Tamilnadu: ତାମିଲନାଡ଼ୁ ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ: ୧୬ ମୃତ, ୬ ଆହତ

ଚେନ୍ନାଇ: ତାମିଲନାଡ଼ୁର ବିରୁଧୁନଗର ଜିଲ୍ଲାର ଏକ ବାଣ ତିଆରି କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟି ୧୬ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ୬ ଜଣ ଆହତ ହୋଇଛନ୍ତି। ଜିଲ୍ଲାର କଟ୍ଟାନାରପଟ୍ଟି ଗାଁର ଏକ ବାଣ ତିଆରି ୟୁନିଟରେ ବିସ୍ଫୋରଣ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ବିସ୍ଫୋରଣ ଯୋଗୁଁ ଭୟଙ୍କର ଭାବେ ନିଆଁ ଚାରିଆଡ଼େ ବ୍ୟାପି ଯାଇଥିଲା। ବିସ୍ଫୋରଣ ବେଳେ ୩୦ ଜଣ ଲୋକ ଫ୍ୟାକ୍ଟ୍ରି ଭିତରେ ଥିଲେ। ୬ ଜଣ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଠଟି ମୃତଦେହ ଜବତ କରାଯାଇଥିବାବେଳେ ଏବେବି ଉଦ୍ଧାରକାର୍ଯ୍ୟ ଚାଲିଥିବା କର୍ତ୍ତୃପକ୍ଷ କହିଛନ୍ତି।

ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ନିଆଁ ବର୍ତ୍ତମାନ ନିୟନ୍ତ୍ରଣରେ ରହିଛି। ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌ କେ ଷ୍ଟାଲିନ୍‌ ଏହି ଘଟଣାରେ ଶୋକବ୍ୟକ୍ତ କରିବା ସହିତ ଆହତଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଷ୍ଟାଲିନ୍‌ ‘ଏକ୍ସ’ରେ ଏକ ପୋ‌ଷ୍ଟ କରି ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

ବିରୁଧୁନଗରରେ ଅନେକ ବାଣ କାରଖାନା ଥିବାବେଳେ ଅତୀତରେ ମଧ୍ୟ ଏହିପରି ଦୁର୍ଘଟଣା ଘଟି ଅନେକ ଲୋକ ମୃତାହତ ହୋଇଥିିବା ଦେଖାଯାଇଛି। ଚଳିତ ବର୍ଷ ଏପ୍ରିଲ ୧୩ ତାରିଖରେ ମଧ୍ୟ ଜିଲ୍ଲାର ଏକ ବାଣ ତିଆରି କାରଖାନାରେ ବିସ୍ଫୋରଣ ଘଟିଥିଲା। ୨୦୨୪ ମସିହା ଫେବ୍ରୁଆରି ୧୭ ତାରିଖରେ ଜିଲ୍ଲାର ଏହିପରି ଏକ ବାଣ କାରଖାନାରେ ବିସ୍ଫୋରଣ ଘଟି ୧୦ ଜଣଙ୍କର ମୃତ୍ୟୁ ହୋଇଥିଲା ଓ ୭ ଜଣ ଆହତ ହୋଇଥିଲେ। ସେହିବର୍ଷ ଜୁନ୍‌ରେ ଅନ୍ୟ ଏକ ବାଣ କାରଖାନାରେ ବିସ୍ଫୋରଣରେ ୪ ଜଣଙ୍କର ମୃତ୍ୟୁ ଓ ଜଣେ ଆହତ ହୋଇଥିଲେ।

 

 

 

 

ସୌଜନ୍ୟ ସମ୍ବାଦ