ରାଜ୍ୟ

Firecrackers: ଟ୍ରେନ୍‌ରେ ବାଣ ନେଲେ ଜେଲ୍‌: ୧୮ ପର୍ଯ୍ୟନ୍ତ ରେଳବର୍ଥର ୧୫ ଦିନିଆ ଅଭିଯାନ

ଯାତ୍ରୀମାନେ ଟ୍ରେନ୍‌ରେ ବାଣ, ଗ୍ୟାସ୍‌ ସିଲିଣ୍ଡର, ପେଟ୍ରୋଲ୍‌, କିରୋସିନ, ଏସିଡ୍ ଓ ଅନ୍ୟାନ୍ୟ ଦହନଶୀଳ ସାମଗ୍ରୀ ନେବା ଉପରେ କଟକଣା ଲାଗିଛି। ଏଭଳି ନିଷିଦ୍ଧ ସାମଗ୍ରୀ ଟ୍ରେନ୍‌ରେ ପରିବହନ କରିବା ରେଳ ଆଇନ, ୧୯୮୯ ଅନୁଯାୟୀ ଦଣ୍ଡନୀୟ ଅପରାଧ।

ଭୁବନେଶ୍ୱର: ଯାତ୍ରୀମାନେ ଟ୍ରେନ୍‌ରେ ବାଣ, ଗ୍ୟାସ୍‌ ସିଲିଣ୍ଡର, ପେଟ୍ରୋଲ୍‌, କିରୋସିନ, ଏସିଡ୍ ଓ ଅନ୍ୟାନ୍ୟ ଦହନଶୀଳ ସାମଗ୍ରୀ ନେବା ଉପରେ କଟକଣା ଲାଗିଛି। ଏଭଳି ନିଷିଦ୍ଧ ସାମଗ୍ରୀ ଟ୍ରେନ୍‌ରେ ପରିବହନ କରିବା ରେଳ ଆଇନ, ୧୯୮୯ ଅନୁଯାୟୀ ଦଣ୍ଡନୀୟ ଅପରାଧ। ଏଥିପାଇଁ ତିନି ବର୍ଷ ପର୍ଯ୍ୟନ୍ତ ଜେଲ୍‌ ହୋଇପାରେ। କୌଣସି ସନ୍ଦେହଜନକ ସାମଗ୍ରୀ କିମ୍ବା ନିୟମ ଉଲ୍ଲଂଘନ ଦେଖିଲେ ଯାତ୍ରୀମାନେ ସତର୍କ ରହି ରେଳ କର୍ମଚାରୀଙ୍କୁ ଜଣାଇବା ସହ ରେଳ ହେଲ୍ପଲାଇନ ନମ୍ବର ୧୩୯ରେ ସୂଚନା ଦେବାକୁ ପୂର୍ବତଟ ରେଳପଥ ପକ୍ଷରୁ ଅନୁରୋଧ କରାଯାଇଛି।

୧୮ ପର୍ଯ୍ୟନ୍ତ ରେଳବର୍ଥର ୧୫ ଦିନିଆ ଅଭିଯାନ
ଷ୍ଟେସନରେ ଯାଞ୍ଚ କରିବ ଆରପିଏଫ୍, ଜିଆରପି

ଦୀପାବଳି ସମୟରେ ଅଗ୍ନିକାଣ୍ଡ ରୋକିବା ଓ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ପୂର୍ବତଟ ରେଳପଥ ପକ୍ଷରୁ ୧୫ ଦିନିଆ ଜୋନାଲ୍‌ ନିରାପତ୍ତା ଅଭିଯାନ ଆରମ୍ଭ ହୋଇଛି। ନଭେମ୍ବର ୪ରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଖୋର୍ଦ୍ଧାରୋଡ୍‌, ସମ୍ବଲପୁର ଓ ରାୟଗଡ଼ା ମଣ୍ଡଳରେ ସମସ୍ତ ବିଭାଗର ଅଧିକାରୀ ଓ ପର୍ଯ୍ୟବେକ୍ଷକଙ୍କୁ ନେଇ ଏହି ଅଭିଯାନ ଚାଲିଛି। ସମ୍ଭାବ୍ୟ ଅଗ୍ନିକାଣ୍ଡର କାରଣ ଚିହ୍ନଟ କରିବା, ଅଗ୍ନି ନିର୍ବାପକ ଉପକରଣର ଉପଲବ୍ଧତା ଓ କାର୍ଯ୍ୟକ୍ଷମତା ଯାଞ୍ଚ କରିବା ସହ ଯାତ୍ରୀ ଓ ରେଳ କର୍ମଚାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଉଛି। ଏହି ଅଭିଯାନରେ ରେଳ ଅଧିକାରୀମାନେ ରେଳ ସୁରକ୍ଷା ବଳ(ଆରପିଏଫ୍) ଓ ସରକାରୀ ରେଳବାଇ ପୁଲିସ(ଜିଆରପି) ସହ ସମନ୍ୱୟ ରକ୍ଷା କରି ଲଗେଜ୍‌ ବଗି(ଏସ୍ଏଲ୍ଆର୍‌)ରେ ସାମଗ୍ରୀ ଲୋଡ୍ କରିବା ପୂର୍ବରୁ ଯାତ୍ରୀଙ୍କ ଲଗେଜ୍ ଓ ପାର୍ସଲଗୁଡ଼ିକର ଅଚାନକ ଯାଞ୍ଚ କରିବେ। ରେଳ ଷ୍ଟେସନ, କୋଚ୍‌, ପାଣ୍ଟ୍ରି କାର୍‌, ପାୱାର କାର୍ ଓ ଇଞ୍ଜିନ୍‌ରେ ଅଗ୍ନି ନିର୍ବାପକ ଯନ୍ତ୍ର ଏବଂ ଧୂଆଁ ଓ ଅଗ୍ନି ଚିହ୍ନଟ ଆଲାର୍ମ ବ୍ୟବସ୍ଥାର କାର୍ଯ୍ୟକ୍ଷମତା ମଧ୍ୟ ଯାଞ୍ଚ କରାଯିବ।

କୋଚ୍ ଓ ପାଣ୍ଟ୍ରି କାର୍‌ରେ ବିଦ୍ୟୁତ୍ ତାର ଏବଂ ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରାଯାଇ ଢିଲା ତାର ଓ ଅନ୍ୟାନ୍ୟ ସମ୍ଭାବ୍ୟ ବିପଦ ଚିହ୍ନଟ ହେବ। ମୋବାଇଲ୍ ଫୋନ୍ ଓ ଲାପଟପ୍ ଚାର୍ଜିଂ ପଏଣ୍ଟରେ ହିଟର୍‌ କିମ୍ବା ଅନ୍ୟ ବୈଦ୍ୟୁତିକ ଉପକରଣ ବ୍ୟବହାର ନକରିବାକୁ ଯାତ୍ରୀଙ୍କୁ ସଚେତନ, କୋଚ୍‌ରେ ‘ଧୂମପାନ ନିଷେଧ’ ସୂଚନା ଫଳକ ଲଗାଇବା, ଯାତ୍ରୀଙ୍କ ଯାତାୟାତ ପାଇଁ ପଥ, ଭେଷ୍ଟିବ୍ୟୁଲ୍ ଓ କୋଚ୍ ଦ୍ୱାରଗୁଡ଼ିକୁ ବାଧାମୁକ୍ତ ରଖିବା ନିଶ୍ଚିତ କରାଯିବ। ପାଣ୍ଟ୍ରି କାର୍‌ କର୍ମଚାରୀ ଓ ଠିକା କର୍ମଚାରୀଙ୍କୁ ଅଗ୍ନି ନିରାକରଣ ଏବଂ ଅଗ୍ନି ନିର୍ବାପକ ଯନ୍ତ୍ରର ସଠିକ୍ ବ୍ୟବହାର ସମ୍ପର୍କରେ ପରାମର୍ଶ ଦିଆଯିବ। ଯାତ୍ରୀଙ୍କୁ ଅଗ୍ନି ନିରାପତ୍ତା ସମ୍ପର୍କରେ ସଚେତନ କରିବାକୁ ରେଳ ଷ୍ଟେସନ ଓ ଟ୍ରେନ୍‌ଗୁଡ଼ିକରେ ସଚେତନତା ଫଳକ, ଷ୍ଟିକର୍ ଲଗାଯିବା ସହ ପ୍ରଚାରପତ୍ର ବଣ୍ଟନ କରାଯିବ। ଷ୍ଟେସନ କର୍ମଚାରୀ, କ୍ୟାବିନ କର୍ମଚାରୀ, ଗେଟ୍‌ମ୍ୟାନ୍ ଓ ଟ୍ରେନ୍ ପରିଚାଳନା ସହ ଜଡ଼ିତ କର୍ମଚାରୀଙ୍କୁ ଅଧିକ ସତର୍କ ରହିବା ସହ ଅତିକ୍ରମ କରୁଥିବା ଟ୍ରେନ୍‌ରେ ଅଗ୍ନିକାଣ୍ଡର କୌଣସି ସଙ୍କେତ ଦେଖିଲେ ତୁରନ୍ତ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସମନ୍ୱିତ ପଦକ୍ଷେପ ମାଧ୍ୟମରେ ଅଗ୍ନିକାଣ୍ଡ ରୋକିବା ସହ ଯାତ୍ରୀଙ୍କ ପାଇଁ ନିରାପଦ ଓ ସୁରକ୍ଷିତ ରେଳଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଲକ୍ଷ୍ୟ ରଖିଛି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button