Judgement: ଓଡ଼ିଶା ନ୍ୟାୟପାଳିକାଙ୍କ ଜାମିନ୍ ସର୍ତ୍ତାବଳୀକୁ ସୁପ୍ରିମକୋର୍ଟଙ୍କ ତୀବ୍ର ନିନ୍ଦା

ନୂଆଦିଲ୍ଲୀ: ଓଡ଼ିଶା ହାଇକୋର୍ଟ ଓ ରାୟଗଡ଼ାର କେତେକ କୋର୍ଟ ଦଳିତ ଓ ଆଦିବାସୀ ସମ୍ପ୍ରଦାୟର ଅଭିଯୁକ୍ତମାନଙ୍କୁ ଦୁଇ ମାସ ପାଇଁ ପୁଲିସ ଷ୍ଟେସନ ସଫା କରିବା ପରି ବାଧ୍ୟତାମୂଳକ ଜାମିନ ସର୍ତ୍ତାବଳୀ ଲାଗୁ କରିବାକୁ ସୁପ୍ରିମକୋର୍ଟ ତୀବ୍ର ନିନ୍ଦା କରିଛନ୍ତି। ଏପରି ଏକ ମାମଲାରେ ରାୟ ଦେଇ ସୋମବାର ସୁପ୍ରିମକୋର୍ଟ ଓଡ଼ିଶା ନ୍ୟାୟପାଳିକାଙ୍କ ନିର୍ଦ୍ଦେଶାବଳୀକୁ ଅତ୍ୟନ୍ତ ଘୃଣ୍ୟ ବୋଲି କହିଥିଲେ। କୋର୍ଟ ଆହୁରି କହିଥିଲେ ଯେ, ଏହା ନ୍ୟାୟପାଳିକାଙ୍କ ଦ୍ବାରା ଜାତିଗତ ପକ୍ଷପାତକୁ ପ୍ରତିଫଳିତ କରୁଛି।
ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜୟମାଲ୍ୟ ବାଗଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଜାମିନ ସର୍ତ୍ତାବଳୀ ସମ୍ପର୍କରେ ରିପୋର୍ଟ ଉପରେ ପଞ୍ଜିକୃତ ଏକ ସ୍ୱତଃପ୍ରବୃତ୍ତ ମାମଲା ଉପରେ ବିଚାର କରି ଏପରି ରାୟ ଦେଇଛନ୍ତି। ଆଡଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଜଷ୍ଟିସ ସୂର୍ଯ୍ୟକାନ୍ତ କହିଛନ୍ତି, ଦୁର୍ଭାଗ୍ୟବଶତଃ, ଓଡ଼ିଶାର ହାଇକୋର୍ଟ ଓ କିଛି ଟ୍ରାଏଲ୍ କୋର୍ଟ ଏହି ଜାମିନ ସର୍ତ୍ତାବଳୀ ଲାଗୁ କରୁଛନ୍ତି, ଯାହା ଘୃଣା ଏବଂ ଜାତିଭିତ୍ତିକ ପକ୍ଷପାତିତାକୁ ପ୍ରତିଫଳିତ କରୁଛି। ସୂଚନାଯୋଗ୍ୟ, ଗତସପ୍ତାହରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ମେ ୨୮, ୨୦୨୫ରେ ଓଡ଼ିଶା ହାଇକୋର୍ଟ ଏପରି ରାୟ ପ୍ରଦାନ କରିଥିଲେ। କୁମେଶ୍ବର ନାଏକଙ୍କୁ କାଶୀପୁର ପୁଲିସ ଷ୍ଟେସନ ସଫା କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ମେ ୨୦୨୫ରୁ ଜାନୁଆରି ୨୦୨୬ ପର୍ଯ୍ୟନ୍ତ ଏପରି ଆଠଟି ରାୟ ପ୍ରକାଶ ପାଇଥିବାବେଳେ ୭ଟି ରାୟ ରାୟଗଡ଼ା ଜିଲ୍ଲାର ବିଭିନ୍ନ କୋର୍ଟ ଓ ଗୋଟିଏ ହାଇକୋର୍ଟଙ୍କ ଦ୍ବାରା ଦିଆଯାଇଥିଲା।
ସୌଜନ୍ୟ ସମ୍ବାଦ




