Prime Minister: ଉଦାହରଣ ସୃଷ୍ଟି କଲେ ପ୍ରଧାନମନ୍ତ୍ରୀ: କନ୍‌ଭୟରେ ମାତ୍ର ଦୁଇଟି ଗାଡ଼ି

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ବଞ୍ଚାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ନିବେଦନ କରିଥିଲେ। ଏହାକୁ ନେଇ ଜୋର୍‌ଦାର ଚର୍ଚ୍ଚା ହେଉଥିବା ବେଳେ ଏହାକୁ ସେ ନିଜେ କାର୍ଯ୍ୟକାରୀ କରିବା ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଆଜି ମାତ୍ର ଦୁଇଟି ଗାଡ଼ି ନେଇ ତାଙ୍କ ବାସଭବନରୁ ବାହାରିଥିଲେ। ଏଭଳି ନିବେଦନ କରିବା ପରେ ନିଜେ ପ୍ରଧାନମନ୍ତ୍ରୀ ପେଟ୍ରୋଲ ଓ ଡିଜେଲ ସଂରକ୍ଷଣ ଦିଗରେ ଉଦାହରଣ ସୃଷ୍ଟି କରି ଏକ ବାର୍ତ୍ତା ଦେଇଛନ୍ତି। ସେ ନିଜେ ଗୋଟିଏ ଗାଡ଼ିରେ ବାହାରକୁ ଆସିଥିବା ବେଳେ ଅନ୍ୟ ଗାଡ଼ିରେ ତାଙ୍କ ସୁରକ୍ଷା ପାଇଁ ଏସ୍‌ପିଜି କର୍ମଚାରୀ ଥିଲେ। ସେ ଏହି ଦୁଇଟି ଗାଡ଼ିର କନ୍‌ଭୟ (ଗାଡ଼ିମାଳ) ସହ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ପହଞ୍ଚିଥିଲେ।

ଏହା ପୂର୍ବରୁ ରବିବାର ହାଇଦ୍ରାବାଦରେ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନିବେଦନ କରିଥିଲେ ଯେ ପେଟ୍ରୋଲ ଓ ଡିଜେଲ ସଞ୍ଚୟ କରିବାର ଆବଶ୍ୟକତା ରହିଛି। ଦେଶବାସୀଙ୍କୁ ବୁଦ୍ଧିମତ୍ତାର ସହିତ ଇନ୍ଧନ ବ୍ୟବହାର କରିବାକୁ ପଡ଼ିବ। ଏହା ବ୍ୟତୀତ ସେ ଏକ ବର୍ଷ ପର୍ଯ୍ୟନ୍ତ ସୁନା ନ କିଣିବାକୁ ମଧ୍ୟ ନିବେଦନ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅନୁରୋଧ ପରେ କେନ୍ଦ୍ର ସରକାରଙ୍କ ମନ୍ତ୍ରୀ ଓ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସେମାନଙ୍କ ଗାଡ଼ି ସଂଖ୍ୟା ହ୍ରାସ କରିଛନ୍ତି। ଏହା ବ୍ୟତୀତ ସମସ୍ତ ବୈଠକ ଅନ୍‌ଲାଇନରେ କରିବାକୁ ନିଷ୍ପତ୍ତି ନିଆଯାଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଏଭଳି ନିଷ୍ପତ୍ତି ନେଇଛନ୍ତି। ବିଜେପି ଅଧ୍ୟକ୍ଷ ନିତିନ ନବୀନ ଦୁଇଟି ଗାଡ଼ିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଯାତ୍ରାକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଏକ ଉଦାହରଣ ସୃଷ୍ଟି କରିଛନ୍ତି ଏବଂ ବର୍ତ୍ତମାନ ଏହି ଅଭିଯାନ ଏକ ଜନ ଆନ୍ଦୋଳନରେ ପରିଣତ ହୋଇପାରିବ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କାର୍‌କେଡ୍‌, ଯାଉଥିଲା ୧୨, ଏବେ ଯିବ ୬ ଗାଡ଼ି

ଭୁବନେଶ୍ୱର: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଯୋଗୁ ସମଗ୍ର ବିଶ୍ୱରେ ଦେଖାଦେଇଥିବା ତୈଳ ସଂକଟ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ବିଭିନ୍ନ ଖର୍ଚ୍ଚକାଟ, ବିଶେଷକରି ପେଟ୍ରୋଲ ବ୍ୟବହାର କମ୍ କରିବାକୁ ଆହ୍ୱାନ ଦେଇଛନ୍ତି। ଏହାକୁ ସ୍ବାଗତ କରି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ନିଜ ବ୍ୟକ୍ତିଗତ ସୁରକ୍ଷା ପାଇଁ ଯାଉଥିବା ଗାଡ଼ିସଂଖ୍ୟା ଅଧା କରି ଦେଇଛନ୍ତି। ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍‌ରେ ୧୨ଟି ଗାଡ଼ି ଯାଉଥିବାବେଳେ ଏବେ କାର୍‌କେଡ୍‌ରେ ମୁଖ୍ୟମନ୍ତ୍ରୀ ନିଜେ ବସୁଥିବା ଗାଡ଼ିକୁ ମିଶାଇ ୬ଟି ଗାଡ଼ି ଯିବ ବୋଲି କୁହାଯାଇଛି। ମୁଖ୍ୟମନ୍ତ୍ରୀ ଆଜି ଏହି ପଦକ୍ଷେପ ନେଇ ରାଜ୍ୟବାସୀଙ୍କୁ ଆବଶ୍ୟକତା ଅନୁଯାୟୀ ଗାଡ଼ି ବ୍ୟବହାର କରିବାକୁ ଉଦାହରଣ ସୃଷ୍ଟି କରିଛନ୍ତି। ଏହାସହ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ଗୁରୁତ୍ୱ ଦେଇ ବ୍ୟକ୍ତିଗତ ଗାଡ଼ିରେ ଯିବାଆସିବା କମ୍ କରିବା ସହ ଅଧିକ ମାତ୍ରାରେ ସାଧାରଣ ପରିବହନ ସେବା ବ୍ୟବହାର  କରନ୍ତୁ। କେବଳ ଆବଶ୍ୟକ ସ୍ଥଳରେ ଗାଡ଼ି ବ୍ୟବହାର କରି ଅନାବଶ୍ୟକ ବ୍ୟବହାର ବନ୍ଦ କରନ୍ତୁ। ଏହା ସହିତ ସୁନା ନ କିଣିବା ଓ ଅନାବଶ୍ୟକ ବିଦେଶ ଗସ୍ତ ନକରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି।

 

 

 

ସୌଜନ୍ୟ ସମ୍ବାଦ