କୋଲକାତା/ଭୁବନେଶ୍ବର: ଭାରତରେ ମନ୍ଦିରକୁ ନେଇ ରାଜନୀତି କରାଯାଏ। କିନ୍ତୁ ସବୁ ସମୟରେ ଏହା ସଫଳ ହୁଏ ନାହିଁ। ଗତ ପ୍ରାୟ ୨ ବର୍ଷ ମଧ୍ୟରେ ଦେଶର ୩ଟି ପ୍ରମୁଖ ରାଜ୍ୟ ଓ ସ୍ଥାନରେ ହୋଇଥିବା ନିର୍ବାଚନ ଫଳାଫଳକୁ ବିଶ୍ଳେଷଣ କଲେ ଏହି ଚିତ୍ର ସାମନାକୁ ଆସିଛି। ମନ୍ଦିର ରାଜନୀତି କ୍ଷମତାରେ ଥିବା ଦଳ ଓ ବ୍ୟକ୍ତିଙ୍କ ପାଇଁ କାଳ ହେଉଛି। ୨୦୨୪ ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶ ଓ ଓଡ଼ିଶାରେ ମନ୍ଦିରକୁ ନେଇ ରାଜନୀତି କରିଥିବା ଦଳ ଏହାର କୁପରିଣାମ ଭୋଗିଥିବାବେଳେ ଆଜି ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସର ମଧ୍ୟ ସମାନ ଅବସ୍ଥା ହୋଇଛି। ଏଠାରେ ମନେ ପକାଇ ଦିଆଯାଇ ପାରେ ଯେ ୨୦୨୪ ଜାନୁଆରି ୨୨ରେ ଅଯୋଧ୍ୟାରେ ନିର୍ମିତ ଭବ୍ୟ ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ମୋଦୀ ସରକାର ବହୁ ଆଡ଼ମ୍ବରରେ କରିଥିଲେ। କିନ୍ତୁ ଏହା ପରେ ଏପ୍ରିଲରେ ଅନୁଷ୍ଠିତ ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶରେ ବିଜେପି ଓ ଏନଡିଏ ସାଂସଦ ସଂଖ୍ୟା ୩୬କୁ କମିଯାଇଥିଲା। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା ଫୈଜାବାଦ ଲୋକସଭା ଆସନ, ଯାହା ଅଧୀନରେ ଅଯୋଧ୍ୟା ରାମମନ୍ଦିର ରହିଛି ସେଠାରେ ମଧ୍ୟ ବିଜେପି ପ୍ରାର୍ଥୀ ପରାଜିତ ହୋଇଥିଲେ। ଦେଶରେ ୪୦୦ରୁ ଅଧିକ ଆସନ ପାଇବାକୁ ଆଶା ରଖି ଅବ୍ କୀ ବାର୍ ୪୦୦ ପାର୍ ସ୍ଲୋଗାନ ଦେଉଥିବା ବିଜେପିକୁ ମଧ୍ୟ ନିରାଶ ହେବାକୁ ପଡ଼ିଥିଲା। ଏହି ଦଳର ଆସନ ସଂଖ୍ୟା ୨୪୦ରେ ସୀମିତ ରହିଯାଇଥିଲା।
ଦେଶରେ ବିଜେପି ରାମ ମନ୍ଦିର ରାଜନୀତି ଆରମ୍ଭ କରିଦେଇଥିବା ବେଳେ ଓଡ଼ିଶାରେ ମଧ୍ୟ ଜଗନ୍ନାଥଙ୍କୁ ନେଇ ରାଜନୀତି ଆରମ୍ଭ କରାଯାଇଥିଲା। ସେତେବେଳେ କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ଜଗନ୍ନାଥଙ୍କୁ ବିଜେଡି ଗାଁ ଗାଁରେ ଗାଡ଼ିରେ ରଖି ବୁଲାଇଲେ। ୨୦୨୪ ଜାନୁଆରି ୧୭ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରେ ଜଗନ୍ନାଥ ପରିକ୍ରମା ପ୍ରକଳ୍ପର ଉଦ୍ଘାଟନ କଲେ। କିନ୍ତୁ ଓଡ଼ିଶାବାସୀ ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନରେ ପରାଜୟର ସ୍ବାଦ ଚଖାଇଦେଲେ। କେବଳ
ପୁରୀ ନୁହେଁ ରାଜ୍ୟର ୨୧ଟି ଲୋକସଭା ଆସନରେ ବିଜେଡି ମୂଳପୋଛ ହୋଇଗଲା। ରାଜ୍ୟର ଶାସନ ଡୋରି ମଧ୍ୟ ବିଜେଡି ଠାରୁ ବିଜେପି ନିକଟକୁ ଚାଲିଗଲା। ସଂପ୍ରତି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସକୁ ସମାନ ଦଶା ଭୋଗିବାକୁ ପଡ଼ିଛି। ଜଗନ୍ନାଥପ୍ରେମୀଙ୍କୁ ବାନ୍ଧି ରଖିବା ପାଇଁ ସେ ଦୀଘାରେ ଏକ ଜଗନ୍ନାଥ ମନ୍ଦିର ୨୦୨୫ ଏପ୍ରିଲ ୩୦(ଅକ୍ଷୟ ତୃତୀୟା)ରେ ଉଦ୍ଘାଟନ କରିଥିଲେ। ଜଗନ୍ନାଥପ୍ରେମୀ ବଙ୍ଗୀୟ ଦର୍ଶକଙ୍କୁ ସେଠାରେ ବାନ୍ଧି ରଖିବା ଲାଗି ସେ ଦୀଘାକୁ ଜଗନ୍ନାଥ ଧାମ ବୋଲି ମଧ୍ୟ ଘୋଷଣା କଲେ। ଏହାକୁ ନେଇ ବିବାଦ ହେଲା। ହିନ୍ଦୁ ପଣ୍ଡିତମାନେ ପୁରୀଛଡ଼ା ଅନ୍ୟ କୌଣସି ସ୍ଥାନକୁ ଜଗନ୍ନାଥ ଧାମ କୁହାଯାଇ ପାରିବ ନାହିଁ ବୋଲି ରୋକଠୋକ୍ ମତ ଦେଲେ। ମନ୍ଦିର ରାଜନୀତି କରିବାକୁ ଯାଇ ମମତା ଚଳିତ ନିର୍ବାଚନରେ ଚିତପଟାଙ୍ଗ ମାରିଛନ୍ତି। ୧୫ ବର୍ଷ ଧରି ରାଜ୍ୟରେ କ୍ଷମତାରେ ଥିବା ମମତାଙ୍କ ତୃଣମୂଳ କଂଗ୍ରେସକୁ ଏଥର ପଶ୍ଚିମବଙ୍ଗବାସୀ ଗାଦିଚ୍ୟୁତ କରି ଦେଇଛନ୍ତି। ଏପରିକି ରାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀ, ଯେଉଁ ଅଞ୍ଚଳରେ ଦୀଘା ଜଗନ୍ନାଥ ମନ୍ଦିର ରହିଛି ସେଠାରେ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଏଥର ପରାଜିତ ହୋଇଛନ୍ତି। ବିଜେପିର ଚନ୍ଦ୍ରଶେଖର ମଣ୍ଡଳ ତାଙ୍କୁ ହରାଇଛନ୍ତି।