
ନୀଳାଞ୍ଚଳ ପଟ୍ଟନାୟକ
ପାତ୍ରପୁର: ହଜିବାକୁ ବସିଲାଣି ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ‘ବମକୋଇ ପାଟ’। ସୋସାଇଟି ବନ୍ଦ ହେବା ସହ ସରକାରୀ ପ୍ରୋତ୍ସାହନ ଅଭାବରୁ ଏହି ହସ୍ତତନ୍ତ ଶିଳ୍ପ ମଉଳିଗଲାଣି। ଏବେ ବଜାରରେ ଅସଲି ବମକୋଇ ପାଟର ଜାଗା ନେଇସାରିଛି ନକଲି ପାଟ। ହାତବୁଣା ପାଟରେ ବିଶେଷ ଲାଭ ହେଉ ନ ଥିବାରୁ ବୁଣାକାରମାନେ ଏହି କୌଳିକ ବୃତ୍ତିରୁ ମୁହଁ ଫେରାଇବାରେ ଲାଗିଛନ୍ତି। ଗଞ୍ଜାମ ଜିଲ୍ଲା ବମକୋଇ ଗ୍ରାମରେ ୬୦ ବୁଣାକାର ପରିବାର ପାଟ ପ୍ରସ୍ତୁତିରେ ପ୍ରତ୍ୟକ୍ଷ ଭାବେ ଜଡ଼ିତ ଥିଲେ। ସାରା ଓଡ଼ିଶା ସମେତ ଦିଲ୍ଲୀ, ହରିୟାଣା ଭଳି ବିଭିନ୍ନ ରାଜ୍ୟରେ ଏହି ପାଟର ଚାହିଦା ରହିଥିଲା। ଏଥିପାଇଁ ଗ୍ରାମର ସ୍ୱର୍ଗତ ଚକ୍ରପାଣି ପାତ୍ର ରାଷ୍ଟ୍ରପତିଙ୍କ ଦ୍ବାରା ପୁରସ୍କୃତ ହୋଇଥିବା ବେଳେ ସ୍ୱର୍ଗତ କବିରାଜ ନାୟକଙ୍କ ଭଳି ବିଶିଷ୍ଟ ବୁଣାକାର ଅନେକ ସଂଗଠନ ପକ୍ଷରୁ ସମ୍ମାନିତ ହୋଇଛନ୍ତି। ସେହିପରି ସ୍ୱର୍ଗତ ଚୈତନ୍ୟ ନାୟକଙ୍କ ତତ୍ତ୍ୱାବଧାନରେ ଅନେକ ବୁଣାକାର ତାଲିମ ନେଉଥିଲେ। କିନ୍ତୁ ସମୟଚକ୍ରରେ ୫୭ ପରିବାର ପାଟ ବୁଣାରୁ ଦୂରେଇ ଯାଇଥିବା ବେଳେ ଗୋଟିଏ ପରିବାରର କେଶବ ନାୟକ ଏବଂ ତାଙ୍କର ଦୁଇ ପୁତୁରା କାହ୍ନୁ ନାୟକ ଓ ସୁଶାନ୍ତ କୁମାର ନାୟକ ଏହି କୌଳିକ ବୃତ୍ତିକୁ ଜାବୁଡ଼ି ଧରିଛନ୍ତି। ଆଗକୁ ସରକାରଙ୍କ କୃପାଦୃଷ୍ଟି ନ ପଡ଼ିଲେ ଆମେ ବି ପାଟବୁଣା ଛାଡ଼ିବାକୁ ବାଧ୍ୟ ହେବୁ ବୋଲି ‘ସମ୍ବାଦ’ ସହ ଆଲୋଚନା ବେଳେ କହିଛନ୍ତି। ସେହିପରି ଆର୍ଥିକ ସ୍ଥିତି ଦୋହଲିଯିବାରୁ ଦୁଇବର୍ଷ ତଳେ ଜଣେ ବୁଣାକାର ଦାଦନ ଖଟିବାକୁ ପଳାଇଛନ୍ତି। ବୁଣାକାରଙ୍କ ସମସ୍ୟା ନେଇ ବହୁବାର ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ହେଁ, କୌଣସି ସୁଫଳ ମିଳିନି। ୨୦୨୩ରେ ତତ୍କାଳୀନ କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଦର୍ଶନା ଜର୍ଦ୍ଦୋସ୍ ବମକୋଇ ଗ୍ରାମକୁ ଆସି ବୁଣାକାରମାନଙ୍କ ସହ ଆଲୋଚନା କରିବା ପରେ ସମସ୍ୟା ସମାଧାନ ପାଇଁ ରାଜ୍ୟ ବୟନ ଶିଳ୍ପ ନିର୍ଦ୍ଦେଶାଳୟ ତରଫରୁ ଉଦ୍ୟମ ଆରମ୍ଭ ହୋଇଥିଲା। ବ୍ରହ୍ମପୁରସ୍ଥିତ ବୟନ ଶିଳ୍ପ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରୁ ଅଧିକାରୀମାନେ ଗାଁକୁ ଆସି ବୁଣାକାରଙ୍କ ସମସ୍ୟା ଶୁଣିଥିଲେ। ଶିଳ୍ପର ପୁନରୁଦ୍ଧାର ଓ ପ୍ରୋତ୍ସାହନ ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ଏହାମଧ୍ୟରେ ତିନିବର୍ଷ ବିତିସାରିଥିଲେ ହେଁ, କୌଣସି ସୁଫଳ ମିଳିନି।
କଥା ଦେଇ ରଖିଲେନି କେନ୍ଦ୍ର ସରକାର
୬୦ ବୁଣାକାରଙ୍କ ଜାଗାରେ ଏବେ ଅଛନ୍ତି ମାତ୍ର ୩ ଜଣ
ଏଭଳି ପରିସ୍ଥିତିରେ ରାଜ୍ୟର କିଛି ବେପାରୀ ବମକୋଇ ପାଟର ଅବିକଳ ନକଲ ତିଆରି କରି ‘ବମକୋଇ ପାଟ’ ନାମରେ ପୁରସ୍କାର ହାତଉଛନ୍ତି। କିନ୍ତ ପ୍ରକୃତ ବୁଣାକାର ପ୍ରୋତ୍ସାହନରୁ ବଞ୍ଚିତ ହେଉଛନ୍ତି। ପୂର୍ବରୁ ବମକୋଇ ଗ୍ରାମରେ ୬୦ ବୁଣାକାର ପରିବାରକୁ ନେଇ ସୋସାଇଟି ଗଠିତ ହୋଇଥିଲା। ପାଟ ସମେତ ବିଭିନ୍ନ ଖଦି, ଲୁଙ୍ଗି, ଗାମୁଛା ଓ ଚଦର ବୁଣି ସେମାନେ ପରିବାର ପ୍ରତିପୋଷଣ କରୁଥିଲେ। କିନ୍ତୁ ଚୋରି ହେବାରୁ ସୋସାଇଟି ବନ୍ଦ ହୋଇଯାଇଥିଲା। ୧୮ ବର୍ଷ ତଳେ ଗ୍ରାମରେ ଅଗ୍ନିକାଣ୍ଡ ପରେ ବହୁ ବୁଣାକାର ଅନ୍ୟତ୍ର ପଳାଇଥିଲେ। ଏହାପରଠୁ ବୁଣାକାରଙ୍କ ଖରାପ ସମୟ ଆରମ୍ଭ ହୋଇଥିଲା। ବର୍ତ୍ତମାନ ଯେଉଁ ତିନିଜଣ ପାଟ ବୁଣୁଛନ୍ତି ସେମାନଙ୍କ ମଧ୍ୟରୁ ସୁଶାନ୍ତ କୁମାର ନାୟକ ସରକାରୀ ଜାଗାରେ ଘର କରିଥିବାରୁ ସେଠାରୁ ହଟିବାକୁ ପ୍ରଶାସନ ନୋଟିସ୍ ଜାରି କରିଛି। କିନ୍ତୁ ସେମାନଙ୍କ ସମସ୍ୟାର ସମାଧାନ ପ୍ରତି ସରକାର ଗୁରୁତ୍ବ ଦେଉ ନଥିବା ବୁଣାକାରମାନେ କହିଛନ୍ତି। ଏବେ ମଧ୍ୟ ବମକୋଇ ଓ ଆଖପାଖ ଗ୍ରାମରେ ଥିବା ବୁଣାକାରଙ୍କ ପାଇଁ ପ୍ରଶିକ୍ଷଣ କେନ୍ଦ୍ର ଖୋଲିଲେ ବମକୋଇ ପାଟ ନୂଆ ଜୀବନ ପାଇପାରନ୍ତା ବୋଲି ମତପ୍ରକାଶ ପାଉଛି।
ସୌଜନ୍ୟ ସମ୍ବାଦ




