ଦେଶ ବିଦେଶ

trust replaces fear: ଭୟ ବଦଳରେ ଭୋଟରଙ୍କ ମଧ୍ୟରେ ଜାଗିଲା ଭରସା: ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳରେ ଆସିଲା ବଡ଼ ପରିବର୍ତ୍ତନ…

କୋଲକାତା,୫/୫: ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା ଏକ ସାଧାରଣ ଘଟଣା ପରି ପୂର୍ବରୁ ଘଟୁଥିଲା। କିନ୍ତୁ ଚଳିତଥର ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟ ନିର୍ବାଚନ କମିସନ(ସିଇସି) ଜ୍ଞାନେଶ କୁମାର ବଡ଼ ପଦକ୍ଷେପ ଗ୍ରହଣ କରିଥିଲେ। ଫଳରେ ଚଳିତ ଥର ନିର୍ବାଚନ ଭୋଟରଙ୍କ ପାଇଁ ଏକ ଭିନ୍ନ ଅନୁଭବ ଆଣିଥିଲା। ରାଜ୍ୟରେ ୨.୪ ଲକ୍ଷ କେନ୍ଦ୍ରୀୟ ବାହିନୀଙ୍କୁ ମୁତୟନ କରାଯାଇଥିଲା। କୁହାଯାଉଛି ନିର୍ବାଚନ କମିସନଙ୍କ କଡ଼ା ବନ୍ଦୋବସ୍ତ ରାଜ୍ୟର ରାଜନୈତିକ ଖେଳକୁ ପରିବର୍ତ୍ତନ କରିଦେଇଥିଲା। ଏହା ବିଜେପି ପାଇଁ ଏକ ବିରାଟ ବିଜୟ ଆଣି ଦେଇଥିଲା । ପଶ୍ଚିବଙ୍ଗରେ ନିର୍ବାଚନ ହିଂସାର ନୂଆ ନୁହେଁ। ବାମପନ୍ଥୀଙ୍କ ୩୪ ବର୍ଷର ଶାସନ ସମୟରେ ଏହାର ମଞ୍ଜି ପୋତା ଯାଇଥିଲା। ବାମପନ୍ଥୀଙ୍କ ପରେ ରାଜ୍ୟ ତୃଣମୂଳ କଂଗ୍ରେସ ଶାସନ ହାତକୁ ଯାଇଥିଲା।

ଚଳିତଥର ନିର୍ବାଚନ କମିସନ (ଇସିଆଇ) ନିର୍ବାଚନରେ ଭୟକୁ ଦୂର କରିଦେଇଥିଲେ। ସୁରକ୍ଷା ଶିବିର, ରୁଟ୍ ମାର୍ଚ୍ଚ ଏବଂ କଡ଼ା ନଜର ରଖାଯାଇଥିଲା। ଏହା ନିର୍ବାଚନୀ ପରିବେଶକୁ ବଦଳାଇ ଦେଇଥିଲା । ପୁଲିସ ଷ୍ଟେସନର ଓସି ଏବଂ ଇନ୍ସପେକ୍ଟର-ଇନ୍-ଚାର୍ଜଙ୍କୁ ଏନେଇ କଡ଼ା ନିର୍ଦ୍ଦେଶ ଜାରି କରାଯାଇଥିଲା। ଭୟମୁକ୍ତ ଏବଂ ହିଂସାମୁକ୍ତ ନିର୍ବାଚନ ସୁନିଶ୍ଚିତ କରିବା ପାଇଁ ଇସିଆଇ କଡ଼ା ପଦକ୍ଷେପ ଗ୍ରହଣ କରିଥିଲେ। ଏହା ସକାରାତ୍ମକ ପରିଣାମ ମିଳିଥିଲା। ଭୋଟଦାନ ପ୍ରକ୍ରିୟା ସମୟରେ ଗୋଟିଏ ବି ବୋମା ମାଡ଼ ହୋଇ ନଥିଲା କିମ୍ବା ଜୀବନ ହାନି ହୋଇନଥିଲା। ଏପ୍ରିଲର ପ୍ରଚଣ୍ଡ ଗରମ ସତ୍ତ୍ୱେ ଦୁଇଟି ପର୍ଯ୍ୟାୟରେ ମୋଟ ମତଦାନ ହୋଇଥିଲା।

ଲେଖାଗଲା ନୂଆ ଇତିହାସ

ଏସ୍‌ଆଇଆର୍‌ ଯୋଗୁଁ ଭୋଟରଙ୍କ ସଂଖ୍ୟାରେ ୧୨% ହ୍ରାସ ପାଇଥିଲା। ଉତ୍ସାହିତ ହୋଇ ଭୋଟର ନିଜ ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିଥିଲେ। ବିଜେପି ଦାବି କରିଛି ଯେ, କେନ୍ଦ୍ରୀୟ ବାହିନୀର ଉପସ୍ଥିତି ଯୋଗୁଁ ଭୋଟର ନିର୍ଭୟ ହୋଇ ଭୋଟ୍ ଦେଇଥିଲେ। ଭୟ ପ୍ରସଙ୍ଗ ବିଜେପିର ନିର୍ବାଚନ ପ୍ରଚାରର ମୁଖ୍ୟ ବିଷୟବସ୍ତୁ ଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦ରୁ ଅଧିକ ରାଲି କରିଥିଲେ। ନିର୍ବାଚନରେ ଭୋଟରଙ୍କ ମଧ୍ୟରେ ଥିବା ଭୟକୁ ଭରସାରେ ପରିଣତ କରିଥିଲେ। ଫଳରେ ଫଳାଫଳ ବିଜେପି ସପକ୍ଷରେ ମିଳିଥିଲା ବୋଲି କୁହାଯାଉଛି।

ପ୍ରଧାନମନ୍ତ୍ରୀ କହିଥିଲେ, ନିର୍ବାଚନ ଦିନ ଟିଏମସି ଗୁଣ୍ଡାମାନେ ଆପଣଙ୍କୁ ଯେତେ ଭୟଭୀତ କରାନ୍ତୁ ନା କାହିଁକି, ଆପଣଙ୍କୁ ଆଇନ ଉପରେ ଭରସା ରଖିବାକୁ ପଡିବ। ଏହି ନିର୍ବାଚନରେ ରାଜ୍ୟରୁ ଭୟ ଦୂର ହୋଇଯିବ। ଗୃହମନ୍ତ୍ରୀ ଅମିତ ଶାହ ଅଧିକ ଶାଣିତ ଭାବେ କହିଥିଲେ, ମୁଁ ଟିଏମସି ଗୁଣ୍ଡାମାନଙ୍କୁ ସେମାନଙ୍କ ଘରେ ରହିବାକୁ ପରାମର୍ଶ ଦେଉଛି। ନଚେତ୍ ଆମେ ସେମାନଙ୍କୁ ମେ’ ୪ ତାରିଖରେ ଜଣ ଜଣ କରି ଉଠାଇ ଜେଲ୍‌ରେ ପୁରାଇବୁ। ରାଜ୍ୟରେ ନିର୍ବାଚନ ପରବର୍ତ୍ତୀ ହିଂସାର ଇତିହାସ ବିଷୟରେ ସଚେତନ ହୋଇ, ଗୃହମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ନିର୍ବାଚନ ଶେଷ ହେବା ପରେ ମଧ୍ୟ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ପ୍ରାୟ ୭୦ ହଜାର ସିଏପିଏଫ୍‌ କର୍ମଚାରୀ ରାଜ୍ୟରେ ନିୟୋଜିତ ରହିବେ। ଶାହ କହିଥିଲେ ଦିଦିଙ୍କ ଗୁଣ୍ଡାମାନଙ୍କ ବିଷୟରେ ଚିନ୍ତା କରନାହିଁ। ନିର୍ବାଚନ କମିସନ ପ୍ରତ୍ୟେକ କୋଣ ଅନୁକୋଣରେ ସିଏପିଏଫ୍‌ ନିୟୋଜିତ କରିଛନ୍ତି। ଯଦି ନିର୍ବାଚନ ପରେ ବିଜେପି କ୍ଷମତାକୁ ଆସିବ, କେନ୍ଦ୍ରୀୟ ବାହିନୀ ଏଠାରେ ଆହୁରି ୬୦ ଦିନ ରହିବେ।

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ଉତ୍ତର ପ୍ରଦେଶର ଏନକାଉଣ୍ଟର ବିଶେଷଜ୍ଞ ଅଜୟ ପାଲ ଶର୍ମାଙ୍କୁ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଭାବରେ ନିୟୋଜିତ କରାଯାଇଥିଲା। ସେ ଫଲଟାରେ ଭୋଟରମାନଙ୍କୁ ଭୟଭୀତ ନକରିବା ପାଇଁ ଟିଏମସି ପ୍ରାର୍ଥୀ ଜହାଙ୍ଗୀର ଖାନଙ୍କ ସହଯୋଗୀମାନଙ୍କୁ ଚେତାବନୀ ଦେଇଥିଲେ। ୟୁପିର ସିଂଘମ୍ ଭାବରେ ଜଣାଶୁଣା ଶର୍ମାଙ୍କ ଚେତାବନୀ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ବିଜେପି ଜାଣିଥିଲା ଯେ, ଚଳିତ ଥର ପୂର୍ବରୁ ଭୋଟିଂରେ ଅଂଶଗ୍ରହଣ କରୁନଥିବା ବହୁଲୋକ ନିଜର ମତଦାନ କରିବେ। ତେଣୁ, ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସର ଭାବନା ସୃଷ୍ଟି କରିବାର ଆବଶ୍ୟକତା ଥିଲା । ସେମାନେ କିପରି ବାହାରକୁ ବାହାରି ସ୍ୱାଧୀନ ଭାବରେ ଭୋଟ୍ ଦେଇପାରିବେ ତାହା ବିଜେପିର ମୁଖ୍ୟ ଲକ୍ଷ୍ୟ ଥିଲା। ସମସ୍ତ ମତଦାନ କେନ୍ଦ୍ରର ୧୦୦ ମିଟର ପରିଧି ମଧ୍ୟରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଥିଲା। ନିରୀକ୍ଷଣ ପାଇଁ ଡ୍ରୋନ୍ ବ୍ୟବହାର କରାଯାଇଥିଲା। ମଣିପୁର ଏବଂ ଜମ୍ମୁ-କାଶ୍ମୀର ଭଳି ସମ୍ବେଦନଶୀଳ ଅଞ୍ଚଳରେ ସଶସ୍ତ୍ର ବୁଲେଟପ୍ରୁଫ୍ ଯାନ ମୁତୟନ କରାଯାଇଥିଲା।

ଭୋଟରମାନଙ୍କୁ ଭୟଭୀତ କରୁଥିବା ବାଇକ ଚାଳକ ଦଳକୁ ରୋକିବା ପାଇଁ ନିର୍ବାଚନ କମିସନ ଭୋଟଦାନର ୪୮ ଘଣ୍ଟା ପୂର୍ବରୁ ମୋଟରସାଇକେଲ ଚଳାଇବା ଉପରେ ମଧ୍ୟ କଟକଣା ଲଗାଇଥିଲା। ଏପରିକି ଆତଙ୍କବାଦ ବିରୋଧୀ ସଂସ୍ଥା ଏନ୍‌ଆଇଏର ଦଳଗୁଡ଼ିକୁ ସମ୍ବେଦନଶୀଳ ଅଞ୍ଚଳରେ ନିୟୋଜିତ କରାଯାଇଥିଲା। ଫଳରେ ରେକର୍ଡ ସଂଖ୍ୟକ ମତଦାନ ହେବା ସହିତ ଏକ ଐତିହାସିକ ଫଳାଫଳ ଆସିଥିଲା।

 

 

 

ସୌଜନ୍ୟ ସମ୍ବାଦ

Show More
Back to top button