ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସର ଦ୍ରୁତ ବୋଲର ଲୁଙ୍ଗି ଏନ୍ଗିଡିଗତକାଲି ପଞ୍ଜାବ ବିପକ୍ଷ ମ୍ୟାଚ୍ରେ ମୁଣ୍ଡରେ ଆଘାତର ଶିକାର ହୋଇଛନ୍ତି। ପଡ଼ିଆରେ ଆଘାତ ପାଇଲା ପରେ ଆଜି ସେ ତାଙ୍କର ପ୍ରଶସଂକମାନଙ୍କୁ ସ୍ବାସ୍ଥ୍ୟ ସଂପର୍କିତ ଅପ୍ଡେଟ୍ ଦେଇଛନ୍ତି। ସେ କହିଛନ୍ତି, ମୁଁ ପୁରା ଠିକ୍ ଅଛି। ଦକ୍ଷିଣ ଆଫ୍ରିକାର ଏହି ଦ୍ରୁତ ବୋଲର ରବିବାର ଇଷ୍ଟାଗ୍ରାମରେ ପୋଷ୍ଟ କରି ଲେଖିଛନ୍ତି, ବାର୍ତ୍ତା ପଠାଇଥିବାରୁ ଧନ୍ୟବାଦ ଜଣାଉଛି। ମୁଁ ଠିକ୍ ଅଛି। ଏନ୍ଗିଡିଙ୍କ ସୋସିଆଲ ମିଡିଆ ପୋଷ୍ଟ ପରେ ତାଙ୍କର ପ୍ରଶଂସକମାନେ ଆଶ୍ବସ୍ତି ଅନୁଭବ କରିଛନ୍ତି।
ଏନ୍ଗିଡିଙ୍କୁ ଦିଲ୍ଲୀ ମେକ୍ସ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ସେ ପଂଞ୍ଜାବ କିଙ୍ଗ୍ ବିପକ୍ଷରେ ମ୍ୟାଚ୍ ସମୟରେ ମୁଣ୍ଡ ଏବଂ ଗଳାରେ ଆଘାତ ପାଇଥିଲେ। ଦିଲ୍ଲୀ କ୍ୟାପିଟାଲ୍ସର ଅଧ୍ୟକ୍ଷ ସହଯୋଗୀ ମାଲିକ କିରଣ କୁମାର ଗାନ୍ଧୀ ହସ୍ପିଟାଲକୁ ଯାଇ ଭେଟିଥିଲେ।
କେମିତି ଘଟିଥିଲା ଘଟଣା?
ଏହି ଘଟଣା ପଞ୍ଜାବର ଇନିଂସ ସମୟରେ ଘଟିଥିଲା। ପଞ୍ଜାବ ବ୍ୟାଟିଂ କରୁଥିବା ବେଳେ ଦିଲ୍ଲୀ ବୋଲିଂ କରୁଥିଲା। ବୋଲିଂର ତୃତୀୟ ଓଭରର ୩ୟ ବଲରେ ଏହି ଅଘଟଣ ଘଟିଥିଲା। ସେହି ସମୟରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଅକ୍ଷର ପଟେଲ ବୋଲିଂ କରୁଥିଲେ। ପଞ୍ଜାବ ପାଇଁ ପ୍ରିୟାଂଶ ଆର୍ଯ୍ୟ ବ୍ୟାଟିଂ କରୁଥିଲେ। ପ୍ରିୟାଂଶ ମିଡ୍-ଅଫ୍ ଦିଗରେ ଏବ ବଡ଼ ସର୍ଟ ମାରିବାକୁ ଉଦ୍ୟମ କରିଥିଲେ। ଏନ୍ଗିଡି କ୍ୟାଚ୍ ଧରିବାକୁ ପଛରୁ ଦୌଡୁଥିଲେ। କିନ୍ତୁ କ୍ୟାଚକୁ ଅକ୍ତିଆର କରିପାରି ନଥିଲେ। କ୍ୟାଚ୍ ଉଦ୍ୟମ ସମୟରେ ତାଙ୍କର ମୁଣ୍ଡର ପଛଭାଗ ମାଟିରେ ଧକ୍କା ହୋଇଥିଲା।
ଲୁଙ୍ଗି ଏନ୍ଗିଡିକୁ ତୁରନ୍ତ ଏକ ଆମ୍ବୁଲାନ୍ସ ମାଧ୍ୟମରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆଶ୍ବସ୍ତିର କଥା ହେଲା ଯେ, ତାଙ୍କୁ ଶନିବାର ବିଳମ୍ବିତ ରାତିରେ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ତାଙ୍କର ଚିକିତ୍ସା ପାଇଁ ଦିଲ୍ଲୀ ପୁଲିସ ମାତ୍ର ୧୧ ମିନିଟରେ ଗ୍ରିନ କରିଡର ପ୍ରସ୍ତୁତ କରିଥିଲା। ଲୁଙ୍ଗି ଏନ୍ଗିଡିଙ୍କ ଆଘାତ ମାରାତ୍ମକ ନୁହେଁ ବୋଲି ଡାକ୍ତର କହିଛନ୍ତି।
ସୂଚନାଯୋଗ୍ୟ, ଆଇପିଏଲ୍ ୨୦୨୬ର ୩୫ତମ ମ୍ୟାଚ୍ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଶନିବାର ଖେଳାଯାଇଥିଲା। ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି କେଏଲ୍ ରାହୁଲଙ୍କ ଅପରାଜିତ ୧୫୨ ରନ୍ ବଳରେ ୨୬୪ ରନ୍ ସଂଗ୍ରହ କରିଥିଲା। ପଞ୍ଜାବ ବିଜୟ ଲକ୍ଷ୍ୟ ୨୬୫ ରନ୍କୁ ୧୮.୫ ଓଭରରେ ୪ଟି ୱିକେଟ ହରାଇ ହାସଲ କରିଥିଲା।
ସୌଜନ୍ୟ ସମ୍ବାଦ

