Justice Behera: ଠିକ୍‌ ପଦବିରେ ଯୋଗ୍ୟ ବ୍ୟକ୍ତି ନ ରହିଲେ ବିଭ୍ରାଟ ହୁଏ: ଜଷ୍ଟିସ୍‌ ବେହେରା

କଟକ: ଉତ୍କଳ ଗୌରବ ମଧୁସୂଦନ ଦାସ ଓଡ଼ିଶାର ପ୍ରଥମ ଓକିଲ ହେବା ସହ ପ୍ରଥମ ଓଡ଼ିଆ ସ୍ନାତକ, ସ୍ନାତକୋତ୍ତର, ବିଧାୟକ ଓ ମନ୍ତ୍ରୀ ଭାବେ ଓଡ଼ିଶା ଓ ଓଡ଼ିଆଙ୍କ ପାଇଁ ଅନେକ ଅବଦାନ ରଖି ଯାଇଛନ୍ତି। ବହୁ କ୍ଷେତ୍ରରେ ସେ ପ୍ରଥମ ହୋଇଛନ୍ତି। ତେଣୁ ଆଜିର ଓଡ଼ିଆମାନେ ସବୁକ୍ଷେତ୍ରରେ ପ୍ରଥମ ହେବାକୁ ଉଦ୍ୟମ କଲେ ତାହା ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ। ଉପଯୁକ୍ତ ବ୍ୟକ୍ତି ଉପଯୁକ୍ତ ପଦରେ ରହିଲେ ତାହା ସମାଜ ପାଇଁ ମଙ୍ଗଳକର ହୋଇଥାଏ। ଠିକ୍‌ ପଦବିରେ ଯୋଗ୍ୟ ବ୍ୟକ୍ତି ନ ରହିଲେ ତାହା ବିଭ୍ରାଟର କାରଣ ହୋଇଥାଏ ବୋଲି ଆଜି ‘ସମ୍ବାଦ’ ଓ ‘ଆମ ଓଡ଼ିଶା’ ପକ୍ଷରୁ ଗୋରାକବରରେ ଆୟୋଜିତ ସ୍ବାଭିମାନ ଦିବସ ସମାରୋହରେ ଯୋଗଦେଇ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଆନନ୍ଦ ଚନ୍ଦ୍ର ବେହେରା କହିଛନ୍ତି। ମଧୁବାବୁଙ୍କ ସମାଧିପୀଠ ଗୋରାକବରକୁ ଜଷ୍ଟିସ୍‌ ବେହେରା ଏକ ତୀର୍ଥକ୍ଷେତ୍ର ଭାବେ ବର୍ଣ୍ଣନା କରି କହିଛନ୍ତି ଯେ ଭାରତୀୟଙ୍କ ପାଇଁ ମହାତ୍ମା ଗାନ୍ଧୀଙ୍କ ସମାଧିସ୍ଥଳ ରାଜଘାଟ ଯେପରି ଏକ ପବିତ୍ର ସ୍ଥାନ‌, ସେହିଭଳି ଓଡ଼ିଶାବାସୀଙ୍କ ପାଇଁ କଟକର ଗୋରାକବର ଏକ ତୀର୍ଥସ୍ଥାନ। ମଧୁବାବୁ ଥିଲେ ସ୍ବାଭିମାନୀ ଓ ସଂଗ୍ରାମୀ। ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପଛରେ ଯେଉଁ ଲଢ଼େଇ ଚାଲିଥିଲା, ତାହା ପଛରେ ମୁଖ୍ୟ ନାୟକ ଥିଲେ ମଧୁବାବୁ। ତେଣୁ ପ୍ରତ୍ୟେକ ଓଡ଼ିଶାବାସୀ ମଧୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଜଷ୍ଟିିସ୍‌ ବେହେରା ଆହ୍ବାନ ଦେଇଥିଲେ।

ସୌଜନ୍ୟ ସମ୍ବାଦ