ବାରିପଦା/ଚିତ୍ରଡା: ସନ୍ତାନକୁ ବଂଶର ଉଦ୍ଧାରକ ବୋଲି କୁହାଯାଏ। ସନ୍ତାନକୁ ବଞ୍ଚାଇବାକୁ ପିତାମାତା ସମସ୍ତ ସୁଖ ଏପରିକି ନିଜ ଜୀବନକୁ ମଧ୍ୟ ବାଜିରେ ଲଗାଇଦିଅନ୍ତି। କିନ୍ତୁ ସମାଜରେ ଏହାର ବିପରୀତ ମଧ୍ୟ ଦେଖିବାକୁ ମିଳେ କେତେବେଳେ ପେଟର ଭୋକ ପାଇଁ ତ କେତେବେଳେ ନିଜର ଆବଶ୍ୟକତା ପୂରଣ କରିବାକୁ ନିଜର ଜନ୍ମିତ ସନ୍ତାନକୁ ବିକି ଦିଅନ୍ତି। ଓଡ଼ିଶାରେ ୮୦ଦଶକର ଫାନସ ପୁଞ୍ଜି ଘଟଣା ଠାରୁ ଆଜି ଯାଏଁ ଅନେକ ସ୍ଥାନରେ ଏଭଳି ଘଟଣା ଘଟିଆସୁଛି। ପ୍ରତି ଘଟଣା ପରେ ବଢ଼ୁଥିବା ସରକାରଙ୍କ ପ୍ରତିଶ୍ରୁତି, ପ୍ରଶାସନର ତତ୍ପରତା କିଛି ଦିନ ପରେ ଥମିଯାଏ, ଏବଂ ପୁଣି ଏହି ଭଳି ପିଲାବିକ୍ରି ଘଟଣା ଘଟିଥାଏ। ଏଭଳି ଏକ ଉଦ୍ବେଗଜନକ ଘଟଣାକ୍ରମେ ବାରିପଦା ସଦରଥାନା ଅଞ୍ଚଳରେ ମଦ ନିଶାର ଆବଶ୍ୟକତା ମେଣ୍ଟାଇବାକୁ ନିଜ ଶିଶୁପୁତ୍ରକୁ ୩୦ହଜାର ଟଙ୍କାରେ ବାପା ବିକ୍ରି କରିଦେଇଛି। ଘଟଣା ଜଣାପଡ଼ିବା ପରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି।
ନିଶାଡ଼ି ବାପା ମଦନିଶାରେ ନିଜର ଜନ୍ମିତ ପୁତ୍ର ସନ୍ତାନକୁ ୩୦ ହଜାର ଟଙ୍କାରେ ବିକ୍ରି କରିବା ପାଇଁ ଉଦ୍ୟମ କରୁଥିବା ସମୟରେ ଘଟିଛି ଏଭଳି ଘଟଣା ।
ସୂଚନାନୁସାରେ, ମୟୂରଭଞ୍ଜଜିଲ୍ଲା ମୋରଡା ଥାନା ଅଧୀନ ଘୋଳମୁହାଁ ଗ୍ରାମର ରତନ କିସ୍କୁ ଅଧିକାଂଶ ସମୟରେ ଜଣେ ନିଶାଡ଼ି ଅଟେ। ନିଶାସକ୍ତ ଅବସ୍ଥାରେ ଅନେକ ସମୟରେ ନିଜ ପତ୍ନୀ ଓ ଶିଶୁକୁ ମାରଧର କରୁଥିଲା। ଏନେଇ ଜାଣିବା ପରେ ସ୍ଥାନୀୟ ସିଡିପିଓ, ଅଙ୍ଗନବାଡ଼ି ସୁପରଭାଇଜର, ଆଶା ଓ ଅଙ୍ଗନବାଡି କର୍ମୀ ଅନେକ ଥର ବୁଝାସୁଝା ମଧ୍ୟ କରିଛନ୍ତି । ଆଜି (ମଙ୍ଗଳବାର) ନିଜ ୭ମାସର ଶିଶୁପୁତ୍ରକୁ ସାଙ୍ଗରେ ଧରି ବାରିପଦା ସଦର ଥାନା ଅଧୀନ ଚନ୍ଦାବିଲା ଗ୍ରାମକୁ ଯାଇଥିଲା। ସେଠରେ ନିଜର ନାମକୁ ଲୁଚାଇ ଅର୍ଜୁନ କିସ୍କୁ ବୋଲି ପରିଚୟ ଦେଇଥିଲା। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମନରେ ସନ୍ଦେହ ହେବାରୁ ସେମାନେ ତାଙ୍କୁ ଅଟକ ରଖି ପଚରାଉଚରା କରିଥିଲେ। ସେତେବେଳେ, ରତନ ୩୦ହଜାର ଟଙ୍କାରେ ନିଜ ଶିଶୁ ପୁତ୍ରକୁ ବିକି ଦେବାକୁ ଆସିଥିବା କଥା ଜଣାପଡ଼ିଲା।
ମହିଳାମାନେ ତାଙ୍କୁ ଅଟକ ରଖିଥିବାବେଳେ ରତନ ଚତୁରତାର ସହ ସେମାନଙ୍କ କବଳରୁ ଖସି ପଳାଇବାକୁ ସକ୍ଷମ ହୋଇଥିଲା। ତେବେ ଏସମ୍ପର୍କରେ ଖବର ପାଇ ବାରିପଦା ସଦର ଥାନା ପୁଲିସ ପହଞ୍ଚି ଘଟଣାସ୍ଥଳରୁ ଶିଶୁ ପୁତ୍ରକୁ ଉଦ୍ଧାର କରିଥିବା ଜଣାପଡିଛି। ଯାହାକୁ ନେଇ ଏବେ ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହା ପରେ ଶିଶୁ ଓ ମହିଳା ବିକାଶ ବିଭାଗ ର ଅଧିକାରୀ ମାନେ ପହଞ୍ଚି ଶିଶୁଟିର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ । ପରେ ଶିଶୁ ଟିକୁ ସିଡବ୍ଲ୍ୟୁସି କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି ।
ସୌଜନ୍ୟ ସମ୍ବାଦ

