SPG Vehicles: ଏସ୍‌ପିଜି ଗାଡ଼ିସଂଖ୍ୟା ଅଧା କମାଇଲେ ମୋଦୀ, ଅଧିକ ଇଭି ପାଇଁ ଜୋର ଦେଲେ

ନୂଆଦିଲ୍ଲୀ: ଇରାନ ଯୁଦ୍ଧ ସହ ଜଡିତ ଅର୍ଥନୈତିକ ଚାପ ମଧ୍ୟରେ ବ୍ୟାପକ ଇନ୍ଧନ ସଞ୍ଚୟ କରିବାକୁ ଦେଶବାସୀଙ୍କୁ ଆହ୍ବାନ ଦେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଏହା ପାଳନ କରିବା ଆରମ୍ଭ କରିଛନ୍ତି। ସେ ତାଙ୍କ ସହ ଯାଉଥିବା ସୁରକ୍ଷା ଗାଡ଼ିମାଳାର ଆକାର ୫୦ ପ୍ରତିଶତ ହ୍ରାସ କରିବାକୁ ନିର୍ଦ୍ଦେଶ ଦେବା ସହ ଅଧିକ ବୈଦ୍ୟୁତିକ ଯାନର ବ୍ୟବହାର କରିବାକୁ କହିଛନ୍ତି।

ମିଳିଥିବା ସୂଚନା ମୁତାବକ, ପ୍ରଧାନମନ୍ତ୍ରୀଙ୍କ ଗାଡ଼ିମାଳାରେ ଥିବା ଯାନ ସଂଖ୍ୟା ହ୍ରାସ କରିବାକୁ ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ୍ (ଏସ୍‌ପିଜି)କୁ ନିର୍ଦ୍ଦେଶ ଦିଆଯାଇଛି। ଏସ୍‌ପିଜି ଏହି ନିର୍ଦ୍ଦେଶନାମା କାର୍ଯ୍ୟକାରୀ କରିବା ଆରମ୍ଭ କରିସାରିଛି। ପ୍ରଧାନମନ୍ତ୍ରୀ ମୋଦୀ ଏହି ଗାଡ଼ିମାଳାରେ ଇଲେକ୍ଟ୍ରିକ୍ ଯାନର ଅଧିକ ବ୍ୟବହାର କରିବାକୁ କହିଛନ୍ତି। ବିଶ୍ୱ ସ୍ତରରେ ତୈଳ ମୂଲ୍ୟ ବୃଦ୍ଧି ହେତୁ ଭାରତ ଆର୍ଥିକ କ୍ଷତିକୁ ଦୃଷ୍ଟିରେ ରଖି ଏକ ବର୍ଷ ପାଇଁ ସୁନା କ୍ରୟରୁ ଦୂରେଇ ରହିବା, ଅନାବଶ୍ୟକ ବିଦେଶଯାତ୍ରା ସ୍ଥଗିତ ରଖିବା ଏବଂ ଇନ୍ଧନ ବ୍ୟବହାର ହ୍ରାସ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ନାଗରିକମାନଙ୍କୁ ନିବେଦନ କରିବାର କିଛି ଦିନ ପରେ ଏହି ପଦକ୍ଷେପ ନିଆଯାଇଛି। ପ୍ରଧାନମନ୍ତ୍ରୀ ମୋଦୀ ନିକଟରେ ଗୁଜରାଟ ଓ ଆସାମ ସମେତ ରାଜ୍ୟ ଗସ୍ତ ସମୟରେ ତାଙ୍କ ଗାଡ଼ିମାଳାର ଆକାରକୁ ଯଥେଷ୍ଟ ହ୍ରାସ କରିଛନ୍ତି। ହାଇଦ୍ରାବାଦରେ ଏକ ରାଲିରେ ପ୍ରଧାନମନ୍ତ୍ରୀ ଇନ୍ଧନ ବ୍ୟବହାର ହ୍ରାସ କରିବାକୁ ନିବେଦନ କରିବା ପରେ ବଡ଼ୋଦରା ଓ ଗୁଆହାଟୀରେ ଏଭଳି ଛୋଟ କନଭୟ ଦେଖାଯାଇଥିଲା।

ସୂତ୍ରରୁ ପ୍ରକାଶ ଯେ, ଏସ୍‌ପିଜି ପ୍ରୋଟୋକଲ ଅନୁଯାୟୀ ବାଧ୍ୟତାମୂଳକ ସୁରକ୍ଷା ଆବଶ୍ୟକତା ପୂରଣ ସହ ଯାନବାହାନ ହ୍ରାସ କରାଯାଇଛି। ତେଲଖର୍ଚ୍ଚ ହ୍ରାସ ଅଭିଯାନ ବର୍ତ୍ତମାନ ସରକାର ଓ ମନ୍ତ୍ରଣାଳୟରେ ପ୍ରତିଫଳିତ ହେଉଛି। ଅନେକ କେନ୍ଦ୍ରୀୟ ମନ୍ତ୍ରଣାଳୟ ଇନ୍ଧନ ସଂରକ୍ଷଣ ପଦକ୍ଷେପ ନେଇ ଅନୁସନ୍ଧାନ କରୁଥିବା କୁହାଯାଉଛି। ମଧ୍ୟପ୍ରଦେଶ ଓ ରାଜସ୍ଥାନ ସମେତ ବିଜେପିଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ସେମାନଙ୍କ ସରକାରୀ କନଭୟ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ରବିବାର ହାଇଦ୍ରାବାଦରେ ତେଲେଙ୍ଗାନା ବିଜେପି ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ ଇରାନ ଯୁଦ୍ଧର ଅର୍ଥନୈତିକ ପ୍ରଭାବର ମୁକାବିଲା ଓ ବୈଦେଶିକ ମୁଦ୍ରା ଭଣ୍ଡାର ସଂରକ୍ଷଣ ପାଇଁ କଠୋର ‘ପ୍ରତ୍ୟାହାର’ (ଅଷ୍ଟରିଟି) ପଦକ୍ଷେପ ଗ୍ରହଣ କରିବାକୁ ଲୋକଙ୍କୁ ଅନୁରୋଧ କରିଥିଲେ। ‘ପ୍ରତ୍ୟାହାର’ ମାନେ ଯେତିକି ନିହାତି ଦରକାର ସେତିକିରେ ଚଳିବା ଏବଂ ଅଯଥା ଓ ଅଣଜରୁରୀ ଖର୍ଚ୍ଚ ହ୍ରାସ କରିବା। ପେଟ୍ରୋଲ ଓ ଡିଜେଲର ବ୍ୟବହାର ହ୍ରାସ କରିବା, ମେଟ୍ରୋ ରେଳ ସେବା, କାରପୁଲିଂ, ଇଲେକ୍ଟ୍ରିକ ଯାନ ଓ ରେଳ ପାର୍ସଲ ସେବାର ଅଧିକ ଉପଯୋଗ କରିବା ସହିତ ସମ୍ଭବ ହେଲେ ଘରୁ ଥାଇ କାମ କରିବା ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଲାଗି ପ୍ରଧାନମନ୍ତ୍ରୀ ଆହ୍ବାନ କରିଥିଲେ।

 

 

 

ସୌଜନ୍ୟ ସମ୍ବାଦ