ଆଜି ଭାରତୀୟ ସିନେମା ପରିସରରେ କୌଣସି ଚଳଚ୍ଚିତ୍ର ୧୦୦ କୋଟି ଟଙ୍କାର ବ୍ୟବସାୟ କରିବା ଖୁବ୍ ବଡ଼ ସଫଳତା ଭାବରେ ଗଣାଯାଉନାହିଁ। କିନ୍ତୁ ମାତ୍ର ଦୁଇ ଦଶନ୍ଧି ତଳେ କୌଣସି ଚଳଚ୍ଚିତ୍ର ଭାରତୀୟ ପ୍ରେକ୍ଷାଳୟରେ ୧୦୦ କୋଟି ଟଙ୍କା ଆୟ କରିବାର ନଜିର ନଥିଲା। ଆମିର ଖାଁଙ୍କ ‘ଗଜନି’ ୨୦୦୮ରେ ପ୍ରଥମ ଥର ପାଇଁ ଏହି ଅଙ୍କ ଟପି ‘୧୦୦ କୋଟି କ୍ଲବ୍’ର ଶୁଭାରମ୍ଭ କରିଥିଲେ। ଏହା ପରେ ପାଖାପାଖି ୧୫୦ଟି ଚଳଚ୍ଚିତ୍ର ୧୦୦ କୋଟି ଟଙ୍କାରୁ ଅଧିକ ବ୍ୟବସାୟ କରିସାରିଲେଣି। କିଛି ବଡ଼ ତାରକାଙ୍କ ଏକାଧିକ ଚଳଚ୍ଚିତ୍ର ଏହି ସଫଳତା ହାସଲ କରିବାର ନଜିର ରହିଛି। କିଛି ଚଳଚ୍ଚିତ୍ର ତ ୧୦୦୦ କୋଟି ଟଙ୍କାର ବ୍ୟବସାୟ ମଧ୍ୟ କଲେଣି। ତେବେ ଜଣେ ମାତ୍ର ଅଭିନେତାଙ୍କ ୨୦ଟି ଚଳଚ୍ଚିତ୍ର ଭାରତରେ ଶତାଧିକ କୋଟି ଟଙ୍କା ଆୟ କରିଛି।
ସେ ହେଉଛନ୍ତି ଅକ୍ଷୟ କୁମାର। ନିକଟରେ ମୁକ୍ତିଲାଭ କରିଥିବା ‘ଭୂତ ବଙ୍ଗଳା’ ଚଳଚ୍ଚିତ୍ରଟି ବକ୍ସ ଅଫିସରେ ୧୦୦ କୋଟି ଟଙ୍କାରୁ ଅଧିକ ଆୟ କରିବା ପରେ ଅକ୍ଷୟ କୁମାର ଏହି ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ଅକ୍ଷୟଙ୍କ ଏହି ୨୦ଟି ଚଳଚ୍ଚିତ୍ର ମଧ୍ୟରୁ ଛଅଟି କୋଭିଡ୍ ମହାମାରୀ ପରେ ଆସିଥିଲା। ଶହେ କୋଟି ଟଙ୍କା ଟପିଥିବା ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ୨୦୧୨ରେ ମୁକ୍ତିଲାଭ କରିଥିବା ‘ହାଉସ୍ଫୁଲ୍ ୨’। ‘୧୦୦ କୋଟି କ୍ଲବ୍’ ତାଲିକାରେ ତାଙ୍କ ପଛକୁ ଅଛନ୍ତି ସଲମାନ ଖାଁ (୧୮ଟି), ଅଜୟ ଦେବଗନ (୧୬ଟି) ଓ ଶାହରୁଖ ଖାଁ (୧୦ଟି)।
ସୌଜନ୍ୟ ସମ୍ବାଦ

