ଆଜିର ଦିନରେ ମ୍ୟୁଚୁଆଲ୍ ଫଣ୍ଡ୍ ଆଉ ଏକ ନୂଆ ଶବ୍ଦ ହୋଇ ରହିନାହିଁ। ଯାହାର ବଳକା ପାଣ୍ଠି ରହୁଛି, ସେମାନେ ଏ ବିଷୟରେ ଜାଣିଛନ୍ତି। ଯୁବକଯୁବତୀ, ଗୃହିଣୀ, ପେସାଦାରମାନେ ମଧ୍ୟ ଏଥିରେ ନିବେଶ କରୁଛନ୍ତି। ଅନେକ ଭାବୁଥାଇ ପାରନ୍ତି ଯେ ମ୍ୟୁଚୁଆଲ୍ ଫଣ୍ଡ୍ ହେଉଛି ଏକ ନୂଆ ନିବେଶ ବିକଳ୍ପ। ସେମାନଙ୍କ ଧାରଣା କିନ୍ତୁ ଭୁଲ୍। ଏହା ନିବେଶର ନୂଆ ମାଧ୍ୟମ ନୁହେଁ। ଛଅ ଦଶନ୍ଧିରୁ ଅଧିକ ସମୟ ଧରି ଏହି ଶିଳ୍ପ ଆଗକୁ ବଢ଼ୁଛି। ୧୯୬୩ରେ ଭାରତ ସରକାର ୟୁନିଟ୍ ଟ୍ରଷ୍ଟ୍ ଅଫ୍ ଇଣ୍ଡିଆ (ୟୁଟିଆଇ) ଗଠନ କରିବା ସହ ଏହି ଶିଳ୍ପର ଯାତ୍ରା ଆରମ୍ଭ ହୋଇଥିଲା। ଏହା ଥିଲା ଭାରତ ସରକାର ଓ ଭାରତୀୟ ରିଜର୍ଭ ବ୍ୟାଙ୍କର ମିଳିତ ଉଦ୍ୟମରେ ଗଢ଼ା ଯାଇଥିବା ଏକ ସଂସ୍ଥା। ପରବର୍ତ୍ତୀ ସମୟରେ ତାହା ଏକ ବହୁ ବିଲିଅନ ଡଲାର ଶିଳ୍ପରେ ପରିଣତ ହୋଇଛି। କୋଟି କୋଟି ଲୋକ ନିଜ ସଞ୍ଚିତ ପାଣ୍ଠି ନିବେଶ କରୁଥିବାରୁ ତାହାର ସୁରକ୍ଷା ଲାଗି ନିୟାମକ ସଂସ୍ଥା ଏହି ବଜାର ଉପରେ କଡ଼ା ନଜର ରଖିଛି।
ଭାରତରେ ମ୍ୟୁଚୁଆଲ୍ ଫଣ୍ଡ୍ ଶିଳ୍ପ ପାଞ୍ଚଟି ପର୍ଯ୍ୟାୟ ଦେଇ ଆଗକୁ ବଢ଼ିବା ସହ ବର୍ତ୍ତମାନ ସ୍ତରରେ ପହଞ୍ଚିଛି। ୟୁଟିଆଇ ଏହାର ଯାତ୍ରା ଆରମ୍ଭ କରିବା ପରେ ୟୁନିଟ୍ ସ୍କିମ୍ ୧୯୬୪ ଘୋଷଣା କରିଥିଲା। ତାହା କ୍ଷୁଦ୍ର ଓ ମଧ୍ୟମ ଆୟ ବର୍ଗର ଲୋକମାନଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ହୋଇଥିଲା। ୧୯୭୮ରେ ୟୁଟିଆଇକୁ ରିଜର୍ଭ ବ୍ୟାଙ୍କ ନିୟନ୍ତ୍ରଣରୁ ଅଲଗା କରି ଦିଆଯାଇଥିଲା। ତାହାର ନିୟନ୍ତ୍ରଣ ଦାୟିତ୍ବ ଭାରତୀୟ ଶିଳ୍ପ ବିକାଶ ବ୍ୟାଙ୍କ (ଆଇଡିବିଆଇ)କୁ ଦିଆଯାଇଥିଲା। ଏହା ଥିଲା ମ୍ୟୁଚୁଆଲ୍ ଫଣ୍ଡ ଶିଳ୍ପର ପ୍ରଥମ ପର୍ଯ୍ୟାୟ। ୧୯୮୭ରୁ ୧୯୯୩ ପର୍ଯ୍ୟନ୍ତ ଥିଲା ଦ୍ବିତୀୟ ପର୍ଯ୍ୟାୟ। ୧୯୮୭ ପର୍ଯ୍ୟନ୍ତ ଏହି ଶିଳ୍ପରେ ୟୁଟିଆଇ ଥିଲା ଏକମାତ୍ର ସଂସ୍ଥା। ତେବେ ବଜାରକୁ ବଢ଼ାଇବା ଓ ବ୍ୟାପକ କରିବା ପାଇଁ ସରକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଓ ବୀମା କମ୍ପାନିଗୁଡ଼ିକୁ ସମ୍ପତ୍ତି ପରିଚାଳନା କମ୍ପାନି ଗଠନ କରିବାକୁ ଅନୁମତି ଦେଇଥିଲେ। ଏହାପରେ ୧୯୮୭ରେ ପ୍ରଥମ ଅଣ-ୟୁଟିଆଇ କମ୍ପାନି ଭାବେ ଏସ୍ବିଆଇ ମ୍ୟୁଚୁଆଲ୍ ଫଣ୍ଡ୍ ସ୍ଥାପନ ହୋଇଥିଲା।
ପରବର୍ତ୍ତୀ ସମୟରେ କାନାରା ବ୍ୟାଙ୍କ, ଏଲ୍ଆଇସି ଓ ସାଧାରଣ ବୀମା କମ୍ପାନିଗୁଡ଼ିକ ଏକ୍ଷେତ୍ରରେ ପ୍ରବେଶ କରିଥିଲେ। ୧୯୯୩ ପରେ ଘରୋଇ କମ୍ପାନିଗୁଡ଼ିକ ଏହି କ୍ଷେତ୍ରରେ ପ୍ରବେଶ କରିଥିଲେ। ୨୦୦୩ରେ ୟୁଟିଆଇ ନିୟମକୁ ପ୍ରତ୍ୟାହାର କରାଯିବା ପରେ ୟୁଟିଆଇକୁ ୟୁନିଟ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆ ଓ ୟୁଟିଆଇ ମ୍ୟୁଚୁଆଲ୍ ଫଣ୍ଡ୍ ନାମରେ ଦୁଇ ଭାଗ କରିଦିଆଯାଇଥିଲା। ୨୦୧୪ ପରଠାରୁ ଏହି ଶିଳ୍ପର ଆଧୁନିକ ଯୁଗ ଆରମ୍ଭ ହୋଇଥିଲା। ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)ର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଶିଳ୍ପ ଆଗକୁ ବଢ଼ିଥିଲା। ବାଧ୍ୟତାମୂଳକ ପ୍ରତ୍ୟକ୍ଷ ଯୋଜନା ଓ ଉତ୍ପାଦର ବର୍ଗୀକରଣ ଭଳି ବ୍ୟବସ୍ଥା ଆରମ୍ଭ ହୋଇଥିଲା ଯାହା ଶିଳ୍ପରେ ସ୍ବଚ୍ଛତା ଆଣିଥିଲା ଏବଂ ନିବେଶକମାନଙ୍କ ଖର୍ଚ୍ଚ ମଧ୍ୟ କମ୍ କରିଥିଲା। ସିଷ୍ଟମେଟିକ୍ ଇନଭେଷ୍ଟ୍ମେଣ୍ଟ୍ ପ୍ଲାନ୍ (ଏସ୍ଆଇପି) ଆସିବା ପରେ ଶିଳ୍ପର ରୂପରେଖ ବଦଳିଯାଇଥିଲା। ସମାଜର ପ୍ରାୟ ପ୍ରତିଟି ଶ୍ରେଣୀର ଲୋକ ଏସ୍ଆଇପି ଜରିଆରେ ନିବେଶ ଆରମ୍ଭ କରିଥିଲେ। ତାହା ମ୍ୟୁଚୁଆଲ୍ ଫଣ୍ଡ୍ ଶିଳ୍ପକୁ ଘରେ ଘରେ ପରିଚିତ କରିଥିଲା। ବର୍ତ୍ତମାନ ମ୍ୟୁଚୁଆଲ୍ ଫଣ୍ଡ୍ ଅଧୀନରେ ପରିଚାଳିତ ହେଉଥିବା ପାଣ୍ଠି ୮୧.୯୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚିପାରିଛି।
ସୌଜନ୍ୟ ସମ୍ବାଦ

