୟ ଓ ୧୬ କାଂସ୍ୟ। ତା’ ସହିତ ଓଡ଼ିଶା ପଦକ ତାଲିକାର ଦ୍ବିତୀୟ ସ୍ଥାନରେ ଦୃଢ଼ ରହିଛି। ପ୍ରଥମ ସ୍ଥାନରେ ଥିବା କର୍ଣ୍ଣାଟକ (୩୬ ପଦକ, ୨୧ ସ୍ବର୍ଣ୍ଣ, ୮ ‌ରୌପ୍ୟ, ୭ କାଂସ୍ୟ)ଠାରୁ ଅଧିକ ପଦକ ପାଇଥିଲେ ମଧ୍ୟ କମ୍‌ ସ୍ବର୍ଣ୍ଣ ପାଇଥିବାରୁ ଓଡ଼ିଶା ଦ୍ବିତୀୟ ସ୍ଥାନରେ ରହିଛି। ଓଡ଼ିଶାର ପଦକଗୁଡ଼ିକ ସନ୍ତରଣ, ଭାରୋତ୍ତୋଳନ, ଦୌଡ଼କୁଦ, ହକି ଓ କୁସ୍ତିରୁ ମିଳିଛି। ଉଭୟ ସନ୍ତରଣ ଓ ଆଥଲେଟିକ୍ସରୁ ୭ଟି ଲେଖାଏଁ ସ୍ବର୍ଣ୍ଣ ମିଳିଛି।

ଆଜିର ପଦକ ବିଜେତାଙ୍କ ମଧ୍ୟରେ ରହିଛନ୍ତି ରୋଶନ ଖାଡ଼ିଆ ( ସ୍ବର୍ଣ୍ଣ, ପୁରୁଷ ୪୦୦ ମିଟର ହର୍ଡଲ୍‌ସ), ଦୟାନିଧି ମୁଣ୍ଡା ( ସ୍ବର୍ଣ୍ଣ, ପୁରୁଷ ୮୦୦ ମିଟର), ଆଲିସ ଏକ୍କା (ରୌପ୍ୟ, ମହିଳା ୧୦ କିଲୋମିଟର), ବାସନ୍ତୀ ମାଝୀ (କାଂସ୍ୟ, ମହିଳା ୪୦୦ ମିଟର ହର୍ଡଲ୍‌ସ), ଦୀପା କିଶନ (ସ୍ବର୍ଣ୍ଣ, ମହିଳା ହାଇଜମ୍ପ), ପୂର୍ଣ୍ଣିମା ସାଣ୍ଡିଲ (ରୌପ୍ୟ, ମହିଳା ୮୦୦ ମିଟର), ଧନମତି ଖେସ୍‌ (ସ୍ବର୍ଣ୍ଣ, ମହିଳା ଜାଭଲିନ) ପ୍ରମୁଖ।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button