ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବଢ଼ିଯାଇଛି। ଏହାର ବଡ଼ ଆର୍ଥିକ ପ୍ରଭାର ଦେଶର ୩ଟି ରାଷ୍ଟ୍ରାୟତ୍ତ ତେଲ ବିପଣନ କମ୍ପାନିଙ୍କ ଉପରେ ପଡ଼ିଛି। ସେମାନେ ଦୈନିକ ୧୬୦୦ରୁ ୧୭୦୦ କୋଟି ଟଙ୍କାର କ୍ଷତି ସହୁଛନ୍ତି। ଗତ ୧୦ ସପ୍ତାହ ମଧ୍ୟରେ ସେମାନଙ୍କ ମୋଟ କ୍ଷତି ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଗଲାଣି। ଅନ୍ତର୍ଜାତୀୟ ଦରବୃଦ୍ଧି ପ୍ରଭାବରୁ ଦେଶର ପେଟ୍ରୋଲ, ଡିଜେଲ ଏବଂ ଘରୋଇ ଗ୍ୟାସ ଗ୍ରାହକଙ୍କୁ ସୁରକ୍ଷା ଦେବାରୁ ଏଭଳି କ୍ଷତି ହୋଇଛି। ମଧ୍ୟପ୍ରାଚ୍ୟରେ ୧୦ ସପ୍ତାହ ପୂର୍ବେ ଯୁଦ୍ଧ ଆରମ୍ଭ ହୋଇଥିଲା। ଯୁଦ୍ଧ ପୂର୍ବରୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବ୍ୟାରେଲ୍ ପିଛା ୭୦ ଡଲାର ତଳେ ରହିଥିଲା। କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ଏହା ୧୨୬ ଡଲାର ଭଳି ସ୍ତରକୁ ବଢ଼ିଯାଇଥିଲା। ଏହା ସତ୍ତ୍ବେ ଭାରତର ୩ଟି ରାଷ୍ଟ୍ରାୟତ୍ତ ତେଲ ବିପଣନ କମ୍ପାନି ସାଧାରଣ ପେଟ୍ରୋଲ ଓ ଡିଜେଲ ଦର ବଢ଼ାଇନାହାନ୍ତି। ଘରୋଇ ଏଲ୍ପିଜି ଦର ଯୁଦ୍ଧ ପରେ ସିଲିଣ୍ଡର ପିଛା ୬୦ ଟଙ୍କା ବୃଦ୍ଧି କରଯାଇଥିଲେ ମଧ୍ୟ କମ୍ପାନିଗୁଡ଼ିକର କ୍ଷତି ଭରଣା ହୋଇପାରି ନାହିଁ।
ଦେଶରେ ଭାରତୀୟ ତୈଳ ନିଗମ ଲିମିଟେଡ(ଆଇଓସିଏଲ୍), ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ(ବିପିସିଏଲ୍) ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ( ଏଚ୍ପିସିଏଲ୍)ଙ୍କ କ୍ଷତି ରେକର୍ଡ ସ୍ତରରେ ପହଞ୍ଚିଥିବା କୁହାଯାଉଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦରରେ ୫୦ ପ୍ରତିଶତ ବୃଦ୍ଧି ସତ୍ତ୍ବେ ସାଧାରଣ ମାନର ପେଟ୍ରୋଲ ଓ ଡିଜେଲକୁ କମ୍ପାନିଗୁଡ଼ିକ ଅପରିବର୍ତ୍ତିତ ରହିଛନ୍ତି।
ଯଦିଓ ପେଟ୍ରୋଲ ଓ ଡିଜେଲ ଦର ନିର୍ଦ୍ଧାରଣ ନିୟନ୍ତ୍ରଣମୁକ୍ତ ହୋଇ ସାରିଛି ତଥାପି ବର୍ତ୍ତମାନ ପରିପ୍ରେକ୍ଷୀରେ ସରକାରଙ୍କ ବିନା ନିର୍ଦ୍ଦେଶରେ ସେମାନେ ଦର ବଢ଼ାଇବା ସମ୍ଭବ ନୁହେଁ ବୋଲି କୁହାଯାଉଛି। ତେଲ ଦରବୃଦ୍ଧି ଅପରିହାର୍ଯ୍ୟ ହୋଇ ପଡ଼ିଥିଲେ ମଧ୍ୟ କେତେ ବଢ଼ିବ ଏବଂ କେବେ ବଢ଼ିବ ସେ ନିଷ୍ପତ୍ତି ସରକାର ନେବେ। ବ୍ରିଟେନଠାରୁ ଆରମ୍ଭ କରି ଜାପାନ ଭଳି ଦେଶରେ ପେଟ୍ରୋଲ ଓ ଡିଜେଲ ଦର ମଧ୍ୟପ୍ରାଚ୍ୟ ଯୁଦ୍ଧ ପରେ ୩୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘଟିଥିଲେ ମଧ୍ୟ ଭାରତରେ ଏହା ଅପରିବର୍ତ୍ତିତ ରହିଛି।
ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ଭାରତର ଅଶୋଧିତ ତେଲ ଆମଦାନି ୪୦ ପ୍ରତିଶତ, ଏଲ୍ପିଜି ଆମଦାନି ୯୦ ପ୍ରତିଶତ ଏବଂ ପ୍ରାକୃତିକ ଗ୍ୟାସ ଆମଦାନି ୬୫ ପ୍ରତିଶତ ବାଧାପ୍ରାପ୍ତ ହୋଇଛି। ଅଶୋଧିତ ତେଲରୁ ପେଟ୍ରୋଲ ଓ ଡିଜେଲ ଉତ୍ପାଦନ ହେଉଥିବାବେଳେ ପ୍ରାକୃତିକ ଗ୍ୟାସକୁ ବ୍ୟବହାର କରି ବିଦ୍ୟୁତ, ସାର ଆଦି ଉତ୍ପାଦନ କରାଯାଉଛି। ଏଥିସହିତ ଏହାକୁ ସିଏନ୍ଜି ଓ ପିଏନ୍ଜିରେ ମଧ୍ୟ ପରିଣତ କରି ଗ୍ରାହକଙ୍କୁ ଯୋଗାଇ ଦିଆଯାଉଛି। ସିଏନ୍ଜିରେ ଗାଡ଼ି ମଟର ଚାଲୁଥିବାବେଳେ ପିଏନ୍ଜିକୁ ରନ୍ଧନ ଗ୍ୟାସ ଭାବେ ବ୍ୟବହାର କରାଯାଉଛି। ଖାଉଟିଙ୍କୁ ଦରବୃଦ୍ଧିରୁ ସୁରକ୍ଷା ଦେବା ପାଇଁ ସରକାର ମଧ୍ୟ ନିକଟରେ ତୈଳ ଦର ଉପରୁ ଟିକସ ହ୍ରାସ କରିଛନ୍ତି। ପେଟ୍ରୋଲ ଉପରୁ ଅତିରିକ୍ତ ଉତ୍ପାଦ ଶୁଳ୍କ ଲିଟର ପିଛା ୧୩ ଟଙ୍କାରୁ ୩ ଟଙ୍କାକୁ ହ୍ରାସ କରାଯାଇଛି। ସେହିଭଳି ଡିଜେଲ ଉପରେ ଲିଟର ପିଛା ଆଦାୟ କରାଯାଉଥିବା ୧୦ ଟଙ୍କାର ସ୍ବତନ୍ତ୍ର ଉତ୍ପାଦ ଶୁଳ୍କକୁ ସଂପୂର୍ଣ୍ଣ ଛାଡ଼ କରାଯାଇଛି। ଉତ୍ପାଦ ଶୁଳ୍କ ହ୍ରାସ ଯୋଗୁ ସରକାରଙ୍କୁ ମାସିକ ୧୪ ହଜାର କୋଟି ଟଙ୍କାର ରାଜସ୍ବ ହାନି ସହିବାକୁ ପଡ଼ୁଛି ବୋଲି ଏକ ସୂତ୍ରରୁ ଜଣାଯାଇଛି।
ସୌଜନ୍ୟ ସମ୍ବାଦ

