US-Iran Tensions: ଆମେରିକୀୟ ଯୁଦ୍ଧଜାହାଜ ଉପରେ ୨ କ୍ଷେପଣାସ୍ତ୍ର ମାଡ଼, ଇରାନର ଆକ୍ରମଣ ଦାବିକୁ ଅସ୍ୱୀକାର କଲା ଆମେରିକା

ୱାସିଂଟନ/ତେହେରାନ: ଉପସାଗରୀୟ ଅଞ୍ଚଳରେ ଚାଲିଥିବା ସାମରିକ ଗତିରୋଧ ଏବେ ଏକ ବିପଜ୍ଜନକ ମୋଡ଼ରେ ପହଞ୍ଚିଛି। ଇରାନର ଇସଲାମିକ୍ ରେଭଲ୍ୟୁସନ ଗାର୍ଡସ୍ କର୍ପସ୍ (ଆଇଆର୍ଜିସି) ନୌସେନା ଦାବି କରିଛି, ସେମାନେ ହର୍ମୁଜ୍ ପ୍ରଣାଳୀ ଦେଇ ଯିବାକୁ ଚେଷ୍ଟା କରୁଥିବା ସମୟରେ ଏକ ଆମେରିକୀୟ ନୌସେନା ଯୁଦ୍ଧଜାହାଜ ଉପରେ ଦୁଇଟି କ୍ଷେପଣାସ୍ତ୍ର ମାଡ଼ କରିଛନ୍ତି।
ଇରାନୀ ସମାଚାର ଏଜେନ୍ସି ଫାର୍ସ ଅନୁଯାୟୀ, ଆମେରିକା ଜାହାଜ ଇରାନୀ ନୌସେନାର ଚେତାବନୀକୁ ଅଣଦେଖା କରିବା ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଇରାନୀ ଗଣମାଧ୍ୟମ ଦାବି କରିଛି ଯେ ଦକ୍ଷିଣ ବନ୍ଦର ସହର ଜାସ୍କ ନିକଟରେ ନିୟମ ଉଲ୍ଲଂଘନ କରି ଏକ ଆମେରିକୀୟ ଯୁଦ୍ଧଜାହାଜ ଯାତ୍ରା କରୁଥିଲା। ଇରାନୀ ନୌସେନା ଦ୍ୱାରା ସତର୍କ କରାଯିବା ପରେ, ଏହା ଉପରେ ଦୁଇଟି କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା, ଯାହା ଫଳରେ ଆମେରିକୀୟ ଜାହାଜ ପଛକୁ ହଟି ପଳାଇବାକୁ ବାଧ୍ୟ ହୋଇଥିଲା।
ତେବେ,ଆମେରିକା ସେନା ଏହି ଦାବିଗୁଡ଼ିକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରି କହିଛି ଯେ, ଆମର କୌଣସି ଜାହାଜ କ୍ଷେପଣାସ୍ତ୍ର ଦ୍ୱାରା ଆଘାତ ପାଇନାହିଁ। ଏହି ସମୟରେ, ଇରାନ ସ୍ପଷ୍ଟ କରିଛି ଯେ କୌଣସି ବିଦେଶୀ ଜାହାଜକୁ ତାଙ୍କ ଅନୁମତି ବିନା ହର୍ମୁଜ୍ ପ୍ରଣାଳୀ ଦେଇ ଯିବାକୁ ଦିଆଯିବ ନାହିଁ ଏବଂ ଉଲ୍ଲଂଘନକାରୀଙ୍କୁ କଡ଼ା ଜବାବ ଦିଆଯିବ। ଜଣେ ବରିଷ୍ଠ ଆମେରିକୀୟ ଅଧିକାରୀ ଇରାନୀ ଗଣମାଧ୍ୟମର ମିଥ୍ୟା ରିପୋର୍ଟକୁ ଖାରଜ କରିଛନ୍ତି ଯେ, ଏକ ଆମେରିକୀୟ ଜାହାଜ କ୍ଷେପଣାସ୍ତ୍ର ଦ୍ୱାରା ଆଘାତ ପାଇଛି।
ଆମେରିକା ଦାବି କରୁଛି ଏହାର କୌଣସି ଜାହାଜ କ୍ଷତିଗ୍ରସ୍ତ ହୋଇନାହିଁ। ଏହି ବିବାଦ ଏପରି ଏକ ସମୟରେ ଆସିଛି ଯେତେବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ପ୍ରୋଜେକ୍ଟ ଫ୍ରିଡମ୍ ଘୋଷଣା କରିଥିଲେ। ଏହି ମିଶନ ଅଧୀନରେ, ସୋମବାର ଦିନ ଆମେରିକାର ସେନା ହର୍ମୁଜ୍ ପ୍ରଣାଳୀରେ ଫସି ରହିଥିବା ଅନ୍ୟ ଦେଶର ଜାହାଜଗୁଡ଼ିକୁ ସୁରକ୍ଷିତ ଭାବରେ ବାହାର କରିବା କାର୍ଯ୍ୟ ଆରମ୍ଭ କରିବ। ଇରାନର ମୁଖ୍ୟ ସାମରିକ କମାଣ୍ଡ,ଖାତମ ଅଲ-ଆନବିୟା କେନ୍ଦ୍ରୀୟ ମୁଖ୍ୟାଳୟ ଏକ ଚେତାବନୀ ଜାରି କରିଛି, ଯଦି ଆମେରିକା କିମ୍ବା ଅନ୍ୟ କୌଣସି ଦେଶର ସେନା ହର୍ମୁଜ୍ରେ ପ୍ରବେଶ କରିବାକୁ ଚେଷ୍ଟା କରେ, ତେବେ ଏହା ଉପରେ ଆକ୍ରମଣ କରାଯିବ।
ସୌଜନ୍ୟ ସମ୍ବାଦ




