ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ବିଶ୍ବବ୍ୟାପୀ ତୈଳ ସଙ୍କଟ ବଢ଼ିବାରେ ଲାଗିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ଦେଶବାସୀଙ୍କୁ ପେଟ୍ରୋଲ, ଡିଜେଲ ବ୍ୟବହାର କମାଇବା ପାଇଁ ଅନୁରୋଧ କରିଥିଲେ। ମୋଦୀଙ୍କର ଏହି ଅନୁରୋଧ ପରେ ଆଜି ଦିଲ୍ଲୀ ସରକାର ଇନ୍ଧନ ବଞ୍ଚାଇବା ପାଇଁ କେତେକ ଜରୁରୀ ପଦକ୍ଷେପ ଗ୍ରହଣ କରିଛନ୍ତି। ନୂଆ ପଦକ୍ଷେପ ଅନୁଯାୟୀ ଦିଲ୍ଲୀର ସମସ୍ତ ସରକାରୀ କର୍ମଚାରୀ ପ୍ରତି ସପ୍ତାହରେ ୨ ଦିନ ଘରୁ କାମ (ୱାର୍କ ଫ୍ରମ୍ ହୋମ୍) କରିବେ। ତୈଳ ବ୍ୟବହାର କମାଇବା ପାଇଁ ୫୦ ପ୍ରତିଶତ ସରକାରୀ ବୈଠକ ଅନଲାଇନ୍ ଦ୍ବାରା ହେବ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଆଜି ଏ ନେଇ ଘୋଷଣା କରିଛନ୍ତି। ସେହିପରି ଟ୍ରାଫିକ ଜାମ୍ ସମସ୍ୟାର ମୁକାବିଲା କରିବା ପାଇଁ ଦିଲ୍ଲୀ ସରକାର ଓ ଏମ୍ସିଡି ଅଫିସ୍ ସମୟ ବଦଳାଇବେ।
ସରକାରୀ ଗାଡ଼ି ବ୍ୟବହାର କମାଇବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଅଫିସରମାନଙ୍କୁ ଦିଆଯାଇଥିବା ପେଟ୍ରୋଲ ଲିମିଟ୍କୁ ୨୦ ପ୍ରତିଶତ କମାଯାଇଛି। ସେହିପରି ସାର୍ବଜନୀନ ପରିବହନ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ପଦକ୍ଷେପ ଗ୍ରହଣ କରି ଦିଲ୍ଲୀ ‘ମେଟ୍ରୋ ଡେ’ ପାଳନ କରିବ। ସରକାର ମଧ୍ୟ ପ୍ରତି ସପ୍ତାହରେ ଥରେ ଲୋକଙ୍କୁ ‘ନୋ କାର୍ ଡେ’ (କାର୍ବିହୀନ ଦିବସ) ପାଳନ କରିବା ପାଇଁ କହିଛନ୍ତି। ଦିଲ୍ଲୀ ସରକାର ଘୋଷଣା କରିଛନ୍ତି ଯେ ପରବର୍ତ୍ତୀ ୬ ମାସ ପର୍ଯ୍ୟନ୍ତ ସରକାର କୌଣସି ନୂଆ ଗାଡ଼ି କିଣିବେ ନାହିଁ। ସରକାରୀ କର୍ମଚାରୀଙ୍କ ପାଇଁ ୨୯ଟି ସରକାରୀ କଲୋନିରେ ସ୍ବତନ୍ତ୍ର ବସ୍ ଚାଲିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକମାନଙ୍କୁ ଅନାବଶ୍ୟକ ତୈଳ ଖର୍ଚ୍ଚ କମାଇବା ପାଇଁ ଅନୁରୋଧ କରିବା ପରେ ଦିଲ୍ଲୀ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି।
ସୌଜନ୍ୟ Prameya News7

