Weather Update: ୧୩ରୁ ଅସମ୍ଭାଳ ତାତି ! ୪ ଡିଗ୍ରୀ ବଢ଼ିଯିବ ଦିନର ପାରଦ, ଅସହ୍ୟ ଗୁଳୁଗୁଳିରେ ଆକ୍ତାମାକ୍ତା ହେବେ ଉପକୂଳିଆ

ଭୁବନେଶ୍ୱର: ମୌସୁମୀ ବାୟୁ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ। ଏଥର ସ୍ୱାଭାବିକ ସମୟରେ ଆସିବ ମୌସୁମୀ। ଚଳିତ ସପ୍ତାହର ଶେଷ ଆଡକୁ ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ସାଗର ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ହେବାର ସମ୍ଭାବନା ରହିଛି ଅର୍ଥାତ୍ ଦକ୍ଷିଣ ପଶ୍ଚିମ ମୌସୁମୀ ଅଗ୍ରସର ହେବାକୁ ପାଗ ସାଥ ଦେଉଛି।

ପ୍ରତିବର୍ଷ ମେ ୧୮ ରୁ ୧୯ ମଧ୍ୟରେ ପ୍ରାୟତଃ ଆଣ୍ଡାମାନ ଛୁଇଁଥାଏ ମୌସୁମୀ ବାୟୁ । ଏହା ପରେ ଆଗକୁ ବଢ଼ି କେରଳ ନିକଟରେ ଜୁନ୍ ପ୍ରଥମ ସପ୍ତାହରେ ପହଞ୍ଚିଥାଏ। କେରଳ ଛୁଇଁବାର ୧୦ ରୁ ୧୨ ଦିନ ମଧ୍ୟରେ ଓଡିଶାକୁ ଅଗ୍ରସର ହୋଇଥାଏ ମୌସୁମୀ। କିନ୍ତୁ ଚଳିତବର୍ଷ ଏହି ପ୍ରକ୍ରିୟା ସଅଳ ହେବ। ଏପରିକି ସ୍ବାଭାବିକ ଠାରୁ ଅଧିକ ଅଧିକ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।

ଏପଟେ ରାଜ୍ୟରେ କାଳବୈବୈଶାଖୀ ବର୍ଷାକୁ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ୱାର୍ଣ୍ଣଂ ରହିଛି । ଆଗାମୀ 5 ଦିନ ଯାଏଁ ରାଜ୍ୟରେ କାଳବୈଶାଖୀ ପ୍ରଭାବ ରହିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତାକାଲି ପାଇଁ 17ଟି ଜିଲ୍ଲାକୁ ବିଜୁଳି, ଘଡଘଡି ସହ ବର୍ଷା ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ । ସେହିପରି ଆଗାମୀ 13 ତାରିଖ ରୁ ତାପମାତ୍ରା 2-4°C ପର୍ଯ୍ୟନ୍ତ ବୃଦ୍ଧି ପାଇବା କୁ ନେଇ ପୂର୍ବାନୁମାନ କରିଛି ବିଭାଗ।

ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବ ରହିପାରେ । ମଙ୍ଗଳବାର ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରିର ସ୍ଥାନେ ସ୍ଥାନେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି । ଏଥିମଧ୍ୟରୁ କେତେକ ସ୍ଥାନରେ ବଜ୍ରପାତ ସହ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ହୋଇପାରେ ।

 

 

 

ସୌଜନ୍ୟ Prameya News7