ଜେରୁଜେଲମ୍: ଇସ୍ରାଏଲ ଏବଂ ଲେବାନନ୍ ମଧ୍ୟରେ ଚାଲିଥିବା ଅସ୍ତ୍ରବିରତି ସତ୍ତ୍ୱେ, ପରିସ୍ଥିତି ଖରାପ ହେଉଥିବା ପରି ମନେ ହେଉଛି। ଦକ୍ଷିଣ ଲେବାନନ୍ରେ ଇସ୍ରାଏଲ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇ ଏୟାର ଷ୍ଟ୍ରାଇକ୍ କରାଯାଇଛି। ଏଥିରେ ଜଣେ ସାମ୍ବାଦିକଙ୍କ ସମେତ ପାଞ୍ଚ ଜଣଙ୍କ ଜୀବନ ଯାଇଛି। ଏହା ଅସ୍ତ୍ରବିରତି ଉପରେ ଚାପ ସୃଷ୍ଟି କରିଛି। ଲେବାନନ୍ ଅଭିଯୋଗ କରିଛି ଯେ, ଉଦ୍ଧାର କାର୍ଯ୍ୟ ସମୟରେ ଇସ୍ରାଏଲ ପୁଣି ଆକ୍ରମଣ ଆରମ୍ଭ କରିଛି।
ରିପୋର୍ଟ ଅନୁସାରେ, ପ୍ରଥମ ଆକ୍ରମଣରେ ଦକ୍ଷିଣ ଲେବାନନର ଆଟ୍-ତିରି ଗାଁରେ ଏକ ଗାଡ଼ିକୁ ଟାର୍ଗେଟ କରି କରାଯାଇଥିଲା। ଗାଡ଼ି ଭିତରେ ଥିବା ଦୁଇଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରେ ପହଞ୍ଚିଥିବା ସାମ୍ବାଦିକମାନଙ୍କୁ ମଧ୍ୟ ଧମକ ଦିଆଯାଇଥିଲା। ଇସ୍ରାଏଲୀ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) କହିଛି , ହେଜବୁଲ୍ଲାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି। ଦକ୍ଷିଣ ଲେବାନନରେ ହେଜବୁଲ୍ଲାର ଏକ ଘାଟିରୁ ବାହାରୁଥିବା ଦୁଇଟି ଯାନକୁ ଟାର୍ଗେଟ କରାଯାଇଛି। ସାମରିକ ବାହିନୀ କହିଛି , ଏକ ସମ୍ଭାବ୍ୟ ବିପଦକୁ ରୋକିବା ପାଇଁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ଆଇଡିଏଫ୍ କହିଛି ହେଜବୁଲ୍ଲାର ଅସ୍ତ୍ରବିରତି ଉଲ୍ଲଂଘନ ଯୋଗୁଁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେନା ଅନୁଯାୟୀ, ଦକ୍ଷିଣ ଲେବାନନର ସାଲୁକି ଅଞ୍ଚଳରେ ଦୁଇଜଣ ହେଜବୁଲ୍ଲା ସଦସ୍ୟ ଫରୱାର୍ଡ ଡିଫେନ୍ସ ଲାଇନ୍ ପାର କରି ଇସ୍ରାଏଲୀ ସୈନ୍ୟଙ୍କ ନିକଟକୁ ଆସିଯାଇଥିଲେ।
ଆଇଡିଏଫ୍ ଏକ ବିବୃତିରେ କହିଛି ଯେ, ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବିମାନ ଆକ୍ରମଣ କରାଯାଇଥିଲା ଏବଂ ଅଞ୍ଚଳରେ ଅପରେସନ୍ ଏବେ ବି ଜାରି ରହିଛି। ଏହି ଘଟଣାଗୁଡ଼ିକ ସ୍ପଷ୍ଟ କରୁଛି ଯେ ଅସ୍ତ୍ରବିରତି ସତ୍ତ୍ୱେ ଉତ୍ତେଜନା କମିନାହିଁ।
ଲେବାନନର ଜାତୀୟ ସମାଚାର ଏଜେନ୍ସି ଅନୁଯାୟୀ, ପ୍ରଥମ ଆକ୍ରମଣକୁ କଭରେଜ୍ କରିବା ପାଇଁ ଆସିଥିବା ଦୁଇ ଜଣ ସାମ୍ବାଦିକ ଏକ ବିମାନ ଆକ୍ରମଣର ଶିକାର ହୋଇଥିଲେ। ଏହି ଆକ୍ରମଣ ଯୋରଗୁ ଗାଁର ଏକ କୋଠାରେ ଭାଙ୍ଗି ଯାଇଥିଲା। ଯାହା ଫଳରେ ସେମାନେ ଭଗ୍ନାବଶେଷ ତଳେ ଫସି ଯାଇଥିଲେ। ସାମ୍ବାଦିକମାନଙ୍କ ମଧ୍ୟରୁ ଜଣେ, ଅମଲ୍ ଖଲିଲ୍, ସ୍ଥାନୀୟ ଗଣମାଧ୍ୟମ ଅଲ୍ ଅଖବାରରେ କାମ କରୁଥିଲେ।ଲେବାନନର ସୂଚନା ମନ୍ତ୍ରୀ ପଲ ମୋର୍କୋସ୍ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ବିବୃତିରେ ସେ କହିଛନ୍ତି, ସାମ୍ବାଦିକଙ୍କ ଉପରେ ଆକ୍ରମଣ ଗ୍ରହଣୀୟ ନୁହେଁ ଏବଂ ଇସ୍ରାଏଲକୁ ସମ୍ପୂର୍ଣ୍ଣ ଦାୟୀ କରାଯିବା ଉଚିତ। ସେ ଗଣମାଧ୍ୟମର ସୁରକ୍ଷା ଏବଂ ସ୍ୱାଧୀନତା ସୁନିଶ୍ଚିତ କରିବାକୁ ମଧ୍ୟ ଆହ୍ୱାନ କରିଛନ୍ତି।
ସୌଜନ୍ୟ ସମ୍ବାଦ

