ଶ୍ରୀନଗର: ଶ୍ରୀନଗର ବିମାନବନ୍ଦରରେ ଦୁଇଜଣ ଆମେରିକୀୟ ନାଗରିକଙ୍କ ଜିନିଷପତ୍ରରୁ ସାଟେଲାଇଟ୍ ଫୋନ୍ ମିଳିବା ପରେ ସେମାନଙ୍କୁ ଅଟକ ରଖାଯାଇଛି। ସରକାରଙ୍କ ବିନା ଅନୁମତିରେ ଭାରତରେ ସାଟେଲାଇଟ୍ ଫୋନ୍ ବ୍ୟବହାର ନିଷିଦ୍ଧ ହୋଇଥିିବାବେଳେ ବିମାନ ସୁରକ୍ଷା ଅଧିକାରୀ ନିୟମିତ ଯାଞ୍ଚବେଳେ ସେମାନଙ୍କ ଜିନିଷପତ୍ରରେ ସାଟେଲାଇଟ୍ ଫୋନ୍ ପାଇଥିଲେ। ବିମାନବନ୍ଦର ସୁରକ୍ଷା ଅଧିକାରୀ ଦୁଇ ଆମେରିକୀୟ ନାଗରିକଙ୍କୁ ପଚରାଉଚରା କରିବା ପରେ ପୁଲିସକୁ ଅଧିକ ତଦନ୍ତ ପାଇଁ ହସ୍ତାନ୍ତର କରିଛି। ସେମାନଙ୍କ ମଧ୍ୟରେ ଜଣେ ମୋଣ୍ଟାନାର ଜେଫରି ସ୍କଟ୍ ବୋଲି ଜଣାପଡ଼ିଛି।
ଏହାକୁ ବିନା ଅନୁମତିରେ ରଖିଲେ ଗିରଫଦାରୀ କିମ୍ବା ୨ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା ରହିଛି। ଭାରତରେ ସାଟେଲାଇଟ୍ କମ୍ୟୁନିକେସନ ଡିଭାଇସ ବ୍ୟବହାର କରିବା ପୂର୍ବରୁ ପର୍ଯ୍ୟଟକଙ୍କୁ ଟେଲିକମ୍ୟୁନିକେସନ ବିଭାଗଠାରୁ ଲିଖିତ ଅନୁମତି ଆଣିବାକୁ ପଡ଼ିଥାଏ। ଗତ ବର୍ଷ ମେ ମାସରେ ଆମେରିକାରେ ରହୁଥିବା ଜଣେ ଚକ୍ଷୁରୋଗ ବିଶେଷଜ୍ଞଙ୍କୁ ପୁଡୁଚେରୀ ବିମାନବନ୍ଦରରେ ଅଟକ ରଖାଯାଇଥିଲା। ତାଙ୍କ ନିକଟରୁ ଇରିଡିୟମ ସାଟେଲାଇଟ୍ ଫୋନ ଉଦ୍ଧାର କରଯାଇଥିଲା।
ସୌଜନ୍ୟ ସମ୍ବାଦ

