କଲମ୍ବୋ: ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ସଭାପତି ସାମ୍ମି ସିଲ୍ଭାଙ୍କ ଇସ୍ତଫା ପରେ ସେଠାକାର ସରକାର ବୋର୍ଡର ପରିଚାଳନା ଓ କାର୍ଯ୍ୟକାରୀ କମିଟିକୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି। ଏବେ ଶ୍ରୀଲଙ୍କାର କ୍ରୀଡ଼ା ଓ ଯୁବସେବା ବିଭାଗ ବୋର୍ଡର ପରିଚାଳନା କରିବ। ଏହା ସହିତ ଶ୍ରୀଲଙ୍କା କ୍ରିକେଟ୍ରେ କେତେକ ଢାଞ୍ଚାଗତ ସଂସ୍କାର ଲାଗି ସରକାର ଏକ ଅନ୍ତରୀଣ କମିଟି ଗଠନ କରିଛନ୍ତି ବୋଲି ଶ୍ରୀଲଙ୍କାର କ୍ରୀଡ଼ାମନ୍ତ୍ରୀ ସୁନୀଲ କୁମାର ଗମାଗେ ସୂଚନା ଦେଇଛନ୍ତି।
ବୋର୍ଡର କର୍ମକର୍ତ୍ତାମାନଙ୍କ ଉପରେ ଆର୍ଥିକ ଅନିୟମିତତା ନେଇ ଅଭିଯୋଗ ଉଠିବା ପରେ ସେମାନଙ୍କୁ ଇସ୍ତଫା ଦେବାକୁ ରାଷ୍ଟ୍ରପତି ଅନୁରା କୁମାର ଦିଶାନାୟକେ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ମଙ୍ଗଳବାର ବୋର୍ଡର କାର୍ଯ୍ୟନିର୍ବାହୀ କମିଟିର ଏକ ବୈଠକ ବସିଥିଲା, ଯାହାପରେ ସଭାପତିଙ୍କ ସମେତ ଅନ୍ୟମାନେ ଇସ୍ତଫା ଦେଇଥିଲେ। ସେମାନଙ୍କ ଇସ୍ତଫାକୁ ଗ୍ରହଣ କରାଯାଇଥିବା ଗମାଗେ କହିଛନ୍ତି।
ଗତ ସାତ ବର୍ଷ ହେଲା ସଭାପତି ପଦରେ ଥିବା ସିଲ୍ଭାଙ୍କ କାର୍ଯ୍ୟକଳାପ ନେଇ ଶ୍ରୀଲଙ୍କା ଖେଳାଳିମାନେ ଅଭିଯୋଗ କରିଆସୁଥିଲେ। ଏହା ସହିତ ବୋର୍ଡରେ ଆର୍ଥିକ ଅନିୟମିତତା ନେଇ ଅଭିଯୋଗ ଉଠୁଥିଲା। ତେବେ ଗତ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଶ୍ରୀଲଙ୍କା ଦଳର ଖରାପ ପ୍ରଦର୍ଶନ ପରେ ବୋର୍ଡ ଉପରେ ଚାପ ଅଧିକ ବଢିଯାଇଥିଲା। ଏହା ପରେ ସରକାର ବାଧ୍ୟ ହୋଇ ପରିସ୍ଥିତିରେ ହସ୍ତକ୍ଷେପ କରିଥିଲେ।
ସୌଜନ୍ୟ ସମ୍ବାଦ

