ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): କନ୍ଧମାଳଜିଲ୍ଲା ଘୁମୁସର ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ୧ ନମ୍ବର ପଦାସାହି ଏବଂ ୪ ନମ୍ବର ୱାର୍ଡର ଶ୍ରୀରାମପଦା ଠାରେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଦୁଇଟି ଅତ୍ୟାଧୁନିକ କଲ୍ୟାଣ ମଣ୍ଡପ କାମ ସମ୍ପୂର୍ଣ୍ଣ ହୋଇ ଦୀର୍ଘ ମାସ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ବ୍ୟବହାର ପାଇଁ ଖୋଲାଯାଇ ପାରୁନାହିଁ। ଏଥି ପାଇଁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ଉଭୟ କଲ୍ୟାଣ ମଣ୍ଡପର ନିର୍ମାଣ କାମ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ସମ୍ପୂର୍ଣ୍ଣ ହୋଇସାରିଛି। ୧ନଂ ୱାର୍ଡରେ ନିର୍ମିତ କଲ୍ୟାଣ ମଣ୍ଡପଟି ୩୦୦ ଲୋକଙ୍କ ପାଇଁ ନିର୍ମିତ ହୋଇଥିବା ବେଳେ ୪ନଂ ୱାର୍ଡରେ ନିର୍ମିତ କଲ୍ୟାଣ ମଣ୍ଡପ ଟି ୫୦୯ଲୋକଙ୍କ ପାଇଁ ଆଧୁନିକ ସୁବିଧା ସହ ନିର୍ମିତ ଏହି ମଣ୍ଡପଗୁଡ଼ିକୁ ଲୋକଙ୍କ ବିବାହ, ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ବହୁତ ଉପଯୋଗୀ କିନ୍ତୁ ପରିତାପର ବିଷୟ ଏପର୍ଯ୍ୟନ୍ତ ଏହା ଔପଚାରିକ ଭାବେ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ହସ୍ତାନ୍ତର ହୋଇନଥିବାରୁ ବ୍ୟବହାର ଆରମ୍ଭ ହୋଇପାରୁନାହିଁ।ଏହାକୁ ନେଇ ସ୍ଥାନୀୟ ଲୋକମାନେ ପ୍ରଶ୍ନ ଉଠାଇଛନ୍ତି ଯେ, ଯେତେବେଳେ କାମ ସମ୍ପୂର୍ଣ୍ଣ ହୋଇସାରିଛି। ତେବେ କାହିଁକି ଏପର୍ଯ୍ୟନ୍ତ ହସ୍ତାନ୍ତର ପ୍ରକ୍ରିୟା ଶେଷ ହୋଇପାରୁନାହିଁ। ବିଶେଷକରି ବିବାହ ଋତୁ ଆରମ୍ଭ ହେଉଥିବା ବେଳେ ଏପରି ମଣ୍ଡପର ଚାହିଦା ବହୁତ ଅଧିକ ରହିଥାଏ।
ବର୍ତ୍ତମାନ ଘୁ.ଉଦୟଗିରି ଅଞ୍ଚଳର ସାଧାରଣ ଲୋକମାନେ ବିବାହ ଓ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟ ପାଇଁ ପ୍ରାୟତଃ କେବଳ ବିଜୁ ପଟ୍ଟନାୟକ କଲ୍ୟାଣୀ ମଣ୍ଡପ ଉପରେ ନିର୍ଭର କରୁଛନ୍ତି। ଏପରି ପରିସ୍ଥିତିରେ ନୂତନ ନିର୍ମିତ ଦୁଇଟି କଲ୍ୟାଣ ମଣ୍ଡପ ଚାଲୁ ହେଲେ ସାଧାରଣ ଲୋକଙ୍କୁ ବହୁତ ସୁବିଧା ମିଳିପାରିବ ବୋଲି ଅଞ୍ଚଳବାସୀ ମତ ପ୍ରକାଶ କରିଛନ୍ତି। ସେପଟେ ବିଗତ ଦିନରେ ଜିଲ୍ଲାପାଳ ମଧ୍ୟ ଉକ୍ତ ମଣ୍ଡପଗୁଡ଼ିକୁ ପରିଦର୍ଶନ କରିଥିଲେ। ସେ ସ୍ଥାନୀୟ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା କରି ଯନ୍ତ୍ରୀଙ୍କୁ ଲାଇଟ୍, ଫ୍ୟାନ୍ ଓ ଅନ୍ୟାନ୍ୟ ସାମଗ୍ରୀ ଠିକ୍ ଭାବରେ ଲାଗିଛି କି ନାହିଁ ଯାଞ୍ଚ କରିବାକୁ ପରାମର୍ଶ ଦେଇଥିଲେ।
ତେବେ ଏହାର ୪ ମାସ ପରେ ମଧ୍ୟ ହସ୍ତାନ୍ତର ପ୍ରକ୍ରିୟା ଅପୂର୍ଣ୍ଣ ରହିଥିବା ଘଟଣାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ସେପଟେ ଅନେକ ଲୋକ ଏହି ମଣ୍ଡପରେ କାର୍ଯ୍ୟକ୍ରମ କରିବା ପାଇଁ ଆସୁଥିଲେ ମଧ୍ୟ, ହସ୍ତାନ୍ତର ହୋଇନଥିବା କଥା ଜାଣି ନିରାଶ ହୋଇ ଫେରିଯାଉଛନ୍ତି। ଅଞ୍ଚଳବାସୀଙ୍କ ଦାବି ହେଉଛି, ଯଥାଶୀଘ୍ର ଉଭୟ କଲ୍ୟାଣ ମଣ୍ଡପକୁ ସମ୍ପୃକ୍ତ ବିଭାଗ ହସ୍ତାନ୍ତର କରି ସାଧାରଣ ଲୋକଙ୍କ ବ୍ୟବହାର ପାଇଁ ଖୋଲାଯାଉ, ଯାହାଦ୍ୱାରା ବିବାହ ସହ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟ ସୁବିଧାରେ ଆୟୋଜନ କରାଯାଇପାରିବ।
ଏନଏସି ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର ପ୍ରତିକ୍ରିୟାରେ କହିଛନ୍ତି ଏହି କାର୍ଯ୍ୟଟି ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ହୋଇଛି କାର୍ଯ୍ୟ ସାରିବାର ଦୀର୍ଘ ମାସ ବିତିଗଲାଣି ଆମକୁ ହସ୍ତାନ୍ତର ହୋଇନି।
ସୌଜନ୍ୟ ସମ୍ବାଦ

