IPL Fan Park: ‘କିଟ୍’ରେ ଆଜିଠାରୁ ଆଇପିଏଲ୍ ଫ୍ୟାନ୍ ପାର୍କ
ରାଜଧାନୀ ଭୁବନେଶ୍ୱରରେ ପୁଣି ଥରେ ଫେରିଛି କ୍ରିକେଟ୍ ଉତ୍ସାହ। ଚଳିତ ଟାଟା ଆଇପିଏଲ୍ ୨୦୨୬ ଋତୁକୁ କ୍ରିକେଟ୍ପ୍ରେମୀଙ୍କ ପାଇଁ ଅଧିକ ରୋମାଞ୍ଚକର କରିବା ଲକ୍ଷ୍ୟରେ ଭୁବନେଶ୍ୱରର ଦୂତୀ ଚାନ୍ଦ ଆଥଲେଟିକ୍ ଷ୍ଟାଡିୟମ୍ ପରିସରରେ ‘ଫ୍ୟାନ୍ ପାର୍କ’ର ଆୟୋଜନ କରାଯାଉଛି।

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ଥରେ ଫେରିଛି କ୍ରିକେଟ୍ ଉତ୍ସାହ। ଚଳିତ ଟାଟା ଆଇପିଏଲ୍ ୨୦୨୬ ଋତୁକୁ କ୍ରିକେଟ୍ପ୍ରେମୀଙ୍କ ପାଇଁ ଅଧିକ ରୋମାଞ୍ଚକର କରିବା ଲକ୍ଷ୍ୟରେ ଭୁବନେଶ୍ୱରର ଦୂତୀ ଚାନ୍ଦ ଆଥଲେଟିକ୍ ଷ୍ଟାଡିୟମ୍ ପରିସରରେ ‘ଫ୍ୟାନ୍ ପାର୍କ’ର ଆୟୋଜନ କରାଯାଉଛି। ଏନେଇ ଶୁକ୍ରବାର ବିସିସିଆଇ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ସୂଚନା ପ୍ରଦାନ କରାଯାଇଛି। ଏହି ପ୍ରୟାସ ୬ଷ୍ଠ ଥର ପାଇଁ କିଟ୍ରେ ଆୟୋଜିତ ହେଉଛି। କିଟ୍ର କ୍ରିଡା ଭିତ୍ତିଭୂମି ଓ ପର୍ଯ୍ୟାପ୍ତ ସୁବିଧାକୁ ଦୃଷ୍ଟିରେ ରଖି ବିସିସିଆଇ କିଟ୍କୁ ୨୦୧୭ ମସିହାରୁ ଏକ ସ୍ଥାୟୀ ଭେନ୍ୟୁ ଭଳି ସୁଯୋଗ ଦେଇ ଆସୁଛି। ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ ବନାମ ମୁମ୍ବାଇ ଇଣ୍ଡିଆନ୍ସ (ଅପରାହ୍ଣ ୩.୩୦) ଏବଂ ଗୁଜରାଟ ଟାଇଟନ୍ସ ବନାମ ରାଜସ୍ଥାନ ରୟାଲ୍ସ (ରାତି ୭.୩୦) ପାଇଁ ଅପରାହ୍ଣ ୨ଟା ୩୦ ମିନିଟରୁ ଏହି ଫ୍ୟାନ୍ ପାର୍କ ସର୍ବସାଧାରଣଙ୍କ ପାଇଁ ଖୋଲାଯିବ। ସେହିଭଳି ରବିବାର ମଧ୍ୟ ଡବଲ୍ ହେଡର୍ ରହିଛି।
ଅପରାହ୍ଣ ୩.୩୦ରେ ସନ୍ରାଇଜର୍ସ ହାଇଦ୍ରାବାଦ-ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଏବଂ ରାତି ୭.୩୦ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ-ଚେନ୍ନାଇ ସୁପର୍ କିଙ୍ଗ୍ସ ମୁକାବିଲା ଫ୍ୟାନ୍ପାର୍କରୁ ଦେଖିପାରିବେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି କାର୍ଯ୍ୟକ୍ରମରେ ପ୍ରବେଶ ପାଇଁ କୌଣସି ଶୁଳ୍କ ଧାର୍ଯ୍ୟ କରାଯାଇ ନାହିଁ, କ୍ରିକେଟ୍ପ୍ରେମୀ ସମ୍ପୂର୍ଣ୍ଣ ମାଗଣାରେ ଷ୍ଟାଡିୟମ୍ ଭଳି ପରିବେଶରେ ମ୍ୟାଚ୍ର ମଜା ନେଇପାରିବେ। ବିଶାଳ ସ୍କ୍ରିନରେ ମ୍ୟାଚ୍ର ସିଧା ପ୍ରସାରଣ ସହିତ ଦର୍ଶକଙ୍କ ମନୋରଞ୍ଜନ ପାଇଁ ମ୍ୟୁଜିକ୍, ବିଭିନ୍ନ ପ୍ରକାରର ଗେମ୍ ଜୋନ୍ ଏବଂ ସୁଆଦିଆ ଖାଦ୍ୟର ଷ୍ଟଲ୍ ମଧ୍ୟ ଉପଲବ୍ଧ ରହିବ। ଏଥିସହିତ ପ୍ରଶଂସକମାନେ ନିଜର ପ୍ରିୟ ଦଳ ଓ ଖେଳାଳିଙ୍କୁ ସମର୍ଥନ ଜଣାଇବା ପାଇଁ ଫେସ୍ ପେଣ୍ଟିଂ ଏବଂ ଅନ୍ୟାନ୍ୟ ସୁବିଧାର ସୁଯୋଗ ପାଇବେ। ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର ଖେଳ ଏବଂ ଭିଆଇପି ଅତିଥିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି।
Attack: ‘ମାଇକ୍ରୋସଫ୍ଟ, ଏନ୍ଭିଡିଆର ସମ୍ପୂର୍ଣ୍ଣ ଧ୍ବଂସ…’: ଇରାନ
ସୂଚନାଯୋଗ୍ୟ ଯେ, ଓଡ଼ିଶାରେ ଭୁବନେଶ୍ୱର ଓ ରାଉରକେଲାରେ ଏହି ଫ୍ୟାନ୍ ପାର୍କର ଆୟୋଜନ ହେଉଛି। ଗତ ବର୍ଷ ପ୍ରାୟ ୧୮ ହଜାରରୁ ଅଧିକ ଦର୍ଶକଙ୍କ ସମାଗମ ହୋଇଥିବା ବେଳେ ଚଳିତ ବର୍ଷ ଏହି ସଂଖ୍ୟା ଆହୁରି ବଢ଼ିବ ବୋଲି ଆଶା କରାଯାଉଛି। ସମଗ୍ର ଭାରତର କୋଣ ଅନୁକୋଣରେ ଆଇପିଏଲ୍ର ଉତ୍ସାହ ପହଞ୍ଚାଇବା ହିଁ ବିସିସିଆଇର ମୁଖ୍ୟ ଲକ୍ଷ୍ୟ ବୋଲି କୁହାଯାଇଛି। ଅଧିକରୁ ଅଧିକ ସଂଖ୍ୟାରେ କ୍ରିକେଟପ୍ରେମୀ ଏଠାକୁ ଆସି ଏହି ରୋମାଞ୍ଚକର ଅନୁଭୂତିର ସହଭାଗୀ ହେବାକୁ ଆୟୋଜକଙ୍କ ପକ୍ଷରୁ ନିବେଦନ କରାଯାଇଛି।
ସୌଜନ୍ୟ ସମ୍ବାଦ



