ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୬ର ୪୧ ତମ ମ୍ୟାଚ୍ରେ ମୁମ୍ବାଇକୁ ହାଇଦ୍ରାବାଦ ପରାସ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ମିଳିଥିବା ୨୪୪ ଲକ୍ଷ୍ୟ ନେଇ ସନରାଇଜର୍ସ ହାଇଦ୍ରାବାଦ୍ ବ୍ୟାଟିଂ କରିଥିଲା। ହାଇଦ୍ରାବାଦ ୧୮.୪ ଓଭରରେ ୪ ୱିକେଟ ହରାଇ ୨୪୯ ରନ୍ ସଂଗ୍ରହ କରିଛି। ହେନରିକ କ୍ଲାସେଁ ଏବଂ ସଲିଲ ଅରୋରଙ୍କ ଲଢୁଆ ବ୍ୟାଟିଂ ହାଇଦ୍ରାବାଦକୁ ବିଜୟ ଦେଇଛି। ଏହି ବିଜୟ ସହିତ ହାଇଦ୍ରାବାଦ ଚଳିତ ଆଇପିଏଲର ପଏଣ୍ଟ ଟେବୁଲରେ ୩ୟ ସ୍ଥାନ ଦଖଲ କରିଛି। ପୂର୍ବରୁ ତୃତୀୟ ସ୍ଥାନରେ ଥିବା ରାଜସ୍ଥାନ ଚତୁର୍ଥ ସ୍ଥାନକୁ ଖସିଥିବା ବେଳେ ପଞ୍ଜାବ ଏବଂ ବେଙ୍ଗାଲୁରୁ ଯଥାକ୍ରମେ ପ୍ରଥମ ଏବଂ ଦ୍ବିତୀୟ ସ୍ଥାନରେ ଅଛନ୍ତି।
ଅଭିଷେକ ଶର୍ମା ଏବଂ ଟ୍ରାଭିସ୍ ହେଡ୍ ଇନିଂସ ଆରମ୍ଭ କରିଥିଲେ। ଉଭୟ ବ୍ୟାଟର ପ୍ରଥମ ୱିକେଟ୍ ପାଇଁ ୧୨୯ ରନ୍ର ଭାଗିଦାରୀ କରିଥିଲେ। ଏଥିରେ ଅଭିଷେକଙ୍କ ବ୍ୟକ୍ତିଗତ ସ୍କୋର ୪୫ ରନ୍ ଥିଲା, ଯିଏ କି ୨୪ଟି ବଲ୍ ଖେଳି ୪ଟି ଚୌକା ଏବଂ ୩ଟି ଛକା ମାରିଥିଲେ। ଅଭିଷେକ ଆଉଟ ହେଲା ପରେ ପଡ଼ିଆକୁ ଈଶାନ କିଶନ ପ୍ରବେଶ କରିଥିଲେ। ସେ ଗୋଟିଏ ବଲ୍ ସାମ୍ନା କରିଥିଲେ ଏବଂ ଖାତା ଖୋଲି ନପାରି ଆଉଟ୍ ହୋଇଥିଲେ। ଯୁବ ବ୍ୟାଟର ନୀତିଶ କୁମାର ରେଡ୍ଡୀ ୨୧ ରନ୍ କରିଥିଲେ। ହେନ୍ରିକ୍ କ୍ଲାସେଁ ଅପରାଜିତ ୬୫ ରନ୍ ଏବଂ ସଲିଲ ଅରୋରା ଅପରାଜିତ ୩୦ ରନ୍ କରିଥିଲେ।
ୱାଙ୍ଖେଡେ ଷ୍ଟାଡିୟମରେ ଟସ୍ ଜିଣି ଆୟୋଜକ ମୁମ୍ବାଇ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ଟି ୱିକେଟ ହରାଇ ୨୪୩ ରନ୍ ସଂଗ୍ରହ କରଥିଲା। ମୁମ୍ବାଇ ପାଇଁ ୱିଲ୍ ଜାକ୍ସ ଏବଂ ରେୟାନ ରିକେଲ୍ଟନ ବ୍ୟାଟିଂ ଆରମ୍ଭ କରିଥିଲେ। ଉଭୟ ଖେଳାଳି ଏକ ଭଲ ଆରମ୍ଭ କରିଥିଲେ। ଦଳୀୟ ସ୍କୋରକୁ ପ୍ରଥମ ୱିକେଟରେ ୯୩ ରନ୍ରେ ପହଞ୍ଚାଇଥିଲେ। ଏଥିରୁ ଜ୍ୟାକ୍ଙ୍କ ବ୍ୟକ୍ତିଗତ ସ୍କୋର ୪୬ ରନ୍ ଥିଲା, ଯିଏକି ୨୨ଟି ବଲ୍ ଖେଳି ୫ଟି ଚୌକା ଏବଂ ୩ଟି ଛକା ମାରିଥିଲେ।
ମୁମ୍ବାଇର ବଡ଼ ସ୍କୋରରେ ରେୟାନ ରିକେଲ୍ଟନଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର ସାମିଲ ଥିଲା। ସେ ଅପରାଜିତ ରହି ୫୫ଟି ବଲ୍ ଖେଳି ୧୨୩ ରନ୍ ସଂଗ୍ରହ କରିଥିଲେ, ଯେଉଁଥିରେ ୧୦ଟି ଚୌକା ଏବଂ ୮ଟି ଛକା ସାମିଲ ରହିଛି। ହାଇଦ୍ରାବାଦର ଦ୍ବିତୀୟ ଶିକାର ହୋଇଥିଲେ ସୂର୍ଯ୍ୟକୁମାର ଯାଦବ। ଦଳର ସ୍କୋର ୧୧୦ ରନ୍ ଥିଲା ବେଳେ ସେ ୫ରନ୍ କରି ଆଉଟ୍ ହୋଇ ପାଭିଲିଅନ ଫେରିଥିଲେ। ମୁମ୍ବାଇ ତୃତୀୟ ୱିକେଟ୍ ଭାବେ ନମନ ଧୀରଙ୍କୁ ହରାଇ ଥିଲା। ନମନ ୧୭ଟି ବଲ୍ ସାମ୍ନା କରିଥିଲେ ଏବଂ ୩ଟି ଚୌକା ବଳରେ ୨୨ ରନ୍ ସଂଗ୍ରହ କରିଥିଲେ। ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୧୫ଟି ବଲ୍ ଖେଳି ୨ଟି ଚୌକା ଏବଂ ୨ଟି ଛକା ବଳରେ ୩୧ ରନ୍ ସଂଗ୍ରହ କରିଥିଲେ।
ସୌଜନ୍ୟ ସମ୍ବାଦ

